ପିଜି ବଳକା ସିଟ୍‌ ପାଇଁ ହେବ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି ଚେୟାରମ୍ୟାନ ଓ କଲେଜ(ଯେଉଁଠାରେ ପିଜି ଶିକ୍ଷାଦାନ ହେଉଛି) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଯେଉଁ ଛାତ୍ରୀଛାତ୍ର କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବେ, କିନ୍ତୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଏବଂ ପ୍ରଥମ ଓ ଦ୍ୱିତୀୟ ସ୍ପଟ୍‌ରେ ନାମଲେଖାଇ ନ ଥିବେ, ସେମାନଙ୍କର ଏକ ଚୂଡ଼ାନ୍ତ ତାଲିକା(ମାଷ୍ଟର ଲିଷ୍ଟ) ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଷୟ ଅନୁସାରେ ଏହି ଚୂଡ଼ାନ୍ତ ତାଲିକାକୁ ସାମ୍ସ ପ୍ରସ୍ତୁତ କରିବ ଏବଂ ୧୧ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଉପଲବ୍ଧ ହେବ। ତେବେ ପୂର୍ବ ନାମଲେଖା ପର୍ଯ୍ୟାୟରେ ଯେଉଁ ଛାତ୍ରୀଛାତ୍ରଙ୍କ ପାଖକୁ ଇଣ୍ଟିମେଶନ ଲେଟର ଯାଇଥିଲା ଓ ସେମାନେ ନାମ ଲେଖାଇ ନାହାନ୍ତି, ସେମାନଙ୍କୁ ଏହି ପର୍ଯ୍ୟାୟ ନାମଲେଖାରେ ବିଚାରକୁ ନିଆଯିବ ନାହିଁ। ସେହି ଚୂଡ଼ାନ୍ତ ତାଲିକାରୁ ବିଶ୍ୱବିଦ୍ୟାଳୟ/କଲେଜଗୁଡ଼ିକ ଛାତ୍ରୀଛାତ୍ରଙ୍କୁ ଯୋଗାଯୋଗ କରିବେ ଏବଂ ନାମ ଲେଖାଇବେ। ଯଦି ଚୂଡ଼ାନ୍ତ ତାଲିକାରେ ଥିବା ଛାତ୍ରୀଛାତ୍ରଙ୍କ ସହିତ ଯୋଗାଯୋଗ ହୋଇ ନ ପାରେ, ତେବେ ବିଶ୍ୱବିଦ୍ୟାଳୟ/କଲେଜଗୁଡ଼ିକ ସେମାନଙ୍କ ଉଦ୍ୟମରେ ଓଜେଇଇ ମେରିଟ୍‌ ଲିଷ୍ଟ/ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା କିମ୍ବା ଜାତୀୟ ସଂସ୍ଥା ଦ୍ୱାରା ପରିଚାଳିତ ଯେକୌଣସି ପରୀକ୍ଷାର ଛାତ୍ରୀଛାତ୍ରଙ୍କୁ ଯୋଗାଯୋଗ କରି ନାମ ଲେଖାଇ ପାରିବେ।