ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ ବାଇକ୍ ଚଳାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି। ଉଭୟ ଗୋଷ୍ଠୀ ପକ୍ଷରୁ ଠେଙ୍ଗାବାଡ଼ିରେ ପରସ୍ପର ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ ହେବାରୁ କିଛି ବ୍ୟକ୍ତି ଆହତ ହୋଇଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲା।
ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ କେ. ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା। ଥାନା ଆଇଆଇସି ବିଶ୍ୱଜିତ ନାୟକ ଓ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଅତିଥି ଚରଣ ନାୟକ ସଦଳବଳେ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୋଲିସ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।
ଅଭିଯୋଗ ଅନୁସାରେ, ଗତ ଗୁରୁବାର ଅପରାହ୍ନରେ ଦଳିତ ସାହିର କିଛି ଯୁବକ ଦ୍ରୁତଗତିରେ ବାଇକ୍ ଚଳାଇ ଓଡ଼ିଆ ସାହି ମଧ୍ୟରେ ଯାତାୟାତ କରୁଥିଲେ। ଏହି ସମୟରେ ଓଡ଼ିଆ ସାହିର କିଛି ଯୁବକ ପ୍ରତିବାଦ କରିବା ସହ ସେମାନଙ୍କ ବାଇକ୍କୁ ଅଟକାଇ ସାହି ମଧ୍ୟରେ ଦ୍ରୁତଗତିରେ ବାଇକ୍ ନ ଚଳାଇବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।
ଏହି ଖବର ଦଳିତ ସାହିରେ ପହଞ୍ଚିବା ପରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ହାତରେ ଠେଙ୍ଗାବାଡ଼ି ଧରି ଓଡ଼ିଆ ସାହିରେ ପ୍ରବେଶ କରିଥିଲେ। ସେଠାରେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି। କିଛି ସମୟ ମଧ୍ୟରେ ଉଭୟ ଗୋଷ୍ଠୀର ଯୁବକମାନେ ମୁହାଁମୁହିଁ ହୋଇଥିଲେ। ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହେବାରୁ ଗ୍ରାମର ରାସ୍ତା ରଣକ୍ଷେତ୍ର ପାଲଟିଥିଲା।
ଶୁକ୍ରବାର କେ. ନୂଆଗାଁ ଥାନାରେ ଦୁଇ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ହୋହଲ୍ଲା କରିଥିଲେ। ପୋଲିସ ଟିମ୍ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ସମାଧାନ କରିଥିବା ଜଣାପଡ଼ିଛି।