Posted inଫୁରସତ

ଅବସର ପରେ…

ଜୀବନ କର୍ମମୟ । କର୍ମ ହିଁ ଜୀବନ । ତେଣୁ ମଣିଷ କାମ କରେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିଲା ପରେ ଧାଁ ଦଉଡ଼ ଜୀବନରୁ ସେ ନିଏ କିଛିଟା ବିରତି । ତେବେ କେତେଜଣ ବ୍ୟକ୍ତି ବିଶ୍ୱାସ କରନ୍ତି ଭାଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିବା-‘କର୍ମଣ୍ୟଓ୍ବୋଧିକାରସ୍ତେ ମା ଫଲେଷୁ କଦାଚନ’ ବଚନକୁ। ତେଣୁ ସେମାନେ ଅବସର ପରେ ବି କରିଚାଲନ୍ତି କର୍ମ। ଆଉ ପ୍ରତି ବଦଳରେ ରଖନ୍ତି ନାହିଁ ଫଳର ଆଶା…

ଭାଗବତ ଟୁଙ୍ଗି ପ୍ରତିଷ୍ଠା, ଶବଦାହ ଓ ମାଗଣା ଶିକ୍ଷାଦାନରେ କଟୁଛି ଅବସର: ଅବସର ପୂର୍ବରୁ ଅବସର ନେଇ ନାନା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ହେଁ ତାରି ଭିତରେ ସେ ଖୋଜି ପାରିଥିଲେ ସମାଜ ସେବାର ବାଟ। ସେ ହେଉଛନ୍ତି ଲେଖକ ତଥା ସମାଜସେବୀ ବଦ୍ରୀ ମିଶ୍ର। ସେ କୁହନ୍ତି,‘ମୋ ଘର ପୁରୀ ଦୋଳମଣ୍ଡପ ସାହି, ମନ୍ଦିର ମାର୍ଗରେ। ବନ ବିଭାଗରେ ବଡ଼ବାବୁଭାବେ ଚାକିରି କରୁଥିଲି। ବୟସ ଅନୁଯାୟୀ ଚାକିରିରେ ଥିଲେ ଅବସର ନେଇଥାନ୍ତି ଫେବୃୟାରୀ ୨୦୧୯ରେ। ହେଲେ ୨୦୦୪ରେ କୋରାପୁଟର, ନବରଙ୍ଗପୁରକୁ ମୋର ବଦଳି ହୋଇଯାଇଥିଲା। ପିଲାଙ୍କ ପଢ଼ାରେ ଅସୁବିଧା ହେବ ଭାବି ନବରଙ୍ଗପୁର ଅଫିସରେ ଆଉ ଯୋଗ ଦେଲିନି। ସେଦିନ ଥିଲା ମୋ ଅବସରର ପ୍ରଥମ ଦିନ। ଏଭଳି ଚାକିରି ଛାଡ଼ିଥିବାରୁ ମିଳିଲାନି ଗ୍ରାଚ୍ୟୁଟି କି ପେନ୍‌ସନ୍‌। ସେତେବେଳେ ପ୍ରୋଭିଡେଣ୍ଟ ଫଣ୍ଡରେ ଥିଲା ମାତ୍ର ୧୭ ଟଙ୍କା। ମୁଣ୍ଡ ଗୁଞ୍ଜିବାକୁ ଘରଟେ ବ୍ୟତୀତ ନା ଥିଲା ଜମିବାଡ଼ି କି ଭଡ଼ାଘର ଦେବାକୁ ଅଧିକ ଘର। ଅନେକ ଡିଗ୍ରୀଧାରଣ କରି ଉଚ୍ଚଶିକ୍ଷିତ ଥିବାରୁ ସହରରେ ଛୋଟମୋଟ କାମ କରିବାକୁ ଭଲ ଲାଗି ନ ଥିଲା। ଏଣେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଥିଲା। ଏମିତି ବି ସମୟ ଆସିଥିଲା, ଇଚ୍ଛା ହେଉଥିଲା ଆତ୍ମହତ୍ୟା କରିବାକୁ। ଶେଷରେ ସମାଜ, ଆତ୍ମୀୟସ୍ବଜନଙ୍କଠାରୁ ଦୂରେଇ ନାଉଗାଁ, ଯାଜପୁର କଳିଙ୍ଗନଗର ଯାଇ ମୂଲ ଲାଗିବାକୁ ପଡ଼ିଲା। ଦିନରେ କାମ କରି ରାତିରେ ଭାଗବତ ଟୁଙ୍ଗିରେ ଶୋଉଥିଲି। ମଝିରେ ମଝିରେ ଘରକୁ ଆସୁଥିଲି। ଖରାପ ଲାଗୁଥିଲା ମୂଲ ଲାଗିବାକୁ କିନ୍ତୁ ପରିବାର ଚଳାଇବା ପାଇଁ ବାଧ୍ୟ ହେଲି ଏହି କାମ କରିବାକୁ। ତେବେ ପ୍ରଭୁ ଶ୍ରୀ ଜଗନ୍ନାଥ ଅନେକ ସମୟରେ ବିଭିନ୍ନ ମାଧ୍ୟମରେ ସାହାଯ୍ୟ କରିଛନ୍ତି। ଯେମିତି କି ଝିଅ ବାହାଘର ବେଳେ ଏମିତି ପରିସ୍ଥିତି ହୋଇଥିଲା ଯେ ହଠାତ୍‌ ଜଣେ ୪ ଲକ୍ଷ ଟଙ୍କା ଦେଇଥିଲେ ସୁନା କିଣିବାକୁ। ପୁଅ ବାହାଘର ବେଳେ ବି ସେମିତି କିଛି ଚମତ୍କାର ଘଟିଥିଲା। ବଡ଼ ବଡ଼ ଅସୁବିଧା ସମୟରେ ମହାପ୍ରଭୁ ମତେ ବାଟ କଢ଼େଇ ନେଇଛନ୍ତି। ଏଇ ସଫାରି ପିନ୍ଧା, ମୋଟର ସାଇକେଲ ଚଳାଉଥିବା ମଣିଷ ଯେ ଦୀର୍ଘ ୧୭ ବର୍ଷ ହେବ ମୂଲ ଲାଗି ପରିବାର ଚଳଉଛି ଅନେକେ ବିଶ୍ୱାସ ନ କରିପାରନ୍ତି। ହେଲେ ମୁଁ କେତେବେଳେ ଇଟା ବୁହେ ତ କେତେବେଳେ ପରିବା ବିକେ। କେତେବେଳେ କମାରଶାଳରେ ଲୁହା ବାଡ଼ାଏ। ପୁଣି କେତେବେଳେ ବାଉଁଶ କାଟେ। ଏବେ ବୟସ ୬୩ ହେଲାଣି। ଆମେ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀଙ୍କ ଖର୍ଚ୍ଚ ପରେ ଯାହା ବଳିଯାଏ ସେଥିରେ କିଣାହୁଏ ଗଛ, ବହି ଖାତା, ଭାଗବତ। ସମଗ୍ର ଓଡ଼ିଶା ବୁଲି ମାଟିଖୋଳେ, ଗଛ ଲଗାଏ ଓ ଗଛ ବଢ଼ାଏ। ଏବେ ସେ ଗଛର ସଂଖ୍ୟା ହେଲାଣି ୧ ଲକ୍ଷ ୧୧ ହଜାର ୮୨(୨୪ା୯ା୨୦୨୧ସୁଦ୍ଧା)। ଏଥିପାଇଁ ମିଳିଛି ନାଲ୍‌କୋ ସମ୍ମାନ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁରସ୍କାର। କେବଳ ଗଛ ନୁହେଁ, ଗରିବ ଖଟିଖିଆ ମଣିଷର ମେଧାବୀ ପୁଅ-ଝିଅଙ୍କୁ ମୁଁ ପାଠ ପଢ଼ାଏ। ସେମାନଙ୍କୁ ମୋର ବଳକା ଅର୍ଥରେ ବହି ଖାତାଠାରୁ ଆରମ୍ଭ କରି ସ୍କୁଲ ଫି’ ଦିଏ। ଏବେ ଏଭଳି ପିଲାଙ୍କ ସଂଖ୍ୟା ହେଲାଣି ୧୦୮୬। ତନ୍ମଧ୍ୟରୁ ଅନେକେ ଚାକିରି କଲେଣି। ଏଥିପାଇଁ ମିଳିଛି ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର। ମୋର ଅନ୍ୟ ଏକ ନିଶା ଶବଦାହ କରିବା। ଭଜନ ସମ୍ରାଟ ଭିକାରୀ ବଳଙ୍କଠାରୁ ଆରମ୍ଭ କରି ରଘୁନାଥ ପାଣିଗ୍ରାହୀ, ଅକ୍ଷୟ ମହାନ୍ତିଙ୍କ, ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଶବଦାହ କରିଛି। ତା’ସହ ଅଜଣା ଦୁର୍ଘଟଣାଗ୍ରସ୍ତ ମଣିଷ ଓ ଡାକ୍ତରଖାନାର ଅଚିହ୍ନା ରୋଗୀଙ୍କ ଶବଦାହ ବି କରେ। ଏଥିପାଇଁ କିଣେ କାଠ, ଘିଅ ଓ ଝାଉଁ ବରଡ଼ା। ଏହି ଶବଦାହ ସଂଖ୍ୟା ୧୧୨୬ରେ ପହଞ୍ଚତ୍ଲାଣି। ଏହି କାମ ପାଇଁ ମିଳିଛି ରାଜ୍ୟ ସମାଜସେବା ପୁରସ୍କାର। ଏହାବ୍ୟତୀତ ଗାଁରେ ଭାଗବତ ଟୁଙ୍ଗୀ ଓ ରାଜ୍ୟ ବାହାରେ ବି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରିଛି। ୨୮ା୮ା୨୦୧୧ ସୁଦ୍ଧା ଓଡ଼ିଶାରେ ୬୮୭ଟି ଭାଗବତ ଟୁଙ୍ଗୀ ଓ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଜମ୍ମୁ ଓ ହିମାଚଳ ପ୍ରଦେଶ ଭଳି ୬ଟି ରାଜ୍ୟରେ ହୋଇପାରିଛି ଭାଗବତ ଟୁଙ୍ଗୀ। ଏଥିପାଇଁ କିଣେ ଭାଗବତ ଓ ମାଇକ ସେଟ୍‌। ଯେବେ କିଛି କାମ ନ ମିଳେ ଗାଁ ଗାଁ ବୁଲି ରକ୍ତଦାନର ସଚେତନତା ବାର୍ତ୍ତା ପ୍ରଚାର କରେ। ରକ୍ତଦାନ ଶିବିର ଆୟୋଜନ କରେ। ଏଯାଏ ୨ା୧୦ା୨୦୨୧ ସୁଦ୍ଧା ୪୭୦ଟି ରକ୍ତଦାନ ଶିବିର କରିଛି ଓ ନିଜେ ୧୦୬ ଥର ରକ୍ତଦାନ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଛି। ଏହାଛଡ଼ା ଯେଉଁଦିନ ଅଧିକ ଶ୍ରମ କରେ ସେଦିନ ରାତିରେ ଗୀତି କବିତା ଲେଖେ। ଏ ଯାଏଁ ୮୦୨ଟି ଗୀତି କବିତା ମୋର ପ୍ରକାଶିତ ହୋଇଛି ଏବଂ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳାରେ ତ୍ରିଭାଷା ସିଡୀ କରି ସମଗ୍ର ଭାରତ ବର୍ଷର ମଠ ମନ୍ଦିରରେ ମାଗଣା ବାଣ୍ଟିଛି। ତେବେ ସରକାରୀ ବା ବେସରକାରୀ ସ୍ତରରୁ କୌଣସି ଆର୍ଥିକ ସହଯୋଗ ନ ନେଇ ମୋ ସ୍ବ-ଉପାର୍ଜନରୁ ଏହା କରିପାରୁଛି। ଏହା ହିଁ ମୋତେ ଆତ୍ମସନ୍ତୋଷ ଦିଏ।’

ପେନ୍‌ସନ ଟଙ୍କାରେ ତିଆରି କଲେ ବ୍ରିଜ୍‌: କେନ୍ଦୁଝର ଜିଲା, ହାଟଡିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ କାନପୁର ଗ୍ରାମର ୬୫ ବର୍ଷ ବୟସ୍କ ଗଙ୍ଗାଧର ରାଉତ ବେଶ୍‌ ପରିଚିତ ‘ବ୍ରିଜ୍‌ ମ୍ୟାନ୍‌’ ଭାବେ। କାରଣ ନିଜ ପେନ୍‌ସନ ଅର୍ଥରେ ଗାଁରେ ପ୍ରବାହିତ ସାଳନ୍ଦୀ ନଦୀ ଉପରେ ସେ ତିଆରି କରିଛନ୍ତି ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ। ଆଉ ସମାଧାନ କରିଛନ୍ତି ଗାଁ ଲୋକଙ୍କ ବର୍ଷ ବର୍ଷର ଯାତାୟାତର ସମସ୍ୟାକୁ। ଗଙ୍ଗାଧର କୁହନ୍ତି, ‘ବର୍ଷାଦିନରେ ଆମ ଗାଁ କାନପୁରର ଲୋକେ ସାଳନ୍ଦୀ ନଦୀ ଆରପଟେ ଥିବା ଚାଷଜମିକୁ ଯାଇପାରୁ ନ ଥିଲେ। ନଦୀ ଆରପଟ ଗାଁରେ ଥିବା ଲୋକେ ବି ଆମ ଗାଁକୁ ଆସି ପାରୁ ନ ଥିଲେ। ସେମାନେ ଆମ ଗାଁରେ ମୂଲ ଲାଗି ଚଳନ୍ତି। ନଈବଢ଼ିରେ ନ ଆସିପାରି ସେମାନଙ୍କ ଚଳିବା କଷ୍ଟକର ହୋଇପଡୁଥିଲା। ଏମିତି କି ଅନ୍ୟଦିନରେ ବି ନଦୀ ପାର୍‌ ହେବାରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଡଙ୍ଗା ରହୁ ନ ଥିଲା। ପାଣିରେ ପଶି ଚାଲି ଚାଲି ଯିବାକୁ ପଡୁଥିଲା। ଆଉ ଯିଏ ଗାଡ଼ିରେ ଯିବାକୁ ଚାହୁଁଥିଲେ ସେମାନେ ବୁଲା ରାସ୍ତା ଦେଇ ଯାଉଥିଲେ, ଯାହାକି ବହୁତ ବାଟ। ଛୋଟବେଳୁ ଏଇ ଅସୁବିଧା ସବୁକୁ ନିଜେ ଅନୁଭବ କରିଆସିଛି। ଏମିତିକି ଗାଁ ଲୋକେ ବାରମ୍ବାର ପୋଲ ନିର୍ମାଣ ପାଇଁ ଦାବି କରିବା ସତ୍ତ୍ୱେ ସରକାରୀ ସ୍ତରରେ ନିର୍ମାଣ ହୋଇପାରିଲା ନାହିଁ ା ପରବର୍ତ୍ତୀ ସମୟରେ ସ୍ଥାନୀୟ ଟ୍ରକ ଆସୋସିଏଶନ୍‌, ବିଧାୟକ, ହାଟଡିହୀ ବ୍ଲକ ପ୍ରଶାସନ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବ୍ରିଜ୍‌ କରିବାକୁ। ହେଲେ ଟଙ୍କା ଠିକ୍‌ରେ ବିନିଯୋଗ ନ ହୋଇପାରିବାରୁ ମାତ୍ର ୬୦ ଫୁଟ୍‌ କାମ ହୋଇ ରହିଯାଇଥିଲା। ଆଉ କେହି ବ୍ରିଜ୍‌ କରିବାକୁ ଆଗେଇଲେ ନାହିଁ। ଶେଷରେ ମୁଁ ଏହି ବ୍ରିଜ୍‌ କରିବାକୁ ନିଷ୍ପତ୍ତି ନେଲି। ୧୯୮୦ ଡିସେମ୍ବର ୨୫ରେ ଭେଟେରିନାରି ଡିପାର୍ଟମେଣ୍ଟରେ ଏଲ.ଆଇ.ଭାବେ ଗଞ୍ଜାମ, ପାରଳାଖେମୁଣ୍ଡିରେ ଯୋଗଦେଇଥିଲି। ୨୦୧୬ ଅକ୍ଟୋବର ୩୧ରେ ଆତଡି ବ୍ଲକ, ରେଙ୍କା ପଶୁ ସହାୟତା କେନ୍ଦ୍ରରେ ଅବସର ନେଲି। ଅବସର ପରେ ସମୟ ବହୁତ ଥିଲା। ତାସହ ଗାଁର ସମସ୍ୟା ଆଉ ଦେଖି ହେଉ ନ ଥିଲା। ତେଣୁ ପ୍ରଥମେ ମୁଁ ଓ ମୋ ଭଣଜା ସ୍ଥାନୀୟ ଜଣେ ଠିକାଦାରଙ୍କ ସହିତ କଥାବାର୍ତ୍ତା ହୋଇ ଆଖପାଖ ନିର୍ମାଣ ହୋଇଥିବା ପୋଲ ବୁଲି ଦେଖି ନିରୀକ୍ଷଣ କଲୁ। ବ୍ରିଜ୍‌ କରିବା ପାଇଁ କ’ଣ କରିବାକୁ ହେବ ପ୍ରଥମେ ଭଲରେ ବୁଝିଲୁ। ତା’ପରେ ଆବଶ୍ୟକୀୟ ସିମେଣ୍ଟ, ଲୁହା ରଡ, ଇଟା ଆଦି କିଣିଲୁ। ଯାହା ଟଙ୍କା ଆବଶ୍ୟକ ହେଲା ମୁଁ ମୋ ନିଜ ହାତରୁ ଖର୍ଚ୍ଚ କରି ୨୦୧୮ ଫେବୃୟାରୀରେ ବ୍ରିଜ କାମ ଆରମ୍ଭ କଲି। ଏଥିରେ ମୁଁ ପାଖାପାଖି ୧୮ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିସାରିଛି। ସରକାରୀ ସାହାଯ୍ୟ କି ଗ୍ରାମବାସୀଙ୍କ ସହଯୋଗ ବି ପାଇ ନାହିଁ। ବହୁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହୋଇ ତିଆରି କରିଛି ଏହି ବ୍ରିଜ୍‌କୁ। ମୋର ଏହି କାମରେ ଘର ଲୋକେ କେବେ ଆପତ୍ତି କରି ନାହାନ୍ତି। ୨୦୧୯ରେ ବ୍ରିଜ୍‌ କାମ ସରିଲା। ଏଥିରେ ମୋର ସବୁ ପେନ୍‌ସନ୍‌ ଓ ଗ୍ରାଚ୍ୟୁଟି ଟଙ୍କା ବିନିଯୋଗ କରିଦେଲି। ୨୦୨୦, ମେ ମାସରେ ପୋଲକୁ ଲୋକାର୍ପଣ କରାଗଲା। ହେଲେ ବ୍ରିଜ୍‌ର ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ୍‌ ନ ଥିଲା। ତେଣୁ କେବଳ ଚାଲି ଚାଲି ଏହି ପୋଲ ଉପରେ ଯାଇ ନଦୀ ପାର କରି ହେଉଥିଲା। ଗାଡ଼ି ଯାଇପାରୁ ନ ଥିଲା। ସେଥିପାଇଁ ଆପ୍ରୋଚ ରୋଡ୍‌ ତିଆରି କରିବାକୁ ରାଜନେତା ଓ ପ୍ରଶାସନକୁ ବହୁବାର ଜଣାଇବା ସତ୍ତ୍ୱେ କରା ନ ଯିବାରୁ ଶେଷରେ ମୁଁ ପୁଣି ଥରେ ଅଣ୍ଟା ଭିଡ଼ିଲି ଏହାକୁ ତିଆରି କରିବାକୁ। ଏବେ ମାଟି ପକାଇ ରାସ୍ତା କରୁଛି। ତା’ପରେ କଂକ୍ରିଟ ରାସ୍ତା ବି କରିବି। ନିକଟରେ ନୂଆଦିଲ୍ଲୀଠାରେ ସମ୍ମାନିତ ହୋଇ ପାଇଥିବା ଏକ ଲକ୍ଷ ଟଙ୍କାକୁ ପୋଲର ଗୋଟିଏ ପାର୍ଶ୍ୱର ଆପ୍ରୋଚ ରୋଡ୍‌ ନିର୍ମାଣରେ ଖର୍ଚ୍ଚ କରିଦେଇଛି। ଅନ୍ୟ ପଟର ଆପ୍ରୋଚ ରୋଡ୍‌ କାମ ଚାଲିଛି। ଏଥିପାଇଁ ଅନେକ ସମ୍ମାନ ମିଳିଛି। ୨୦୧୯ ପଠାଣି ସାମନ୍ତ ସମ୍ମାନ, ୧୯ା୧୨ା୨୦୧୯ରେ ଜିନ୍ଦଲ୍‌ କମ୍ପାନୀ ମଧ୍ୟ ମତେ ସମ୍ମାନିତ କରିଥିଲେ। ଜିନ୍ଦଲ କିଛି ଅର୍ଥ ବି ପ୍ରଦାନ କରିଥିଲେ। ସେ ଟଙ୍କାକୁ ମଧ୍ୟ ପୋଲ ତିଆରିରେ ବିନିଯୋଗ କରିଦେଇଥିଲି। ଏବେ ରାସ୍ତା ପାଇଁ ୫-୬ ଲକ୍ଷ ଖର୍ଚ୍ଚ ହେବ। ତାକୁ ବହନ କରୁଛି। ଏହି ବ୍ରିଜ୍‌ କାମ ପରେ ଆଉ ଏକ ବ୍ରିଜ୍‌ କରିବାକୁ ମଧ୍ୟ ଇଚ୍ଛା ଅଛି। ମୟୂରଭଞ୍ଜ ଜିଲାର ଏକ ଆଦିବାସୀ ଗ୍ରାମରେ ଲୋକେ ବର୍ଷାଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାରେ ବି ବ୍ରିଜ୍‌ କରିବି ବୋଲି ଭାବିଛି।

ବୈଜ୍ଞାନିକ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାରରେ ବିତୁଛି ସମୟ
ଆଜୀବନ ଧୋତି ପିନ୍ଧା ମିଷ୍ଟଭାଷୀ ମଣିଷଟିଏ ସେ। ସାଦା ଜୀବନ ଓ ଉଚ୍ଚ ବିଚାରକୁ ପାଥେୟ କରି ସମସ୍ତଙ୍କୁ ଆପଣେଇ ପାରିଥିବା ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ବୟସ ୭୦ ହେଲାଣି। ଅବସର ନେବାର ୧୨ ବର୍ଷ ବିତିଗଲାଣି। ତଥାପି ସେ ଚଳଚଞ୍ଚଳ ଓ କର୍ତ୍ତବ୍ୟରତ। ନିଜେ ବଦଳିଲେ ଯୁଗ ବଦଳିବ, ନିଜେ ସୁଧୁରିଲେ ଯୁଗ ସୁଧୁରିବ। ଏହି ଭାବନାକୁ ଅକ୍ଷରେ ଅକ୍ଷରେ ପାଳନ କରି ଜୀବନ କାଟୁଥିବା ସରଳ, ସଚଳ ଏବଂ ସଚେତନ ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ଗଞ୍ଜାମ ଜିଲା ହରିପୁର ବୁରୁଡିର ଗୋକୁଳ ଚନ୍ଦ୍ର ନାହାକ। ସେ କୁହନ୍ତି, ‘ଗାୟତ୍ରୀ ପରିବାର ସହ ୧୯୭୮ ମସିହାରୁ ମୁଁ ଜଡ଼ିତ। ଏବେ ବି ସେଇ ପଥର ପଥିକ ମୁଁ। ବିଚାରକ୍ରାନ୍ତି ଅଭୀଯାନର ମୂଳମନ୍ତ୍ର ‘ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ ଏବଂ ସମାଜ ନିର୍ମାଣ’କୁ ଆୟୁଧ କରି ମୁଁ ଜୀବନ ଅତିବାହିତ କରିଛି। ଯୁଗ ନିର୍ମାଣ ଯୋଜନାର କିଛି ପୁସ୍ତକକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଛି। ସତ୍‌ ସାହିତ୍ୟକୁ ପ୍ରତି ଘରେ ପହଞ୍ଚାଇବା ମୋର ଲକ୍ଷ୍ୟ। ଧର୍ମାନ୍ଧତା ଅପେକ୍ଷା ଧର୍ମ ଓ ବିଜ୍ଞାନର ସମନ୍ବୟକୁ ଅଧିକ ଗୁରୁତ୍ୱ ଦେଇଆସିଛି। ତେଣୁ ବୈଜ୍ଞାନିକ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ଲାଗି ସାଇକେଲ୍‌ରେ ପ୍ରାୟ ୨୦ କି.ମି. ଗାଁ ଗାଁ ବୁଲି ସାଇଣ୍ଟିଫିକ୍‌ ସ୍ପିରିଚୁଆଲିଜମ୍‌ଜନିତ ପୁସ୍ତକ ବିତରଣ କରୁଛି। ସନାତନ ଧର୍ମର ସମସ୍ତ ନୀତି ନିୟମ ବିଜ୍ଞାନସମ୍ମତ। ସେ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଜାରି ରହିଛି ୧୯୭୮ ମସିହାରୁ। ସ୍କୁଲରେ ବେଦ, ଉପନିଷଦ ନିଃଶୁଳ୍କରେ ବାଣ୍ଟୁଛି। ସୁସାହିତ୍ୟ ବଣ୍ଟନ, ଯଜ୍ଞ, ପ୍ରବଚନ କାର୍ଯ୍ୟକ୍ରମ ବି ଚାଲିଛି। କାନ୍ଧରେ ଝୁଲିଥିବା ଝୁଲାରେ ସବୁବେଳେ ସୁସାହିତ୍ୟ ତଥା ଆର୍ଟ ଅଫ୍‌ ଲିଭିଂ ସମ୍ବଳିତ ପୁସ୍ତକ ଥାଏ। ଯେଉଁଠି ଯାଏ ସୁଯୋଗ ଦେଖି ଏସବୁ ବାଣ୍ଟିଥାଏ। ଆଧ୍ୟାତ୍ମିକ କାର୍ଯ୍ୟରେ ପେନ୍‌ସନ୍‌ର ଏକ ଚତୁର୍ଥାଂଶ ଖର୍ଚ୍ଚ କରିଥାଏ। ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟ ସହ ବି ସଂଶ୍ଲିଷ୍ଟ ଅଛି। ନିଶା ନିବାରଣ ପାଇଁ ବି ସବୁବେଳେ ଚେଷ୍ଟା କରିଆସିଛି। ଯାହାକୁ ବି ଗୁଟ୍‌ଖା ଖାଉଥିବା, ସିଗାରେଟ ପିଉଥିବା ଦେଖେ ତାଙ୍କୁ ସେଥିରୁ ନିବୃତ୍ତ ରହିବା ପାଇଁ ବୁଝାଏ। କେହି କେହି ବିରକ୍ତି ପ୍ରକାଶ କରନ୍ତି, ଖରାପ କଥା ବି କହନ୍ତି। ତଥାପି ତାଙ୍କୁ ବାରମ୍ବାର ବୁଝାଇଥାଏ। ସେମାନଙ୍କୁ ଜୀବନ ଜିଇବାର କଳା ସମ୍ପର୍କିତ ପୁସ୍ତକ ପ୍ରଦାନ କରେ। ଆଧ୍ୟାତ୍ମ ବ୍ୟତିତ ସମାଜପୋଯୋଗୀ ସାହିତ୍ୟରେ ମଧ୍ୟ ରୁଚି ରହିଛି। ରାମଚରିତ ମାନସ ହେଉ ଅବା ମହାନାଟକ, ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ ଅବା କାଳିଦାସଙ୍କ ମେଘଦୂତ ସବୁ ସାହିତ୍ୟକୁ ଯୁଗୋପଯୋଗୀ ବ୍ୟାଖ୍ୟା ଏବଂ ଉପସ୍ଥାପନା କରିଥାଏ। ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ସମସ୍ତ ମହାନାୟକଙ୍କ ଗ୍ରନ୍ଥାବଳୀକୁ ମଧ୍ୟ କିଣି ରଖିଛି। ’

ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ :୭୭ ବର୍ଷ ବୟସରେ ଓଡିଆରେ ପିଜି
‘କଣ୍ଟାମାଳ ବ୍ଲକ ବିଳାସପୁର ସ୍ଥିତ ଜନତା ହାଇସ୍କୁଲରେ ଶିକ୍ଷକତା କରୁଥିଲି। ୩୨ ବର୍ଷ ଶିକ୍ଷକତା କରିବାପରେ ୨୦୦୨ରେ ଅବସର ଗ୍ରହଣ କଲି। ହେଲେ ଏଇ ଅବସର ସମୟକୁ କିଭଳି ସଦ୍‌ଉପଯୋଗ କରିପାରିବି ସେଥିପାଇଁ ପୁଣିଥରେ ଏକ କୋଚିଂ ସେଣ୍ଟରରେ ପଢାଇବା ଆରମ୍ଭ କଲି। ଯାହାକି ଏବେ ଏକ ଆବାସିକ ହାଇସ୍କୁଲ ହୋଇଗଲାଣି ଓ ମୁଁ ତା’ର ପ୍ରଧାନ ଶିକ୍ଷକ ଅଛି। ଏହାବାଦ୍‌ ଶିକ୍ଷାଗ୍ରହଣ କରିବାର କୌଣସି ବୟସ ନ ଥାଏ ଓ ପିଲାଙ୍କୁ ପଢା ପ୍ରତି ଆଗ୍ରହ ବଢାଇବା ପାଇଁଁ ଓଡିଆରେ ପିଜି କରିବାକୁ ଭାବିଲି। ଆଉ ୨୦୧୬-୧୭ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପିଜି ପଢିବା ଆରମ୍ଭ କଲି। ୨୦୧୯ରେ ପରୀକ୍ଷା ଦେଲି। ହେଲେ କରୋନା ପାଇଁ ଫଳାଫଳ ବାହାରିଲା ଚଳିତ ବର୍ଷ ସେପ୍ଟେମ୍ବରରେ। ଆଉ ୭୭ ବର୍ଷ ବୟସରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବାରୁ ବହୁତ ଖୁସି ଲାଗିଲା ବୋଲି କୁହନ୍ତି,’ ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ। ଘର ତାଙ୍କର ବୌଦ୍ଧ ଜିଲା ପଦରପଡାରେ। ହେଲେ ରହୁଛନ୍ତି ସୋନପୁରରେ। ପାଠ ପଢାଇବା ଓ ପଢିବା ବ୍ୟତିତ ସେ କଳା ଓ ସାହିତ୍ୟ କ୍ଷେତ୍ରରେ ବି ବେଶ୍‌ ସକ୍ରିୟ ଅଛନ୍ତି। ବିଭିନ୍ନ ଡ୍ରାମା, ନାଟକରେ ଅଭିନୟ କରୁଛନ୍ତି। ଏମିତିକି ଅବସର ପରେ ଓଡିଆ ଚଳଚ୍ଚିତ୍ର ‘ଶଲାବୁଢା’ରେ ଅଭିନୟ କରିଛନ୍ତି। ତାଛଡା ଟିକେ ସମୟ ମିଳିଲେ ସେ ଲେଖାଲେଖି ଦୁନିଆରେ ହଜିଯାଆନ୍ତି। ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି। ଏତେ ବୟସରେ ବି ସେ ବେଶ୍‌ ଚଳଚଞ୍ଚଳ। କେବେବି ଖାଲିରେ ବସି ରହିବାକୁ ଭଲ ପାଆନ୍ତି ନାହିଁ।

ସମାଜ ସେବାରେ ମନ
ଚାକିରି କାଳ ମଧ୍ୟରେ ଶିକ୍ଷାଦାନ ସହ ଜନସମ୍ପର୍କ, ସାମାଜିକ ସେବାରେ ନିଜକୁ ନିୟୋଜିତ କରି ଜନମାନସରେ ପ୍ରଶଂସାର ପାତ୍ର ହୋଇଥିଲେ। ଅବସର ପରେ ବି ସେହି ସେବା ମନୋବୃତ୍ତି ପାଇଁ ଆଜି ମାଲକାନଗିରି ଜିଲାରେ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ହେଉଛନ୍ତି ମାଲକାନଗିରି ସଦର ମହକୁମାର ସ୍ବର୍ଗତ ଭାସ୍କର ଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ। ୧୯୭୧ ମସିହାରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟର ଶିକ୍ଷକତା ମଧ୍ୟରେ ରାଷ୍ଟ୍ରପତିଙ୍କଠାରୁ ପ୍ରମାଣପତ୍ର କାଂସ୍ୟ ପଦକ ଦ୍ୱାରା ସମ୍ମାନିତ ହୋଇଥିଲେ। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ବନ୍ଧୁ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। ଏହାବାଦ୍‌ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ମହାପୁରୁଷଙ୍କ ପୁସ୍ତକ ପ୍ରକାଶିତ କରି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇ ଆସିଛନ୍ତି। ଗତ ୩୧.୧୦.୨୦୧୦ ତାରିଖ ଦିନ ଶ୍ରୀ ପଟ୍ଟନାୟକ ଶିକ୍ଷକତାରୁ ଅବସର ଗ୍ରହଣ କଲେ। ଏହାପରେ ତାଙ୍କର ସେହି ପୂର୍ବର ସେବା ମନୋବୃତ୍ତିକୁ ଭୁଲି ନ ପାରି ପୁସ୍ତକ ଲେଖିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କମିଟିର ସଦସ୍ୟ ରହି ପ୍ରଶାସନକୁ ସହଯୋଗ କରିଆସୁଛନ୍ତି। ଏତଦ୍‌ବ୍ୟତୀତ ଗ୍ରାମ ସଫେଇ, ବୃକ୍ଷରୋପଣ, କରୋନା ମହାମାରୀ ସମୟରେ ଗ୍ରାମ ଗ୍ରାମରେ ସଚେତନତା, ପଲିଥିନ୍‌ ବର୍ଜନ, ସ୍ବଚ୍ଛ ଭାରତ ଅଭିଯାନ ଆଦି କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ନିଜ ପେନ୍‌ସନରୁ ଅସହାୟ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବି ପାଲଟିଛନ୍ତି।
ଚାକିରିରୁ ଅବସର ନେଲାପରେ ଆରମ୍ଭ ହୁଏ ନୂଆ ଏକ ଜୀବନ। କିଏ ଏହାକୁ ବିଶ୍ରାମ ନେଇ ବିତାଇବାକୁ ଚାହାନ୍ତି ତ ଆଉ କିଏ ଏଭଳି କିଛି କାମ କରିବାକୁ ଚାହାନ୍ତି; ଯାହାଫଳରେ ସେମାନେ ପାଲଟିଯିବେ ଉଦାହରଣ। ଆଉ ସମସ୍ତଙ୍କ ହୃଦୟରେ ପାଇବେ ଏକ ସ୍ବତନ୍ତ୍ର ସ୍ଥାନ। ଠିକ୍‌ ଯେମିତି ଏଇ ନିଆରା ମଣିଷମାନେ କରିଦେଖାଇଛନ୍ତି।
-ଶିବାନୀ ମହାନ୍ତି
ନରେଶ ପଟ୍ଟନାୟକ, ଦୁର୍ଯ୍ୟୋଧନ ପାତ୍ର, ମୃତ୍ୟୁଞ୍ଜୟ ଶତପଥୀ

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri