ସିକିଲ୍‌ ସେଲ୍‌ ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୧।୧(ବ୍ୟୁରୋ): ସିକିଲ୍‌ ସେଲ୍‌ ରୋଗର ନିରାକରଣ ପାଇଁ ରାଜ୍ୟରୁ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସବ୍‌-କମିଟି ଗଠନ କରାଯାଇଛି। ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ନିର୍ଦ୍ଦେଶକ ଏଥିରେ ସହ-ଅଧ୍ୟକ୍ଷ ଥିବାବେଳେ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକଙ୍କୁ ସଦସ୍ୟ ରହିଛନ୍ତି। ଭେଲୋରସ୍ଥିତ ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ବୈଷୟିକ ସହଯୋଗୀ ଭାବେ କମିଟିରେ ଗ୍ରହଣ କରାଯାଇଛି। ସେହିପରି ଜିଲାସ୍ତରୀୟ କମିଟି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ସମ୍ପୃକ୍ତ ଏମ୍‌ପି କମିଟିର ସ୍ବତନ୍ତ୍ର ଅତିଥି ସଦସ୍ୟ ରହିବେ। ବ୍ଲକସ୍ତରୀୟ କମିଟି ବ୍ଲକ ମେଡିକାଲ ଅଫିସରଙ୍କ ଅଧ୍ୟକ୍ଷତାରେ କାମ କରିବ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏହାର ସହ-ଅଧ୍ୟକ୍ଷ ରହିବେ। ଗଠନ ହୋଇଥିବା ସମସ୍ତ କମିଟି ସିକିଲ୍‌ ସେଲ୍‌ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।