Posted inଫୁରସତ

ଖରାଛୁଟି: ଦିନେ ଆସୁଥିଲା ଆଞ୍ଜୁଳା ଆଞ୍ଜୁଳା ଖୁସି ନେଇ, ଏବେ ବଦଳିଯାଇଛି ସ୍ବରୂପ

ଖରାଛୁଟି!! ଆଃ!! କେବେ ସରିବ ପରୀକ୍ଷା। ଆରମ୍ଭ ହୋଇଯାଏ ଦିନଗଣିବା, ପରୀକ୍ଷାର ଶେଷ ଆଡ଼କୁ ଆଉ କ’ଣ ସତରେ ପାଠରେ ମନଲାଗେ, ମାମୁ ଘରକୁ ଯିବାର ଅଛି। ମାଉସୀ, ପିଉସୀ ଓ ତାଙ୍କ ପିଲାମାନେ ଆସିବାର ଅଛି। କଞ୍ଚା ଆମ୍ବ ଖାଇବା, ଖରାବେଳେ ପାଣିରେ ବୁଡ଼ିବା ପୁଣି ଗାଁ ଯାତ୍ରା। ଓଃ! କେତେ ସବୁର ପ୍ରସ୍ତୁତି। ସବୁଠୁ ବଡ଼ କଥା ପାଠ ପଢ଼ିବା ପାଇଁ ଆଉ କେହି ଗାଳିଦେବାର ନାହିଁ। ପାଠରୁ ଏକପ୍ରକାର ଛୁଟି। ଏମିତି ହିଁ ଦିନେ ଆସୁଥିଲା ଖରାଛୁଟି। ସକାଳୁ ଉଠି ପାଠ ପଢ଼ି ବସିବାର ଆକଟ ନାହିଁ। କି ସାରେ ବସି ଅଙ୍କ କଷିବାର ତାଗିଦା ନାହିଁ। ସାରାଦିନ ଖେଳ, ବୁଲ, ମସ୍ତି, ସାରେ ଗପ ଗାଁ ଯାତ୍ରା ବୁଲିବା ଭିତରେ କେତେବେଳେ ଆସିଯାଏ ପରୀକ୍ଷା ଫଳ ପ୍ରକାଶର ସମୟ। ପୁଣି ସ୍କୁଲ ଯିବାର ଚିନ୍ତା। ଖୋଜାପଡ଼େ ବହିଖାତା କଲମ ପେନସିଲ। ସରିଯାଏ ଖରାଛୁଟି। ଏମିତି ଏମିତିରେ କଟୁଥିବା ଖରାଛୁଟିର ସ୍ବରୂପ କିନ୍ତୁ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ପରୀକ୍ଷା ସରୁଛି, ଛୁଟି ଆସୁଛି କିନ୍ତୁ ହଜେଇ ଦେଇଛି ତା’ର ସ୍ବାଧୀନତା, ବିନ୍ଦାସପଣ। ହିସାବୀ ହୋଇଯାଉଛି ଛୁଟିର ଦିନଗୁଡ଼ାକ। ପାଠପଢ଼ା କୋଚିଂ ସେଣ୍ଟର, ଡ୍ୟାନ୍ସ କ୍ଲାସ ଆଉ ସମର୍‌ କ୍ୟାମ୍ପ ଭିତରେ ଛନ୍ଦି ହୋଇଯାଉଛି ଖରାଛୁଟି। ଆଉ ତା’ ସହିତ ଛନ୍ଦି ହୋଇ ଯାଉଛନ୍ତି କୁନି ପିଲାମାନେ। ବିଭିନ୍ନ ପ୍ରତିଯୋଗିତା ପୁଣି ପିଲାଟି କାଳେ ଅନ୍ୟ ପିଲାଙ୍କ ସହ ସମକକ୍ଷ ନ ହୋଇପାରିବ ଏମିତି ଭାବନାରେ ମାତାପିତା ବି ଖରାଛୁଟିକୁ ନେଇ ଗୋଟେ ଲମ୍ବା ପ୍ରସ୍ତୁତିରେ ଲାଗି ପଡନ୍ତି। ଛୁଟିଭିତରେ ସେ କ’ଣ ପାଠ ପଢ଼ିବ, କୋଉ କୋଚିଂ ସେଣ୍ଟର ଯିବ, ସମର କ୍ୟାମ୍ପ ଯିବ ନା ଡ୍ୟାନ୍ସ କ୍ଲାସ ନା ସୁଇମିଂ କ୍ଲାସ୍‌। ପୁଣି ଭୋରରୁ ଉଠି କରାଟେ କ୍ଲାସ। ପୂରା ଦିନ କାହା ପରେ କୋଉଟା କରିବା ଚିନ୍ତା, ଆଉ ଧାଁ ଧପଡ଼ ଭିତରେ ପିଲାଟି କଥା କେହି ଥରେ ବି ଶୁଣିବାକୁ ଚାହାନ୍ତି ନାହିଁ ଯେ, ଏଥର ଖରାଛୁଟି ସେ କେମିତି କାଟିବାକୁ ଚାହୁଁଛି। ଏହି ଧାରାର ଆରମ୍ଭ କେବଳ ପିଲାଙ୍କଠାରୁ ଖେଳିବା ବୁଲିବାର ଖୁସି ଛଡ଼େଇ ନେଇନି ପିଲାଙ୍କୁ ସମ୍ପର୍କଠାରୁ ବି ଦୂରେଇ ଦେଇଛି। ଏବେ ପରିସ୍ଥିତି ଏମିତି ହେଲାଣି ଯେ ସହରରେ ରହୁଥିବା ପିଲାମାନେ ଆଉ ଗାଁକୁ, ମାମୁଘର କି ମାଉସୀ ଘର ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତା’ବଦଳରେ ଘରେ ବସି ଟ୍ୟାବ କି ମୋବାଇଲରେ ଖେଳି ବେଶି ଖୁସି ହେଉଛନ୍ତି। ମା’ବାପା ବି ଘରକୁ କିଏ ବନ୍ଧୁ ଆସିଲେ ପିଲାଟିକୁ କୁହନ୍ତି, ପରୀକ୍ଷା ଅଛି ତୁ ଯା’ ପଢ଼ିବୁ। ସେମାନଙ୍କ ତାଗିଦାରେ ପିଲାଟି ନିଜ ଇଚ୍ଛା ଚାପି ବାଧ୍ୟ ସନ୍ତାନଟିଏ ହୋଇ ପଢ଼ି ବସୁଛି। ଆଉ ଆଗକୁ କେହି ସମ୍ପର୍କୀୟ ଆସିଲେ ପଢ଼ା ସମୟରେ ଅଭିଭାବକଙ୍କ ଡରରେ ଆଉ ତାଙ୍କ ପାଖକୁ ଆସିବାକୁ ଚାହୁଁନି। ପରବର୍ତ୍ତୀ ସମୟରେ ସେହି ପିଲାଟି ଆଉ ମିଶି ପାରୁନି ସମ୍ପର୍କୀୟଙ୍କ ସହ। ଦୋଷ କିନ୍ତୁ ହେଉଛି ପିଲାଟିର ଯେ, ତାକୁ କୁହାଯାଉଛି ସେ କାହା ସହିତ ମିଶିବାକୁ ଚାହୁଁନି କି ନିଜର ବୋଲି କାହାକୁ ଜାଣୁନି। ଆଗକୁ ଏଇୟା ହେଉଛି ଯେ କେବଳ ପାଠପଢ଼ା ଚାକିରିକୁ ସେ ଗୁରୁତ୍ୱ ଦେଉଛି। ତା ପାଇଁ ସମ୍ପର୍କର ମୂଲ୍ୟ କମି କମି ଯାଉଛି। ତାକୁ ଲାଗୁନି ଯେ ବାପା, ମା, ଦାଦା, ଖୁଡ଼ୀ ମଉସା ମାଉସୀଙ୍କ ପାଖକୁ ଯିବା, ତାଙ୍କ କଥା ବୁଝିବା ନିଜର କର୍ତ୍ତବ୍ୟ ଆଉ ଦାୟିତ୍ୱ ବି। ଏସବୁ ଦେଖିଲେ ଲାଗେ ପ୍ରଥମ ଭୁଲ୍‌ ଅଭିଭାବକଙ୍କର, କିନ୍ତୁ ସମସ୍ତେ କୁହନ୍ତି ଆଜିକାଲି ପିଲା ବଦଳି ଗଲେଣି, ବୁଢ଼ା ବାପା ମା’ଙ୍କୁ ପଚାରୁ ନାହାନ୍ତି। ସେମାନଙ୍କ ଭିତରେ ଭଲପାଇବା ନାହିଁ, ସ୍ବାର୍ଥପର ହୋଇ ଯାଉଛନ୍ତି। ନିଜ କ୍ୟାରିୟର ଛଡ଼ା ଆଉ କିଛି ଦେଖାଯାଉ ନାହିଁ। ଏମିତି ଭିନ୍ନ ଭିନ୍ନ ସମାଲୋଚନାର ଶିକାର ହେଉଥିବା ସେହି ପୁଅ ଝିଅଙ୍କର ମାନସିକତାରେ ଯେଉଁ ପରିବର୍ତ୍ତନ ଦେଖାଦେଇଛି ତା’ପାଇଁ ସତରେ କ’ଣ ସେମାନେ କେବଳ ଦାୟୀ ? ଆଜି ପରିବାରରେ, ସାମାଜିକ ସମ୍ପର୍କରେ ଯେଉଁ ଅବକ୍ଷୟ ହୋଇ ଚାଲିଛି ତା’ପାଇଁ କ’ଣ ରହିଛି କାରଣ ତାକୁ ଖୋଜିବା, ବୁଝିବା ନିହାତି ଆବଶ୍ୟକ। ପିଲାଙ୍କ ପାଠପଢ଼ା ଯେତିକି ଜରୁରୀ ସେତିକି ବି ଜରୁରୀ ଗୋଟେ ପିଲାର ପାରିବାରିକ ବନ୍ଧନ।
ଅପହୃତ ଅବକାଶ -ମାନମୟୀ ରଥ, ଅଧ୍ୟକ୍ଷା , ସେଣ୍ଟ ଜାଭିଅର, କିଡ୍ସ

ପିଲାଙ୍କ ଲାଗି ଖରା ଛୁଟି କାହିଁ ଯେ ! ଯାହା ବି ମିଳୁଚି ସେ ତ ପ୍ରାୟୋଜିତ ।
ଶିକ୍ଷକ ହୁଅନ୍ତୁ କି ଅଭିଭାବକ ଉଭୟେ ଛଡ଼େଇ ନେଉଛନ୍ତି ଶିଶୁଙ୍କଠାରୁ ଛୁଟି ମନେଇବାର ଖୁସି ଟିକକ ଯେମିତି। ବାର୍ଷିକ ପରୀକ୍ଷା ସରୁ ସରୁ ପରବର୍ତ୍ତୀ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ତୁରନ୍ତ ଆରମ୍ଭ କରିଦେବା, ଛୁଟିର ସମୟକୁ ମାପି ବିଦ୍ୟାଳୟ ତରଫରୁ ହୋମ୍‌ଓ୍ବାର୍କ ଦେବା, ସମର କ୍ୟାମ୍ପ ଆୟୋଜନ କରିବା ଭଳି କାମରେ ପିଲାଙ୍କ ଇଚ୍ଛା ଏବଂ ମନକୁ ବାନ୍ଧି ଦେଇଥାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଅଭିଭାବକମାନେ ବି ପିଲାଙ୍କ ପାଇଁ ଏକ ଲମ୍ବା ଲିଷ୍ଟ ତିଆରି କରି ଦିଅନ୍ତି। ଏଭଳି କରି ଉଭୟ ଶିକ୍ଷକ ଏବଂ ଅଭିଭାବକମାନେ ପିଲାଙ୍କ ପ୍ରତି ସେମାନଙ୍କ ଦାୟିତ୍ୱ ସମ୍ପାଦନ କଲେ ବୋଲି ମନେ କରନ୍ତି। କିନ୍ତୁ ବାସ୍ତବରେ ଏହା ମାଧ୍ୟମରେ ପିଲାଙ୍କଠାରୁ ସେମାନଙ୍କ ଛୁଟି କାଟିବାର ମୌଳିକ ଅଧିକାର ଛଡ଼େଇ ନିଅନ୍ତି ବୋଲି ମୋର ମନେହୁଏ । ବସ୍ତୁତଃ ପିଲାଏ ପରିସ୍ଥିତି ସହ ଏଭଳି ଅଭ୍ୟସ୍ତ ହୋଇଗଲେଣି ଯେ ଏପରି ଏକ ସୁଖଦ ଅବସର ସେମାନଙ୍କ ଲାଗି ଅଭିପ୍ରେତ ବୋଲି ବୁଝିବାକୁ ମଧ୍ୟ ଅବସର ପାଆନ୍ତି ନାହିଁ । ଦିନେ କିନ୍ତୁ ଅପେକ୍ଷା ରହୁଥିଲା କେମିତି ପରୀକ୍ଷା ସରିବ ଆଉ ଆରମ୍ଭ ହେବ ଖରାଛୁଟି । ବୁଲା ହେବ ମାମୁ କି ମାଉସୀଙ୍କ ଗାଁ, ତୋଳା ହେବ ଆମ୍ବ। ଖୋଜା ହେବ ଜାମୁକୋଳି, କେନ୍ଦୁ, ତରଭୁଜ । ଖିଆ ହେବ କାଠିଲଗା ଆଇସକ୍ରିମ । ଖରା ଶୋଷି ନେଇଥିବା ପୋଖରୀରେ ଅଳ୍ପ ପାଣିରେ ନିଧଡକ ବୁଡ଼ାହେବ ଖରାବେଳେ। ଜେଜେମା’ କି ଆଈଙ୍କଠାରୁ ଶୁଣା ହେବ ରାତିଠାରୁ ଅଧିକ ଲମ୍ବା କାହାଣୀ । ଛୁଟି କାଟିବାର କଳ୍ପନାରେ ଢେର ଦିନ ଆଗରୁ ଆମେ ପିଲାଏ ମସଗୁଲ ରହୁଥିଲୁ। ସେବର ଅଭିଭାବକମାନେ ପିଲାଙ୍କ ସମୟରେ କମ୍‌ ନାକ ଗଳାଉଥିଲେ। ହେଲେ ଆଜିର ଅଭିଭାବକମାନେ ପ୍ରତିଯୋଗିତାକୁ ଆଖିରେ ରଖି ପିଲାଙ୍କଠାରୁ ସନ୍ତର୍ପଣରେ ଅପହରଣ କରି ନେଇଆସୁଛନ୍ତି ସେମାନଙ୍କ ଛୁଟି। ପିଲାଙ୍କୁ ନିଜେ ନିଜର ହେବାକୁ ଦେଇ ଉଭୟ ଅଭିଭାବକ ଓ ଶିକ୍ଷକ ମାଲିକ ନୁହେଁ ମାର୍ଗଦର୍ଶକ ହେଲେ ଭଲ ହୁଅନ୍ତା । ଛୁଟି ସମୟତକ ମୁରବି ଓ ଶିକ୍ଷକମାନେ ପିଲାଙ୍କ ସହିତ ସମୟ କାଟିପାରିଲେ ଛୁଟିର ନିଆରା ଆନନ୍ଦ ମିଳିପାରନ୍ତା ।
ଟିୟୁସନ ଓ କୋଚିଂ ସେଣ୍ଟରର ନିର୍ଦ୍ଦିଷ୍ଟ ସମୟସୀମା ରହୁ
-ମାନସୀ ପାଢୀ, ସଦସ୍ୟା, ଶିଶୁକଲ୍ୟାଣ ସମିତି

ଆମେ ତାଳଚେର କାଲ୍‌ଟାରେ ରହୁଥିଲୁ। ବାପା ଥିଲେ ମାଇନିଂ ଇଞ୍ଜିନିୟର। ଚାରି ଭାଇଭଉଣୀ। ସେତେବେଳେ ସ୍କୁଲର ଖରାଛୁଟି ଅର୍ଥାତ୍‌ ନିର୍ଧୂମ ବୁଲାବୁଲି। ଖେଳିବା, ବୁଲିବା, କୋଳି ତୋଳିବା ଏସବୁ ଭିତରେ ଖରାଛୁଟି କେମିତି କଟି ଯାଉଥିଲା ଜଣାପଡୁ ନ ଥିଲା। ଏବେ କିନ୍ତୁ ପିଲାଙ୍କୁ ଦେଖି ଦୁଃଖ ଲାଗୁଛି। ପ୍ରତିଯୋଗିତାର ଚାପ ଆଗରେ ପିଲାଙ୍କୁ ଛୁଟି ଭିତରେ ପାଠ ପଢେଇବାକୁ କୋଚିଂ ସେଣ୍ଟରରେ ଛାଡ଼ିବାକୁ ମା’ବାପା ବାଧ୍ୟ ହେଉଛନ୍ତି। କାହିଁକିନା ନିଜ ପିଲାଟି ଅନ୍ୟ ପିଲାଙ୍କଠାରୁ ପଛରେ ପଡ଼ିଯିବ। ଟିୟୁସନ୍‌ ଓ କୋଟିଂ ସେଣ୍ଟର ଭିତରେ ପିଲାଟିର ଖେଳିବା ତ ଦୂରର କଥା ଖାଇବାକୁ ବି ସମୟ ରହୁନି। ଏ ଭିତରେ ସେ ପାଠକୁ କେତେ ଗ୍ରହଣ କରୁଛି ତା’ ଭିତରେ କେତେ ଚାପ ବଢୁଛି ସେ କଥା କେହି ବୁଝିବାକୁ ନାରାଜ। ଅନେକ ସମୟରେ ଦୁଃଖ ଲାଗିଲେ ବି ଯେମିତି ଉପାୟ ନାହିଁ। ତେଣୁ ମୋ ମତରେ ଶିକ୍ଷାବର୍ଷକୁ ଆଉ ଗୋଟେ ମାସ ଘୁଞ୍ଚାଇ ଦେଲେ ଭଲ ହୁଅନ୍ତା। ପିଲାମାନେ ଗୋଟେ ମାସ ନିଜ ପାଇଁ ବଞ୍ଚିପାରନ୍ତେ। ଆଉ କୋଚିଂ ସେଣ୍ଟର ବି ବ୍ୟବସାୟିକ ଦୃଷ୍ଟିକୋଣକୁ ଦେଖି ମନଇଚ୍ଛା ସମୟ ରଖୁଛନ୍ତି; ଯେଉଁଥିପାଇଁ ପିଲାଟି ସ୍କୁଲରୁ ଆସି ପୋଷାକ ବଦଳାଇ ଖାଇବା ପାଇଁ ବି ସମୟ ପାଉ ନାହିଁ। ସେଥିରେ ସେ ପଢ଼ିବାକୁ ଗଲେ କ’ଣ ସେ ପାଠରୁ ଗ୍ରହଣ କରୁଥିବ? ତେଣୁ ଟିୟୁସନ୍‌ କୋଚିଂ ସେଣ୍ଟରର ଗୋଟେ ନିର୍ଦ୍ଦିଷ୍ଟ ସମୟସୀମା ନିହାତି ରହୁ। ପିଲାଟି ତା’ ନିଜକୁ ଜାଣିବାକୁ, ନିଜକୁ ବୁଝିବାକୁ, ତାକୁ କିଛି ସମୟ ଦେବା ନିହାତି ଦରକାର। ନଚେତ୍‌ କ୍ୟାରିୟର ନାଁରେ ତା’ ଭବିଷ୍ୟତ ନଷ୍ଟ ହୋଇଯିବ।

ଗପ ପରି ଲାଗେ ସେଦିନର ଖରାଛୁଟି- ଅଲେଖ ମିଶ୍ର,ଲେଖକ
ଭୁବନେଶ୍ୱରର ୟୁନିଟ୍‌ ୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଷ୍ଟାଣ୍ଡାର୍ଡ ଓ୍ବାନରେ ପଢୁଥିବା ମୋର ଛୋଟ ନାତିଟିର କେଜାଣି କାହିଁକି ପୁରୁଣାକାଳିଆ ଗପ ଶୁଣିବାରେ ପ୍ରବଳ ଆଗ୍ରହ। ତେଣୁ ପ୍ରତିଦିନ ସଞ୍ଜ ହେଲା ମାତ୍ରେ ଗପ ଶୁଣିବା ପାଇଁ ସେ ମତେ ଅଥୟ କରିପକାଏ। ଏ ବର୍ଷ ତ ତା’ର ବର୍ଷସାରା ଛୁଟି। ତେଣୁ ତା’ର ଗପ ଶୁଣିବାର ଅବଧି ବଢ଼ିଯାଇଛି। ଦିନେ ସେ ଜିଦ୍‌ କଲା, ଆଜି ଗୋଟିଏ ନୂଆ ଗପ କୁହ। ମୁଁ କହିଲି, ଦୁଃଖ କହିବି ନା ସୁଖ କହିବି? ଯାହା ଅଙ୍ଗେ ନିଭେଇଛ ସେୟା କହିବି। ଏହାର ମର୍ମ ସେ ବୁଝିଲା କି ନାହିଁ କେଜାଣି ହଠାତ୍‌ କହିଲା, ଏତେ ଲମ୍ବା ଛୁଟି! ମୁଁ ତ ବୋର ହୋଇଗଲିଣି । ତୁମେ ତ କହୁଥିଲ ପିଲା ଦିନେ ତୁମେ ଗାଁରେ ରହୁଥିଲ। ତେବେ ତ ତୁମେ ଆହୁରି ବୋର ହୋଇ ଯାଇଥିବ? ମୁଁ କହିଲି- ଆରେ ନା, ନା, ଆମ ପିଲାଦିନ ଏମିତି ନ ଥିଲା। ଛୁଟି ଯେତେ ଲମ୍ବା ହେଉଥିଲା ତା’ର ମଜା ସେତେ ବଢ଼ି ଚାଲୁଥିଲା। ଆଉ ଛୁଟି ସରିଆସିଲା ବେଳକୁ ଆମେ ଦୁଃଖରେ କାନ୍ଦି ପକାଉଥିଲୁ।
ସେଦିନ ନାତି ଆଗରେ ଯାହା ସବୁ କହିଥିଲି ତାହା ଥିଲା ମୋର ଅଙ୍ଗେନିଭା ଦୀର୍ଘ ୭୦-୭୫ ବର୍ଷ ତଳର କଥା। ଅବିଭକ୍ତ କଟକ ତଥା ଅଧୁନା କେନ୍ଦ୍ରାପଡା ଜିଲା ଅନ୍ତର୍ଗତ କରିଲୋପାଟଣା ଗ୍ରାମରେ ମୋର ଜନ୍ମ। ଗାଁଟିର ପଶ୍ଚିମ ଓ ଉତ୍ତର ଦିଗରେ ବହିଯାଉଥିଲା କରାଣ୍ଡିଆ ନଦୀ, ଅନ୍ୟପାର୍ଶ୍ୱରେ ଶଶ୍ୟ ଶ୍ୟାମଳା ବିସ୍ତୀର୍ଣ୍ଣ ଚାଷ ଜମି, ଗାଁ ମୁଣ୍ଡରେ ଗ୍ରାମ ଦେବତା କ୍ଷେତ୍ରପାଳଙ୍କ ମନ୍ଦିର, ଝଙ୍କାଳିଆ ବରଗଛ । ଆମ୍ବତୋଟା, ବିଭିନ୍ନ ପ୍ରକାର ଫଳ ଓ ଫୁଲର ବଗିଚା ଏଭଳି ନୈସର୍ଗିକ ଶୋଭାରାଶିର ସମାବେଶ ସେତେବେଳର ଗ୍ରାମ୍ୟ ଜୀବନକୁ ଏତେ ଆକର୍ଷଣୀୟ କରି ଗଢ଼ି ତୋଳିଥିଲା ଯେ, ତାରି କୋଳରେ ବିତେଇ ଥିବା ଶୈଶବକୁ ଭୁଲିବା ସମ୍ଭବ ନୁହେଁ । ବିଶେଷକରି ଗ୍ରାଷ୍ମ ଋତୁରେ ନଦୀର ପାଣି ଠାଏ ଠାଏ ଶୁଖିଯାଇ ବାଲିସର ଦିଶେ। ତାରି ଉପରେ ଚାଲି ଚାଲି ନଦୀର ଅପର ପାର୍ଶ୍ୱରେ ଥିବା ଗାଁକୁ ଚାଲିଯାଉ। ଏତିକି ବେଳେ କଟକରେ ଚାକିରି କରୁଥିବା କକେଇଙ୍କ ପରିବାର ଗାଁକୁ ଆସନ୍ତି। ତାଙ୍କ ସହିତ ମିଶି ନଈରୁ ମାଛଧରୁ। ଖରାବେଳ ନଡ଼ିଆ ଚାଞ୍ଚରା (ନଡ଼ିଆପତ୍ରର ସପ) ଉପରେ ଆମ୍ବତୋଟାରେ ଶୁଅନ୍ତି ଜେଜେ । ଆମ୍ବ ପଡ଼ିଲେ ତାକୁ ସାଇତି ରଖି ଆମକୁ ଦିଅନ୍ତି । ଏତିକିବେଳେ ପାଚେ ଆମ୍ବ, ପଣସ, ପିଜୁଳି ଆଦି ବିଭିନ୍ନ ପ୍ରକାର ଫଳ। ଆଉ ମଲ୍ଲୀ, ଚମ୍ପା ପରି ସୁବାସିତ ଫୁଲର ସୁଗନ୍ଧରେ ସାରା ଗାଁ ମହକି ଉଠୁଥାଏ। ତାରି ଭିତରେ ଆସିଯାଏ ରଜ ମଉଜ। ସଜବାଜ ଦିନଠାରୁ ଭୂଦାହ ପଯର୍‌ୟନ୍ତ ଚାରିଦିନ କେମିତି କଟିଯାଏ ଜଣାପଡେନା। ରଜଦୋଳି, ପଶା, ଲୁଡୁ, ବାଗୁଡ଼ି, ବୋହୂ ଚୋରି ଇତ୍ୟାଦି ଖେଳରେ ମାତିଯାଆନ୍ତି ପିଲା ବୁଢ଼ା ସମସ୍ତେ। ଗାଁ ପୋଖରୀ, ଜୋର ଗୋଳିଆ ହୋଇ ମାଛ ଧରାହୁଏ। ରାତିରେ କାଳି ଜହ୍ନରେ ତାସ ଖେଳର ଆସର ଜମେ । ରଜ ସରିଲା ପରେ ପରେ ହଠାତ୍‌ ପିଲାଙ୍କ ମନରେ ଆସିଯାଏ ଦୁଃଖ। କାହିଁକି ନା ଖୋଲିଯାଏ ସ୍କୁଲ।
ଆନନ୍ଦରେ ନାଚି ଉଠିଲା ନାତିଟି। ଏତେ ବଢ଼ିଆ ଗପ ମୁଁ କେବେ ବି ଶୁଣି ନ ଥିଲି। ମତେ ଟିକେ ତୁମ ଗାଆଁକୁ ନେଇଯିବ? ମୁଁ ଟିକେ ସେହିଭଳି ମଜା କରନ୍ତି। କି ଉତ୍ତର ଦେବି ତାକୁ ? ଓଦା ହୋଇ ଆସୁଥିବା ଆଖିରେ ଝାପ୍ସା ହୋଇ ଯାଉଥିଲା ଦୂରରୁ ଦୂରକୁ ଅପସରି ଯାଉଥିବା ଗାଁର ସେହି ଅଭୁଲା ସ୍ମୃତି, ଅଲିଭା ଅନୁଭୂତି, ମନ କହୁଥିଲା- ଆ… ସେସବୁଥିରୁ କେତେ ବଞ୍ଚିତ ଏମାନେ !
ଖରାଦିନ ତାଙ୍କ ପାଇଁ
ଉପହାର ହେଉ
-ସ୍ବପ୍ନା ବେହେରା, ଅବସରପ୍ରାପ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷୟିତ୍ରୀ, ଇନର୍‌ ଚାଇଲ୍ଡ ପ୍ରେସ୍‌ ୟୁ.ଏସ୍‌.ର ଭାରତ ଓ ଦକ୍ଷିଣ ପୂର୍ବ ଏସିଆର କଲ୍ଚରାଲ୍‌ ଆମ୍ବାସଡର୍‌

ଖରାଛୁଟି ଏକ ବିରତି। ପାଠ ପଢୁଥିବା ଛୋଟ ପିଲାଟିର ମାନସିକ, ଶାରୀରିକ ଧାଁ ଦଉଡ଼ରୁ ଅଳ୍ପ ବିରାମ। ସ୍କୁଲ୍‌ ବସ୍‌ ପାଇଁ ଅପେକ୍ଷା ନାହିଁ। ହୋମ୍‌ ଓ୍ବାର୍କର ଚାପ ନାହିଁ। ଗୋଟିଏ ଶିକ୍ଷା ବର୍ଷ ପରେ ପରେ ମନ ମଉଜର ସୁଯୋଗଟିଏ। କିନ୍ତୁ ଏ ଘୋଡ଼ା ଦୌଡ଼ରେ ଭଲା ପିଲାଟିର ମତାମତ ଓ ନିଜ ଇଚ୍ଛା ମତେ ଖରାଛୁଟି କଟାଇବାର ଅବକାଶ କାହିଁ? ପାଟି ମେଲାଇ ଚାହିଁ ବସିଛି ସମର୍‌ କ୍ୟାମ୍ପ, ନାଚ, ଗୀତ, ପହଁରା କ୍ଲାସ। ଚକ୍ରବୃଦ୍ଧି ଶୁଦ୍ଧ ହାରରେ ସେଇ ଚାପ ବଢ଼େ। ଅଳ୍ପ ଦିନରେ ସବୁକିଛି ସାରିବାକୁ ହେବ। ଆସନ୍ତା ଶ୍ରେଣୀର ପାଠ ବି। ପିଲାଟି ତ ନିରୀହ, ତା’ ଇଚ୍ଛା, ତା’ ଯୋଜନାକୁ ପଚାରେ କିଏ? ଆମେ କହୁ ବେଶି, ତାଙ୍କ କଥା ଶୁଣୁ କମ୍‌। ଦିନସାରା ସେ କେବଳ ଶୁଣୁଥାଏ ନୀରବରେ ସମସ୍ତଙ୍କ କଥା। ଥରେ ପଚାରିବା ଏ ଖରାଛୁଟିରେ ତା’ର ଯୋଜନା କ’ଣ? ଆମ ଯୋଜନା ତା’ ମନକଥା ଉପରେ ଘୋଡ଼ା ସବାର ହେଉନି ତ? ହୁଏତ ସେ ଶୋଇବାକୁ ଚାହେଁ ଅଧିକ ସମୟ, ଗପିବାକୁ ଚାହେଁ ସାଙ୍ଗ ସହ। ହୁଏତ ସେ ବିରତି ଚାହେଁ। ଆଗକୁ ସେମାନେ ସଂସାର ଚଳାଇବେ। ଜଟିଳ କଥାର ସିଦ୍ଧାନ୍ତ ନେବେ। ଜୀବନ ଜିଇବା ଏକ କଳା ମାତ୍ର କେମିତି ଜିଇବେ ଏହା ଏକ ବିଜ୍ଞାନ। ଖରାଛୁଟିରେ ପିଲାଏ ହସନ୍ତୁ, ଗାଆନ୍ତୁ, ଶଗଡ଼ ଗୁଳାରୁ ବାହାରନ୍ତୁ। ପ୍ରକୃତି ସହ ସମୟ କଟାନ୍ତୁ। ପ୍ରକୃତି ତ ମହାଗୁରୁ। ପ୍ରକୃତି ଭଲ ପାଇବା ଶିଖାଏ। ପିଲାଏ ନେତୃତ୍ୱ ନିଅନ୍ତୁ। ଆଦେଶ ଦିଅନ୍ତୁ। ଆମେ ମାନିବା। ଜୀବନ ଛୋଟ ଛୋଟ ମୁହୂର୍ତ୍ତକୁ ନେଇ ଗଢ଼ା। ଏ ମୁହୂର୍ତ୍ତ ସବୁ ଲଗାମ ନୁହେଁ, ମାତ୍ର ତାଙ୍କ ଜୀବନର ମହାର୍ଘ ଇନାମ। ଏଇ ଖରାଛୁଟିଟି ତାଙ୍କ ପାଇଁ ଉପହାର ହେଉ। ହୁଏତ ଆସନ୍ତାକାଲି ଏହି ଖରାଛୁଟି ହିଁ କିଛି କଳାକାର, ନାଟ୍ୟକାର, କୁଶଳୀ କାରିଗର, ବୈଜ୍ଞାନିକ, ଲେଖକ ବା ବକ୍ତା ତିଆରି ନ କରିବ କିଏ କହିବ। ପିଲାଏ ହସିଲେ ଦେଶ ହସିବ। ଏ ଖରାଛୁଟି ସେମାନଙ୍କୁ ନିରୁତା ହସର ସୁଯୋଗ ଦେଉ।
ପିଲାଙ୍କ ଚାପ ଅନୁଭବି ହୁଏ କିନ୍ତୁ
ଅସହାୟ ଲାଗେ
-ସଂଘମିତ୍ରା ରାଏଗୁରୁ,ଅଭିଭାବକ

ଦିନ ଥିଲା ଖରାଛୁଟି କହିଲେ ମାମୁ ଘରକୁ ଯିବା ହିଁ ମୁଖ୍ୟ ଥିଲା। ଦୋଳିଖେଳ, ତାଳ ସଜ, ସାଙ୍ଗସାଥୀ, ଲୁଡ଼ୋ, ପୁଚି, କଉଡ଼ି, ବାଗୁଡ଼ି ଖେଳର ଆସର ଜମୁଥିଲା ଗାଁ ଦାଣ୍ଡରେ। ଆଃ କେତେ ଖୁସି, କି ଆନନ୍ଦ…। ମୋଟାମୋଟି କହିବାକୁ ଗଲେ ଖରା ଛୁଟି ଥିଲା ପିଲାବେଳର ଜହ୍ନ-ଯା’ର ଅପେକ୍ଷାରେ କଟୁଥିଲା ରାତି ଆଉ ଦିନ। ଧୀରେ ଧୀରେ ବଦଳିଛି ସମୟ, ବଦଳିଯାଇଛି ଖରାଛୁଟିର ସଂଜ୍ଞା। ଏବେ ଖରାଛୁଟିରେ ଡେରା ଜମେଇଛନ୍ତି ସମର କ୍ଲାସ, ପାଠ୍ୟକ୍ରମ ଆଗୁଆ ଶେଷ କରିବାର ଟିୟୁସନ କ୍ଲାସ, କ୍ରିଏଟିଭ କ୍ଲାସ ଆଦି ଅନେକ …। ପିଲାମାନେ ଦବି ଯାଇଛନ୍ତି ଅଭିଭାବକଙ୍କ ସ୍ବପ୍ନର ସୌଧ ତଳେ। ଆଉ ଅଣନିଃଶ୍ୱାସୀ ହୋଇ ଦଉଡୁଛନ୍ତି ଅନବରତ। ସମୟର ଚାପରେ ଖରାଛୁଟି ଉଭାନ କହିଲେ ଚଳେ । ଦାୟୀ କିଏ? ଅଭିଭାବକ ନା ପ୍ରତିଯୋଗିତାମୂଳକ ସମୟ। ବୋଧେ ସମୟ, ଯାହାର ଡାକରାରେ ଅଭିଭାବକ ଅସହାୟ ଆଉ ଏଇ ଅସହାୟତାର ଶିକାର ପିଲା ଆଉ ଖରାଛୁଟି । ଅନେକବାର ବିଚଳିତ ହୁଏ ମନ। ପିଲାଙ୍କ ଉପରେ ଥିବା ଚାପ ଅନୁଭବି ହୁଏ। ହେଲେ ନିଜ ପିଲା ପଛରେ ପଡ଼ିଯିବାର ଭୟରୁ ମୁକୁଳେଇ ହୁଏନି ନିଜକୁ। ବୋଧେ ଆଗେଇ ଯିବାର ଲୋଭ ଉପରେ ଅଙ୍କୁଶ ଲଗେଇ ହୁଏନା। ଛଟପଟ ଲାଗେ କିନ୍ତୁ ଅସହାୟତା ଆବୋରି ବସେ।
ଏକଥା ସତ ଯେ, ପ୍ରତିଯୋଗିତା ଯେଉଁଭଳି ଭାବରେ ବଢ଼ିଛି ପିଲାଙ୍କୁ ଅଧିକରୁ ଅଧିକ ସମୟ ପାଠ ପଢ଼ିବାକୁ ହେବ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ହେବ, କିନ୍ତୁ ଥରଟେ ବାପା ମା’ ଭାବିବା ଦରକାର ଯେ, ସବୁପିଲା ସମାନ ନୁହନ୍ତି। ଅତ୍ୟଧିକ ପାଠପଢ଼ା ଚାପ ତା’ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପରିବର୍ତ୍ତେ ନଷ୍ଟ କରି ଦେଇପାରେ। ତା’ ପିଲାଦିନକୁ ମନେପକେଇବା ପାଇଁ କିଛି ସୁଖଦ ମୁହୂର୍ତ୍ତ ତା’ ପାଇଁ ରହୁ। ତା’ ଭିତରେ ଅନ୍ୟମାନଙ୍କୁ ଆପଣାର କରିବା ପାଇଁ ମନଟିଏ ରହୁ। ତାକୁ ଅନ୍ୟମାନଙ୍କଠାରୁ ଅଲଗା ନ କରି ସମସ୍ତଙ୍କ ସହ ବଞ୍ଚିବା ଶିଖାନ୍ତୁ। ସେଇଥିରେ ହିଁ ତା’ର ବୌଦ୍ଧିକ ବିକାଶ ହେବ, ସେ ମଣିଷଟିଏ ପରି ମଣିଷ ହେବ।

-ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri