ଆଇପିଏଲ-୨୦୨୦: ସ୍ପିନ ଚ୍ୟାଲେଞ୍ଜ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ୩ଟି ଷ୍ଟାଡିୟମ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବାକୁ ଯାଉଛି। ୟୁଏଇ ପରିବେଶରେ ସ୍ପିନରମାନେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଆକଳନ କରାଯାଉଛି। ତେଣୁ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ହାଇ ପ୍ରୋଫାଇଲ୍‌ ଲିଗ୍‌ ପାଇଁ ଅଂଶଗ୍ରହଣକାରୀ ୮ ଦଳର ସ୍ପିନରଙ୍କୁ ନେଇ ଏହି ଉପସ୍ଥାପନା..
ଚେନ୍ନାଇ ସୁପରକିଙ୍ଗ୍ସ
ଏହି ଦଳର ସ୍ପିନ ବୋଲିଂ ବିକଳ୍ପ ହେଲେ ପୀୟୂଷ ଚାଓ୍ବଲା, ଆର. ସାଇକିଶୋର, ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା, କର୍ନ ଶର୍ମା, ମିଚେଲ ସାଣ୍ଟନର ଓ କେଦାର ଯାଦବ। ବିବିଧ ବିକଳ୍ପ ଥିବାରୁ ଏହି ଦଳକୁ ଆଗାମୀ ଟୁର୍ନାମେଣ୍ଟର ସବୁଠାରୁ ଶ୍ରେଷ୍ଠ ସ୍ପିନ୍‌ ଆକ୍ରମଣ ସମ୍ପନ୍ନ ଦଳଭାବେ ବିବେଚନା କରାଯାଉଛି। ସାଧାରଣତଃ ଚେନ୍ନାଇ ଦଳ ଘରୋଇ ଗ୍ରାଉଣ୍ଡ ଚେପକ୍‌କୁ ଦୃଷ୍ଟିରେ ରଖି ଅଧିକ ସ୍ପିନରଙ୍କୁ ଦଳରେ ସାମିଲ କରିଥାଏ। ତେଣୁ ଏ କ୍ଷେତ୍ରରେ ୟୁଏଇ ପରିବେଶରେ ଅନ୍ୟଦଳଠାରୁ ସୁପରକିଙ୍ଗ୍ସ ଗୋଟିଏ ପାଦ ଆଗରେ ରହିବ ବୋଲି ଆଲୋଚନା ହେଉଛି। ଖେଳାଳି ନିଲାମ ସମୟରେ ଏହି ଦଳ ଚାଓ୍ବଲାଙ୍କୁ ୬.୭୫ କୋଟି ଟଙ୍କାରେ କିଣିଥିଲା। ଅଭିଜ୍ଞ ହରଭଜନ ସିଂଙ୍କ ଅନୁପସ୍ଥିତିରେ ଚାଓ୍ବଲା ସ୍ପିନ ଆକ୍ରମଣର ନେତୃତ୍ୱ ନେଇପାରନ୍ତି। ଏହା ବ୍ୟତୀତ ଜାଡେଜା ଓ ସାଣ୍ଟନର ନିଜର ଅଲରାଉଣ୍ଡ ଦକ୍ଷତା ଉପଯୋଗ କରି ମ୍ୟାଚର ଗତିପଥ ବଦଳାଇ ଦେଇପାରନ୍ତି। ଗତ ସିଜନରେ ପର୍ପଲ କ୍ୟାପର ଅଧିକାରୀ ହୋଇଥିବା ତାହିର ଅଭିଜ୍ଞତାରେ ଭରପୂର ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ପିନ ବିକଳ୍ପଭାବେ ଉଭା ହେବେ। ସାଇକିଶୋର ଓ କର୍ନ ଶର୍ମା ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳର ବୋଲିଂ ବିକଳ୍ପ ହେଲେ ୟୁଜବେନ୍ଦ୍ର ଚହଲ, ପଓ୍ବନ ନେଗୀ, ଓ୍ବାଶିଂଟନ ସୁନ୍ଦର, ଆଡାମ ଜାମ୍ପା ଓ ମୋଇନ ଅଲୀ। ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌ ଥିଲେ ହେଁ ବାଙ୍ଗାଲୋର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଅନଭିଜ୍ଞ ବୋଲିଂ ବିଭାଗ ପାଇଁ ଗତ ୩ ସିଜନରେ ପ୍ଲେ-ଅଫ୍‌ରେ ପ୍ରବେଶ କରି ପାରିନାହିଁ। ଏଥର ଖେଳାଳି ନିଲାମ ସମୟରେ ଟିମ୍‌ ମ୍ୟାନେଜମେଣ୍ଟ ଏହାକୁ ଦୃଷ୍ଟିରେ ରଖି ବୋଲିଂ ଲାଇନ୍‌ଅପ୍‌କୁ ଶକ୍ତିଶାଳୀ କରିଛି। ଗତଥର ଭଳି ଏଥର ମଧ୍ୟ ଚହଲ, ସୁନ୍ଦର, ମୋଇନ ଓ ନେଗୀ ଅପରିବର୍ତ୍ତିତ ରହିଥିବାବେଳେ କେନ୍‌ ରିଚାର୍ଡଶନଙ୍କ ସ୍ଥାନରେ ଜାମ୍ପାଙ୍କୁ ସାମିଲ କରାଯାଇଛି। ୟୁଏଇ ପରିବେଶ ସ୍ପିନ୍‌ ଫ୍ରେଣ୍ଡଲୀ ହେବ ବୋଲି ଆଶା କରାଯାଉଥିବାରୁ ଏହାକୁ ଏକ ଭଲ ପଦକ୍ଷେପ ବୋଲି କୁହାଯାଉଛି। ଚହଲ ଓ ସୁନ୍ଦର ଭାରତୀୟ ଟି୨୦ ଦଳର ନିୟମିତ ସଦସ୍ୟ ରହି ଆସିଥିବାବେଳେ ମୋଇନ ଓ ଜାମ୍ପା ଶ୍ରେଷ୍ଠ ବିଦେଶୀ ବିକଳ୍ପ। ପ୍ରଥମଥର ପାଇଁ ଆରସିବି ସ୍ପିନ ବିଭାଗ ଶକ୍ତିଶାଳୀ ହୋଇଥିବାରୁ ଏଥର ଟାଇଟଲ ପାଇଁ ଦାବିଦାର ଭାବେ ଉଭାହେବ।
କୋଲକାତା ନାଇଟ ରାଇଡର୍ସ
କୋଲକାତା ଫ୍ରାଞ୍ଚାଇଜ୍‌ ଦଳର ସ୍ପିନରମାନେ ହେଲେ ସୁନୀଲ ନାରିନ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଏମ. ସିଦ୍ଧାର୍ଥ, କ୍ରିସ୍‌ ଗ୍ରୀନ ଓ ନୀତୀଶ ରାଣା। ନାରିନ, କୁଲଦୀପ ଓ ବରୁଣଙ୍କ ଉପସ୍ଥିତିରେ ଏହି ଦଳର ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ। ଏମାନଙ୍କ ସଫଳତା ସହାୟତାରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ଦଳ ଏଥର ତୃତୀୟ ଥରପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଗତ ଆଇପିଏଲରେ ନାଇଟ ରାଇଡର୍ସର ପ୍ରଦର୍ଶନ ଖରାପ ରହିଥିଲା। ଗତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ)ରେ ନାରିନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥର ମଧ୍ୟ ତା’ର ପୁନରାବୃତ୍ତି ହେବା ଆଶା। ସୀମିତ ଓଭର କ୍ରିକେଟରେ କୁଲଦୀପ ଭାରତୀୟ ଦଳର ନିର୍ଭରଯୋଗ୍ୟ ସ୍ପିନରଭାବେ ପରିଗଣିତ। ଖେଳାଳି ନିଲାମରେ ଏହି ଫ୍ରାଞ୍ଚାଇଜ୍‌ ଗ୍ରୀନ୍‌ ଓ ବରୁଣଙ୍କୁ କିଣି ନାରିନ ଓ କୁଲଦୀପଙ୍କ ବ୍ୟାକଅପ୍‌ଭାବେ ବ୍ୟବହାର କରିବା ଲକ୍ଷ୍ୟରେ ରହିଛି। ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ଉପସ୍ଥିତିରେ କୋଲକାତାର ସ୍ପିନ ୟୁନିଟ୍‌ ବେଶ୍‌ ସନ୍ତୁଳିତ ଲାଗୁଛି।
ସନ୍‌ରାଇଜର୍ସ ହାଇଦ୍ରାବାଦ
ସନ୍‌ରାଇଜର୍ସ ଦଳରେ ରଶିଦ ଖାଁ, ମହମ୍ମଦ ନବି, ଶାହାବାଜ ନଦୀମ, ଅଭିଷେକ ଶର୍ମା, ସନ୍ଦୀପ ବାଭାଙ୍କା, ଫାବିଆନ ଆଲେନ ଓ ଅବଦୁଲ ସମଦ ଆଦି ସ୍ପିନର ରହିଛନ୍ତି। ଚଳିତ ସିଜନରେ ଏହି ଦଳର ବୋଲିଂ ଆକ୍ରମଣ ଅନ୍ୟତମ ଶ୍ରେଷ୍ଠ। ନମ୍ବର ଓ୍ବାନ ଟି୨୦ ବୋଲର ରଶିଦ ଖାଁ ସ୍ପିନ ବିଭାଗର ନେତୃତ୍ୱ ନେବେ। ରଶିଦଙ୍କ ଟିମ୍‌ମେଟ୍‌ ମହମ୍ମଦ ନବି ମଧ୍ୟ ଗତ ସିପିଏଲରେ ଚମତ୍କାର ଫର୍ମରେ ଥିବାର ପ୍ରମାଣ ଦେଇଥିଲେ। ହାଇଦ୍ରାବାଦ ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଦଳରେ ସେପରି କେହି ଅଭିଜ୍ଞ ଭାରତୀୟ ସ୍ପିନର ନାହାନ୍ତି। ୪ ଭାରତୀୟଙ୍କ ମଧ୍ୟରୁ ଶାହାବାଜ ନଦୀମ ସବୁଠାରୁ ଅଭିଜ୍ଞ। ତେବେ ସେ ଫର୍ମରେ ନ ଥିବା ଦଳପାଇଁ ଚିନ୍ତାର କାରଣ ହୋଇଛି। ଏପରିସ୍ଥଳେ ପଞ୍ଜାବ ଅଲରାଉଣ୍ଡର ଅଭିଷେକ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା ରହିଛି। ନବି ଓ ରଶିଦଙ୍କ ବ୍ୟାକ୍‌ଅପ୍‌ଭାବେ ଫାବିଆନ ଆଲେନ ରହିଛନ୍ତି। ପିଚ୍‌ ବୋଲିଂ ଫ୍ରେଣ୍ଡଲୀ ରହିଲେ ସନ୍‌ରାଇଜର୍ସ ଯଦି ରଶିଦ ଓ ନବିଙ୍କୁ ଖେଳାଇବା ରଣନୀତି ଅବଲମ୍ବନ କରେ ତେବେ ଟାଇଟଲ ଜିତିବା ସୁଯୋଗ ରହିବ।
ଦିଲ୍ଲୀ କ୍ୟାପିଟାଲ୍ସ
ଅକ୍ଷର ପଟେଲ, ଅମିତ ମିଶ୍ର, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦୀପ ଲାମିଚାନେ ଓ ଲଳିତ ଯାଦବ ଏହି ଦଳର ବୋଲିଂ ବିକଳ୍ପ। ଦଳରେ କମ୍‌ ସଂଖ୍ୟକ ସ୍ପିନର ଥିଲେ ହେଁ ଅଧିକାଂଶ ଅଭିଜ୍ଞ ସମ୍ପନ୍ନ। ଅମିତ, ଅଶ୍ୱିନ ଓ ଅକ୍ଷର ଆଇପିଏଲରେ ୩୫୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇ ସାରିଛନ୍ତି। ଏମାନଙ୍କୁ ନେଇ ୟୁଏଇ ପିଚ୍‌ରୁ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ଦିଲ୍ଲୀ ଫ୍ରାଞ୍ଚାଇଜ୍‌। ଦିଲ୍ଲୀ ଦଳ ପାଇଁ ଅକ୍ଷର ଓ ଅମିତ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି। ଅଶ୍ୱିନଙ୍କ ସମ୍ମିଶ୍ରଣରେ ଦଳ ପ୍ରଥମଥରପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ଶ୍ରେୟାସ ଆୟାରଙ୍କ ଦଳରେ ନେପାଳ ଲେଗ୍‌ ସ୍ପିନର ଲାମିଚାନେ ମଧ୍ୟ ରହିଛନ୍ତି। ରହସ୍ୟଜନକ ଲେଗ୍‌ ସ୍ପିନ ମାଧ୍ୟମରେ ସେ ଖେଳର ଗତିପଥ ବଦଳାଇ ଦେବାରେ ଦକ୍ଷତା ରଖିଛନ୍ତି। ତେବେ ୪ ବିଦେଶୀ ଖେଳାଳି ରଣନୀତିରେ ସନ୍ଦୀପ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ସଂଘର୍ଷ କରିବେ।
କିଙ୍ଗ୍ସ ଇଲେଭେନ ପଞ୍ଜାବ
ପଞ୍ଜାବ ଦଳର ସ୍ପିନ ବୋଲିଂ ବିକଳ୍ପ ହେଲେ ମୁଜିବୁର ରହମନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେ, ସୁଚିଥ, ହରପ୍ରୀତ ବ୍ରାର, ରବି ବିଷ୍ଣୋଇ, ତାଜିନ୍ଦର ଧିଲୋନ, ମୁରୁଗାନ ଅଶ୍ୱିନ, କ୍ରିଷ୍ଣାପ୍ପା ଗୋଥାମ ଓ ଦୀପକ ହୁଦା। ଲୋକେଶ ରାହୁଲ ଏଥର ଦଳର ନେତୃତ୍ୱ ନେଉଛନ୍ତି। ପ୍ରଥମଥର ପାଇଁ ଟାଇଟଲ ଆଶାରେ ଥିବା ପଞ୍ଜାବ ଫ୍ରାଞ୍ଚାଇଜ୍‌ ଦଳରେ ଅଭିଜ୍ଞ ଭାରତୀୟ ସ୍ପିନର ନାହାନ୍ତି। ୧୯ ବର୍ଷରୁ କମ୍‌ ଖେଳାଳି ବିଷ୍ଣୋଇ ଦଳର ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି। ଅଲରାଉଣ୍ଡର ଗୋଥାମ ମଧ୍ୟ ଦଳପାଇଁ ଉପଯୋଗୀ ହୋଇପାରନ୍ତି। ୨୦୧୮ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଦୁଇ ଅଲରାଉଣ୍ଡର ଆଫଗାନିସ୍ତାନର ମୁଜିବୁର ଓ ଅଷ୍ଟ୍ରେଲିଆର ମ୍ୟାକ୍ସଓ୍ବେଲ ପଞ୍ଜାବ ଦଳର ଦୁଇ ପ୍ରମୁଖ ଖେଳାଳି। ଏମାନେ ସ୍ପିନ ବିଭାଗର ନେତୃତ୍ୱ ନେବେ।
ରାଜସ୍ଥାନ ରୟାଲ୍ସ
ରୟାଲ୍ସ ଦଳର ସ୍ପିନରମାନେ ହେଲେ ଶ୍ରେୟାସ ଗୋପାଳ, ମୟଙ୍କ ମାର୍କଣ୍ଡେ, ମହୀପାଲ ଲୋମରୋର, ଶଶାଙ୍କ ସିଂ, ରିୟାନ ପରାଗ, ରାହୁଲ ଟଓ୍ବୋଟିଆ ଓ ଅନିରୁଦ୍ଧ ଯୋଶୀ। ଦଳରେ କେହି ଅଭିଜ୍ଞ ବିଦେଶୀ ସ୍ପିନର ନାହାନ୍ତି। ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ଦ ଦଳରୁ ରୟାଲ୍ସ ଦଳରୁ ମାର୍କଣ୍ଡେଙ୍କୁ ଆଣିଥିଲା। ଅଧିକ ଲେଗ ସ୍ପିନର ରହିଥିବାରୁ ଏହା ଦଳର ଅଭିଯାନରେ ସମସ୍ୟା ସୃଷ୍ଟି କରିପାରେ। ଗତ ସିଜନରେ ହ୍ୟାଟ୍ରିକ ଅର୍ଜନ କରିଥିବା ଗୋପାଳ ସ୍ପିନ ବିଭାଗର ନେତୃତ୍ୱ ନେବେ। ଗତ ସିଜନରେ ମାର୍କଣ୍ଡେଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତେବେ ଲାଇନ୍‌ଅପ୍‌ରେ ଥିବା ସ୍ପିନରଙ୍କ ମଧ୍ୟରୁ ସେ କେବଳ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଖେଳାଳି ନିଲାମ ପୂର୍ବରୁ କ୍ରିଷ୍ଣାପ୍ପା ଗୋଥାମଙ୍କୁ ଦଳ ପଞ୍ଜାବକୁ ଦେଇଦେଇଥିବାରୁ ସ୍ପିନ ବିଭାଗ ଦୁର୍ବଳ ହୋଇଯାଇଛି। ନିଲାମ ସମୟରେ ଅନିରୁଦ୍ଧଙ୍କୁ କିଣିଥିଲେ ହେଁ ତାଙ୍କଠାରେ ବିଶେଷ ଅଭିଜ୍ଞତା ନାହିଁ। ତେବେ ରିୟାନ ପରାଗଙ୍କ ଉପରେ ନଜର ରହିବ।
ମୁମ୍ବାଇ ଇଣ୍ଡିଆନ୍ସ
ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ସ୍ପିନ ବିଭାଗ ସବୁଠାରୁ ଦୁର୍ବଳ। କୃନାଲ ପାଣ୍ଡ୍ୟା, ରାହୁଲ ଚହର, ଜୟନ୍ତ ଯାଦବ ଓ ଅନୁକୂଳ ରୟ ସ୍ପିନ ଚ୍ୟାଲେଞ୍ଜ ସମ୍ଭାଳିବେ। ଦଳରେ କେହି ବିଦେଶୀ ସ୍ପିନର ନ ଥିବାବେଳେ ଭାରତୀୟ ସ୍ପିନରଙ୍କ ଅଭିଜ୍ଞତାର ଅଭାବ। ତେଣୁ ଏହା ଦଳପାଇଁ ଭାରି ପଡ଼ିପାରେ। କୃନାଲ ଓ ରାହୁଲ ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି। ତେବେ ମିଡିଲ ଓଭର ଗୁଡ଼ିକରେ ଏମାନେ ସଫଳତା ପାଇବା ସମ୍ଭାବନା କମ୍‌। ଜୟନ୍ତ ଓ ଅନୁକୂଳଙ୍କର ଅଭିଜ୍ଞତା ନାହିଁ। ଲସିଥ ମାଲିଙ୍ଗା ଆଇପିଏଲରୁ ଓହରି ଯିବାପରେ ୟୁଏଇ ପରିବେଶକୁ ଦୃଷ୍ଟିରେ ରଖି ଖେଳାଳି ନିଲାମ ସମୟରେ ମୁମ୍ବାଇ ଫ୍ରାଞ୍ଚାଇଜ୍‌ ଜଣେ ଦକ୍ଷ ସ୍ପିନରଙ୍କୁ ଚୟନ କରିବା ଆବଶ୍ୟକ ଥିଲା। ମାତ୍ର ମାଲିଙ୍ଗାଙ୍କ ସ୍ଥାନରେ ଦଳ ଜେମ୍ସ ପ୍ୟାଟିନସନଙ୍କୁ ଚୟନ କଲା। ଆଗାମୀ ସଂସ୍କରଣରେ ଅଭିଜ୍ଞ ସ୍ପିନରଙ୍କ ଅନୁପସ୍ଥିତି ଦଳପାଇଁ ମହଙ୍ଗା ପଡ଼ିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri