ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ ଏହାଦ୍ୱାରା ଜଣଙ୍କର ଜୀବନଶୈଳୀ ମଧ୍ୟ ପ୍ରଭାବିତ ହୋଇଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟଧାରା ମଧ୍ୟ ପ୍ରଭାବିତ ହୁଏ। ‘ଭିଡିଓଗେମ୍‌ ଏବଂ ମସ୍ତିଷ୍କର କାର୍ଯ୍ୟଧାରା’ ବିଷୟକୁ ନେଇ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିବା ପିଲାମାନଙ୍କର ମସ୍ତିଷ୍କର କାର୍ଯ୍ୟାଧାରା ଏହା ଦ୍ୱାରା ପ୍ରଭାବିତ ହେଉଥିବା ଏକ ସର୍ଭେ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଏହାଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। କାରଣ ଦୀର୍ଘସମୟ ଧରି ଭିଡିଓଗେମ୍‌ ଖେଳିଲେ କେତେକ ଏକ ଲୟରେ ଖେଳିଥାଆନ୍ତି। ଫଳରେ ଆଖିରେ ଭିତରେ ଜଳୀୟ ଶୁଷ୍କତା ଦେଖିବାକୁ ମିଳିଥାଏ। ଗୋଟିଏ ସ୍ଥାନରେ ବସି ରହି ଏହାକୁ ଖେଳିବା ଦ୍ୱାରା ତାହାର ଖରାପ ପ୍ରଭାବ ଅଣ୍ଟା ଏବଂ ବେକ ଉପରେ ପଡିଥାଏ। ଭିଡିଓଗେମ୍‌ ଖେଳିଲେ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଶରୀର ଯେପରି ସ୍ଥିର ହୋଇ ରହିଥାଏ। ଏହାଦ୍ୱାରା ଓଜନ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। କେତେକଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ, ଯାହାଫଳରେ ଏହାର ପ୍ରଭାବ ନିଦ୍ରା ଉପରେ ପଡିଥାଏ।

Dharitri – Odisha’s No.1 Odia Daily