Categories: ଫୁରସତ

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା ଯାଇଥିବା ସ୍ଥାନକୁ କେହି ଅଲଗା କରିପାରିବେନି। ଆଉ କିଛି ଅଠାକୁ ତ ଲଗାଇବାବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡେ। କାରଣ ଆଙ୍ଗୁଠିରେ ଲାଗିଗଲେ ଆଙ୍ଗୁଠି ପରସ୍ପର ସହ ଯୋଡି ହେଇଯିବାର ଆଶଙ୍କା ଥାଏ। ତେବେ ମନରେ କେବେ ପ୍ରଶ୍ନ ଉଠିଛି କି କାଗଜ, କାଠ, ରବର ସବୁକିଛିକୁ ଯୋଡି ପାରୁଥିବା ଅଠା ନିଜ ବୋତଲ ଭିତରେ କାହିଁକି ଲାଖିକି ରହେନା? ଏଥର ଜାଣନ୍ତୁ ସେ ସମ୍ପର୍କରେ…

ଏହାର କାରଣ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଜରୁରୀ ଯେ ଅଠା ପ୍ରକୃତରେ କ’ଣ? ଅଠା ପଲିମରରେ ତିଆରି ହୋଇଥାଏ। ପଲିମର୍‌ ହେଉଛି ଏକ ରାସାୟନିକ ପଦାର୍ଥ ଯାହାକି ଅଠାଳିଆ ତଥା ପ୍ରସାରିତ ହେଉଥିବା ଷ୍ଟ୍ରାଣ୍ଡକୁ ବୁଝାଏ। ଏହା ଅଠାଳିଆ ହେବା ସହ ପ୍ରସାରିତ ହେଉଥିବାରୁ ଅଠା ତିଆରି ପାଇଁ ଏହାକୁ ବ୍ୟବହାର କରାଯାଏ। ଆଉ ବିଶେଷଜ୍ଞମାନେ ଅଠା ତିଆରି କଲାବେଳେ ଏହି ଅଠାଳିଆ ଓ ପ୍ରସାରିତ ହେଉଥିବା ପଲିମର୍‌ ସହ କିଛି ମାତ୍ରାରେ ପାଣି ମିଶାନ୍ତି। ଯଦ୍ୱାରା ଅଠା ସେମି ଲିକ୍ୱିଡ ଅବସ୍ଥାରେ ରହେ। ଏହି ପାଣି ସଲଭେଣ୍ଟ ଭଳି ବି କାମ କରେ। ଏଇ ପାଣି ହିଁ ବୋତଲ ଭିତରେ ଅଠାକୁ ସୁଖିବାକୁ ଦିଏନା ଓ ତାକୁ ସେମି ଲିକ୍ୱିଡ ଅବସ୍ଥାରେ ରଖେ। ଫଳରେ ଅଠା ବୋତଲ ଭିତରେ ସୁଖି ଲାଖି ଯାଏନା। ତେବେ ଆମେ ଯେବେ ଅଠାକୁ ବୋତଲରୁ ବାହାର କରୁ କିଛି ସମୟ ପରେ ଏହା ସୁଖିଯାଏ ଓ ଜିନିଷକୁ ଯୋଡିଦିଏ। ଏହି ପ୍ରକ୍ରିୟାରେ ଅଠା ସୁଖି ନ ଥାଏ। ବରଂ ସେଥିରେ ମିଶିଥିବା ପାଣି ବାଷ୍ପ ହୋଇ ଉଡିଯାଏ। ଯଦ୍ୱାରା କେବଳ ଅଠାଳିଆ ପଲିମର୍‌ ରହିଯାଏ, ଯାହାକି ଜିନିଷକୁ ଯୋଡିଦିଏ। ସେଥିପାଇଁ ଅଠାର ଠିପି ସବୁବେଳେ ବନ୍ଦ ରଖାଯାଏ। ଯଦି ବୋତଲ ଠିପି ଖୋଲା ରଖାଯାଏ ଅଠାରେ ଥିବା ପାଣି ସୁଖିଯାଏ। ଆଉ ଅଠାରୁ ଜଳୀୟ ଭାଗ ଚାଲିଗଲେ ତାହା ସୁଖି ବୋତଲ ଭିତରେ ଲାଖିଯାଏ। ସାଧାରଣତଃ ଧଳାରଙ୍ଗର ସେମି ଲିକ୍ୱିଡ ଅଠା କ୍ଷେତ୍ରରେ ଏଭଳି ହୁଏ।

ତେବେ ଫେଭିକ୍ୱିକ ପରି ଅଠାରେ ପାଣି ବ୍ୟବହାର ହୋଇ ନ ଥାଏ କି ତାହା ପଲିମରରେ ବି ତିଆରି ହୋଇ ନ ଥାଏ। ଏଥିରେ ସାଇନୋଏକ୍ରିଲେଟ ନାମକ ରସାୟନିକ ପଦାର୍ଥ ଥାଏ। ଏହି କେମିକାଲ ଯେବେ ବାୟୁରେ ଥିବା ଜଳୀୟ ଅଂଶ ସଂସ୍ପର୍ଶରେ ଆସେ ତାହା ଜିନିଷକୁ ଯୋଡିଦିଏ। ଆଉ ଫେଭିକ୍ୱିକ୍‌ ଭଳି ଅଠାକୁ ପାଣିଠାରୁ ଦୂରରେ ରଖିବାକୁ ପଡ଼େ। ଏମିତିରେ ଏହାକୁ ତିଆରି କରୁଥିବା କମ୍ପାନୀ ଏଭଳି ବୋତଲ ବ୍ୟବହାର କରେ ଯେଉଁଥିରେ ପାଣିର ଗୋଟେ କଣିକା ବି ପହଞ୍ଚତ୍ ପାରୁ ନ ଥିବ। ଫେଭିକ୍ୱିକ୍‌ର ଠିପି ଖୋଲା ରଖିଦେଲେ ବି ତାହା ସୁଖିଯାଏ ଓ ଭିତରେ ଲାଖିଯାଏ।

Share