ସେପ୍ଟେମ୍ବର ୩ରୁ ସ୍ପେଶାଲ ଓଜେଇଇ, ୪ ଶିଫ୍ଟରେ ପରୀକ୍ଷା ଦେବେ ପିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସେପ୍ଟେମ୍ବର ୩ରୁ ସ୍ପେଶାଲ ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ରେ ଏହି ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ୪ଟି ଶିଫ୍ଟରେ ପରୀକ୍ଷା କରାଯିବ। ପରୀକ୍ଷା ସୂଚୀ ଓଜେଇର ଓ୍ବେବ୍‌ସାଇଟ www.ojee.nic/www.odishajee.comରେ ଉପଲବ୍ଧ ହେବ।

ସେପ୍ଟେମ୍ବର ୩ରେ ଏମ୍‌ବିଏ ପାଇଁ ପରୀକ୍ଷା ପୂର୍ବାହ୍ନ ୯ରୁ ୧୦ ଓ ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। ସେହିପରି ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପାଇଁ ଅପରାହ୍ନ ୨ରୁ ୩ଟା ଏବଂ ସାଢ଼େ ୪ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୪ରେ ବିଟେକ୍‌ ପରୀକ୍ଷା ସକାଳ ୯ରୁ ୧୦ଟା, ସାଢ଼େ ୧୧ରୁ ସାଢ଼େ ୧୨ଟା ଏବଂ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ କରାଯିବ।

ସେହିପରି ସେପ୍ଟେମ୍ବର ୭ ପୂର୍ବାହ୍ନ ୯ଟାରୁ ୧୦ଟା ବି.ଫାର୍ମା, ଦିନ ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବି.ଫାର୍ମା ସହିତ ଏମ୍‌ଟେକ୍‌ ଓ ଏମ ଆର୍କିଟେକ୍‌ ସହିତ ଏମ୍‌ ଫାର୍ମା ଏବଂ ଅପରାହ୍ନ ୨ରୁ ୩ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।