୯ ବର୍ଷ ବିତିଲାଣି, ସରୁନି ସେତୁ ନିର୍ମାଣ

ନୀଳଗିରି, ୧୭।୮(ସ୍ବ.ପ୍ର.): ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବିଜୁ ସେତୁ ଯୋଜନାରେ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପ ନିର୍ମାଣର ଦୀର୍ଘ ୯ ବର୍ଷ ପରେ ବି ସରୁନି କାର୍ଯ୍ୟ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସୀମାନ୍ତରେ ଥିବା ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧୀନ ବାଲିପାଳଠାରେ। ଗୋଟିଏପଟେ ଗ୍ରାମବାସୀ ଅନ୍ୟପଟେ ଚାଷଜମି ରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାଲିପାଳରୁ ନରସିଂହପୁର, ତିନିଦେଶ ଦେଇ ମୟୂରଭଞ୍ଜକୁ ସଂଯୋଗ ଓ ରାସ୍ତାର ଦୂରତା କମାଇବା ପାଇଁ ଦୀର୍ଘଦିନର ଦାବି ପରେ ସୀମାନ୍ତ ଜିଲାକୁ ସଂଯୋଗ ଓ ଗମନାଗମନ ସୁବିଧାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ସୋନ ନଦୀ ଉପରେ ସେତୁ ନିର୍ମାଣ ପାଇଁ ମଞ୍ଜୁରି ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୩ରେ ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୪ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୩ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଠିକାଦାରଙ୍କ ସହ ଚୁକ୍ତି ମଧ୍ୟ ହୋଇଥିଲା। ହେଲେ ଆଜିକୁ ୯ବର୍ଷ ପରେ ମଧ୍ୟ କାର୍ଯ୍ୟ ସରିନି। ଏନେଇ ବିଭାଗ ପକ୍ଷରୁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବହୁବାର ଚିଠି କରାଯାଇଥିବା ବେଳେ ସମ୍ପୃକ୍ତ ଠିକାଦାର ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ନଦୀର ଗୋଟିଏ ପାଖରେ ଗଁା ଓ ଅନ୍ୟ ପାଖରେ ଚାଷ ଜମି ରହିଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଉକ୍ତ ନଦୀ ଦେଇ ନ ଗଲେ ୧୫ କି.ମି.ବୁଲିବାକୁ ପଡ଼ିଥାଏ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଇଶ୍ୱରୀ ପ୍ରସାଦ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ପରେ ଉକ୍ତ ବିଭାଗର କନିଷ୍ଠଯନ୍ତ୍ରୀ ଦେବବ୍ରତ ଗାରୁଙ୍କୁ ପଚାରିବାରୁ କିଛି ବୈଷୟିକ ତ୍ରୁଟି ଯୋଗୁ କାର୍ଯ୍ୟ ବିଳମ୍ବ ହୋଇଛି, କିନ୍ତୁ ଆସନ୍ତା ବର୍ଷାଦିନ ପୂର୍ବରୁ କାମ ସରିବ ବୋଲି ସେ କହିଛନ୍ତି।