ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ମହାମାରୀ କରୋନା ଯୋଗୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ସ୍ବତନ୍ତ୍ର ସ୍କୁଲଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟର ୨୩ ଜିଲାରେ ୧୦୩ ସ୍ବତନ୍ତ୍ର ସ୍କୁଲ୍‌ ରହିଛି। ପୂର୍ବରୁ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏହି ସ୍ବତନ୍ତ୍ର ସ୍କୁଲ୍‌ଗୁଡ଼ିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣକୁ ନଜରରେ ରଖି ଓ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସ୍କୁଲଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।