Posted inଫୁରସତ

ଡମ୍ବରୁ ବାଜେ….

ନାରଙ୍ଗୀ ଭାଉଜ ଓ ପଡ଼ୋଶୀ ପିତେଇ ନାନୀଙ୍କ ଭିତରେ ଥିଲା ଶାଗ-ତିଅଣ ଦିଆ-ନିଆର ସୁସମ୍ପର୍କ l ଏକାଠି ଆଗରୁ ନଈ-ପୋଖରୀକି କାମସାରିବାକୁ ଯାଉଥିଲେ l କିନ୍ତୁ ହଠାତ୍‌ ଦିନେ ନାରଙ୍ଗୀ ଭାଉଜଙ୍କ ନାଟଦେଖି ନବା ଭାଇ ତାଟକା ! ସାରାଦିନ ଖାଇବା-ପିଇବା ନାହିଁ ! ରାତିରେ ଶୋଇବା ବାହାନାରେ ଶେଯ-ତକିଆ ଲୁହରେ ଅଧେ ଭିଜେଇ ସାରିଲେଣି ! ଭାଇ ଯେତେ କଅଁଳେଇ ବୁଝେଇଲେ ବି ଭାଉଜ ବୁଝୁ ନ ଥିବା ଦେଖି ବାଧ୍ୟରେ ନବାଭାଇ କହିଲେ.. ହଉ ହେଲା, ତମରିକଥା ରହିଲା l ଘରର ଦୁହାଁଳିଆ ଗାଈ ବାଛୁରି ପଛେ ବିକିବି, ତମ ପାଇଁ ସହର ଯାଇ ଭଲ ବିଦେଶୀ ଭାଲୁଆ କୁକୁର କିଣିଆଣିବି l

ଓଃ.. ହୋ ! ସାରାଦିନର ଘରଣୀଙ୍କର ହଙ୍ଗରଷ୍ଟ୍ରାଇକ୍‌, ଦାବି ପୂରଣର ପ୍ରତିଶ୍ରୁତି ମିଳିଲା ପରେ ଘର ଶାନ୍ତପଡ଼ିଲା l ନାରଙ୍ଗୀ ଭାଉଜ ମନେମନେ ଭାରି ଖୁସିହୋଇ ଭାବୁଥିଲେ.. ତାଙ୍କ ମାନ-ଅଭିମାନର ଶକତି ବଳରେ ଏ ମରଦର ପଥର ଛାତି ଏତେବେଳକେ ନରମିଲା ! ତହୁଁ ଆଉ ଡେରି ନ କରି ତରବରରେ ଶେଯରୁ ଉଠି ଦୌଡିଲେ ରୋଷେଇ ଘରକୁ l ହଂସା ଉଡ଼ିବା ଆଗରୁ କଂସାଏ ଭାତ ତୁଣରେ ପେଟ ପୂରେଇ ଦୀର୍ଘଶ୍ୱାସ ଛାଡ଼ି ଭାବୁଥିଲେ.. ଏବେ ସେ ପିତେଇନାନୀ କି ଦେଖେଇଦେବ ହୁଁ.. ଆମେ ବି କିଛି କମ ନୋହୁଁ ମ ! ଆ.. ରେ.., ଏ ମରଦଗୁଡା କାହୁଁ ଜାଣିବେ ପଡ଼ୋଶୀଙ୍କର କୋଉଥିରେ ବତି ହେଲେ, ଆମଭଳିଆ ମାଇପିଙ୍କ ଛାତିଭିତର କେମିତି କରତି ହୋଇଯାଏ ବୋଲି ! ପିତେଇ ଗିରସ୍ତ କ’ଣ କୋଡ଼ିଏ ହଜାରେ ଟଙ୍କାରେ ସହରିଆ ବିଦେଶୀ କୁକୁର କିଣି ଛାତି ଫୁଲେଇ ଦେଖେଇହଉଚି ! ମୁଁ ବି ତା’ ଠୁ ବଳିକି ବେଶି ଦାମ୍‌ରେ ଉନ୍ନତମାନର ବିଦେଶୀକୁକୁର କିଣିକି, ମୋ ଗିରସ୍ତକୁ ସକାଳୁ ନିଦରୁ ଉଠେଇ କହିବି.. ହେଇଟି ଗଲ ଗଲ.. ଶୀଘ୍ର ଆମ ଟମିକି ବୁଲେଇବା ବାହାନାରେ ଗାଁ ରାସ୍ତାକଡ଼ରେ ହଗେଇ-ମୁତେଇ ଆଣିବ ! ମୋ କୁକୁରକୁ ସମସ୍ତେ ଦେଖି ଆଁ ଟା କରି ଅନେଇ ଏମିତି ତାରିଫ୍‌ କରିବେଯେ, ପିତେଇ ଦେହ ଶୀତେଇ ଉଠିବ.. ତା’ ଦେହ ଜଳିଯିବ l ସେଇଆ ହେଲା। ଦୁହାଁଳିଆ ଦେଶୀଗାଈ ବିକି ପଚିଶି ହଜାରେ ଟଙ୍କାରେ ଗୋଟେ ଛଇଲା ବିଦେଶୀକୁକୁର ଘର ଦୁଆର ମୁହଁରେ ଜଗି, ଯାହାକୁ ଦେଖିଲା ଭୁକିଲା l ଏଥର
ଆଉ କୋଉ ଗାଁ ସାହିଭାଇ କି କୋଉ ବନ୍ଧୁ-ବାନ୍ଧବ ଆଗପରି ସଳଖା ସରସର ଘରେ ପଶି ନ ଯାଇ, ଦୁଆରେ ଘଡ଼ିଏ ଠିଆହୋଇ ମୋ କୁକୁର ଆଉ ମତେ ପ୍ରଶଂସା ନ କରି ଯିବେ କୁଆଡ଼େ ମୁଁ ଦେଖିବି !

ପିତେଇନାନୀର ଦେହ ସହେ କେତେ? ଆଗରୁ ତା’ ଝିଅ ଝୁମୁରି ଆଉ ନାରଙ୍ଗୀ ପୁଅ ନାରଣ ଏକାଠି ଗାଁର ଓଡ଼ିଆ ସର୍କାରୀ ସ୍କୁଲରେ ପଢୁଥିଲେ l ପିତେଇନାନୀ ତା’ ଝିଅକୁ ସେଇ ସ୍କୁଲରୁ ଉଠେଇନେଇ ଆଠ କିଲୋମିଟର ଦୂରରେ ଗୋଟେ ମଡେଲ ଇଂଲିଶ ମାଧ୍ୟମ ସ୍କୁଲରେ ଚାଳିଶି ହଜାରଟଙ୍କା ଖର୍ଚ୍ଚକରି ନାଁ ଲେଖେଇବା ଦେଖି ନାରଙ୍ଗୀ ଭାଉଜ ରାଗରେ ଗରଗର ହେଉଥାଏ l ଦିନେ ପିତେଇ, ତା’ ଝୁଅ ଝୁମୁରିକି ୟୁନିଫର୍ମ ଡ୍ରେସ ପିନ୍ଧେଇ, ବେକରେ ଟାଏ ଭିଡ଼େଇ, ପିଠିରେ ସ୍କୁଲବ୍ୟାଗ ପକେଇ, ୱାଟର ବଟଲ ଛାତିରେ ଝୁଲେଇ, ପାଦରେ ଜୋତା-ମୋଜା ପିନ୍ଧେଇ ଛାଡିବାକୁ ସ୍କୁଲବସ୍‌ରେ ଗଲାବେଳେ ନାରଙ୍ଗୀ ଭାଉଜ ଆଖିରେ ଆଖି ମିଶିଗଲା l ଏତିକିବେଳେ ପିତେଇନାନୀ ଏମିତି ତାଚ୍ଛଲ୍ୟ ଭରା ମୁରୁକି ହସ ମାରିଦେଲେ ଯେ, ଯେମିତି ଲାଗିଲା ନାରଙ୍ଗୀ ଭାଉଜ ଛାତିରେ ମୁନିଆଁ ଶରଟାଏ ସାଇଁକିନା ଗଳିଗଲା ! ମୁହଁରେ ସିନା କିଛି କହିଲେନି, ହେଲେ ମନେମନେ କହୁଥିଲେ.. ମଲାମର ! କେତେ ତୁ ଦେଖେଇହେଉଛୁ ଲୋ ! ରହ ମୁଁ ତୋ ଛାତି ଫଟାଉଛି l ମୁଁ ଯଦି ତା’ ଠୁ ବଡ଼ ଇସୁକୁଲୁରେ ମୋ ପୁଅକୁ ନ ପଢ଼େଇଛି, ତେବେ ମୋ ନାଁ ରେ କୁକୁର ପାଳିବୁ! ଆଲୋ ନାଇଁ ଲୋ, ସେ କୁକୁର ପାଳିଛି l ହଁ ମୋ ନାଁରେ ଗୋଟେ ଭୁଆ ବିଲେଇ ପାଳିବୁ! ଯାଉ ଲାକ୍ଷେଟଙ୍କା ଖରଚା ହେଇ l କିଏ ଡରୁଚି ?

ବିଚରା ଯେମିତି ଢଙ୍ଗରେ ଏଇ ଦୁଇଜଣ ଭାଉଜ – ନାନୀ ଟକ୍କର ଦେଲେଣି, ଜାଣ ନବାଭାଇର ଛୋଟିଆ ବେପାର ବୁଡ଼ିବାର ଅବସ୍ଥା ଉପୁଜିଲାଣି l ତଥାପି ଭାଉଜ ଛାଡ଼ିବାର ନୁହନ୍ତି l ଯେମିତି ହେଉ, ତାଙ୍କ ପୁଅ ବଡ଼ ସାହେବୀ ଇସୁକୁଲୁରେ ପଢ଼ିବ l ନବାଭାଇ କି ବୁଝେଇଲେ.. ମଲା, ଏଇ ଗାଁ ଓଡ଼ିଆ ଇସୁକୁଲୁରେ ପଢ଼ି ମୋ ଗୋଟେ ବୋଲି ପୁଅ କ’ଣ କୋଢ଼ିଆ ହେଇ ତମରିପରିକା ଦୋକାନଖୋଲି ବସିବ ? କାହିଁ, ଜମି ଆମର କ’ଣ ହବ କି? ବିକିଦେଉନ ଦି ’ଗୁଣ୍ଠୁ ! ସରଳିଆ ନବାଭାଇ ବା କାହୁଁ ଜାଣନ୍ତା.. ପୁଅର ସୁନେଲି ଭବିଷ୍ୟତର ସପନ ତା’ ଆଖିରେ ଭରିଦେଇ, ପଡ଼ୋଶୀଙ୍କ ଈର୍ଷାରେ ହମ୍‌ ବଡ଼ା ନୀତିରେ ସେ ବକରା ସାଜି ବଳି ପଡ଼ିବାକୁ ଯାଉଛି ବୋଲି! ତା’ ଛଡା, ପତ୍ନୀକଥା ନ ରଖିଲେ ଅବସ୍ଥା କ’ଣ ହୁଏ, ଏ କଥା କ’ଣ ବିଜ୍ଞଜନଙ୍କୁ ତୁଣ୍ଡଖୋଲି କହିବାକୁ ପଡ଼ିବ? କଥା ରଖିବାକୁ ବାଧ୍ୟହେଲେ l

କେତେଦିନ ଗଲାପରେ ପିତେଇନାନୀ ତା’ ସ୍ବାମୀଙ୍କୁ କହି ତାଙ୍କ ଆଜବେଷ୍ଟ ଘରଭାଙ୍ଗି ଦାଣ୍ଡିଏ ଛାତଘର ତୋଳିଲେ l ତା’ ସ୍ବାମୀ ସହରରେ ସିନା ବଡ଼ ଚାକିରି କରି ମୋଟା ଟଙ୍କା ପଠାଉଛନ୍ତି ବୋଲି ସିଏ ଛାତଘର କରୁଛନ୍ତି, ମାତ୍ର ନାରଙ୍ଗୀଭାଉଜକୁ ଲାଗୁଥାଏ, ସେ ଛାତ-ଘର କରୁନି ଯେ, ବରଂ ତା’ ଛାତିଭିତରେ ଯେମିତି ହୁତୁହୁତୁ କରି ନିଆଁ ଜଳଉଛନ୍ତି ! ସେଇ ନିଆଁକୁ ଲିଭେଇ ନାନୀ ଉପର ରାଗ ଦାଉ ନବାଭାଇକୁ ଶୁଝେଇବାକୁ ପଡ଼ିଲା l ନାରଙ୍ଗୀଭାଉଜ ଜିଦିରେ ବୋପା -ଜେଜେ ଅମଳର ଦୋ ଫସଲି ସୁନାଭଳିଆ ଜମି ଚାରି ଏକର ବିକି ଏମାନେ ବି ତୋଳିଲେ ଛାତଘର l

ତାଙ୍କଘରେ ଟାଇଲି ପଡ଼ିଲାବେଳେ ନବାଭାଇ ଘରହେଲା ମାର୍ବଲ ଛପର l ସିଏ ପଙ୍ଖା ବୁଲେଇଲେ, ଇଏ ଲଗେଇଲେ ଏସି -କୁଲର l ଇଏ କିଣିଲେ ଦୁଇ ଶ’ ଲିଟର ଫ୍ରିଜ, ସିଏ କିଣିଲେ ତିନିଶ’ ଲିଟର ରେଫ୍ରିଜରେଟର l ଶିଳ ବଟା ଛାଡ଼ି ଘାଇଁ ଘାଇଁ ବାଟିଲାଣି ଗ୍ରାଇଣ୍ଡର l ସିଏ ସିଲ୍କୀ ପିନ୍ଧିବା ଦେଖି, ଇଏ କିଣିଲେଣି ପାଟଶାଢ଼ି l ତାଙ୍କଘରେ ଟୁ-ହ୍ବିଲର ମୋଟରସାଇକେଲ, ଇଏ ଲୋନ କରି ଚଢ଼ିବୁଲିଲେଣି ବୁଲେଟ୍‌ଗାଡ଼ି l

ତାଙ୍କ ଘରେ ଚିକେନ ରନ୍ଧା ବାସ୍ନା ଶୁଙ୍ଘି, ଇଏ ରାନ୍ଧୁଥିଲେ ମଟନ ତରକାରି l ପିତେଇ ଝୁଅର ବାର୍ଥ ଡେ’ରେ ଶହେ ସାଙ୍ଗ ଆସିବା ଦେଖି, ନାରଙ୍ଗୀ ପୁଅର ବାର୍ଥ ଡେ’ରେ ନନ୍‌ଭେଜ ସାଙ୍ଗକୁ ଦୁଇଶହ ଲୋକଙ୍କ ଖାଇବାସାଙ୍ଗରେ ଚାଲିଥିଲା କେକ୍‌ କଟା l ଏମିତିରେ ଉଭୟଙ୍କ ପିଲାଏ ଯହୁଁ ଯହୁଁ ବଡ଼ହୋଇ ଉଚ୍ଚଶିକ୍ଷା ଲାଭ ପାଇଁ ସହରକୁ ଆଗଉଥିଲେ, ଏପଟେ ଦୁଇ ପଡୋଶୀ ନିଜ ନିଜ ଈର୍ଷାର ବଡ଼ପଣକୁ ବଡ଼କରି ଆପଣା ଡମ୍ବରୁ ତାଂ ବଡ଼ା ତାଂ ବଡ଼ା..ଜୋରରେ ବଜେଇ ଚାଲିଥିଲେ l ଉପରେ ଚାଲିଥିଲା ମଧୁରକଥା.. ଅନ୍ତରରେ ବଢୁଥିଲା ଅକୁହା ବ୍ୟଥା l

କେତେବର୍ଷ ପରେ ଉଭୟଙ୍କ ପିଲାଏ ଗାଁକୁ ନ ଆସିବାରୁ ପରସ୍ପର ପିଲାଙ୍କ ଦୋଷ ବଛାବଛି ଝଗଡ଼ା ବଢ଼ିଲା ବେଳକୁ ପିତେଇନାନୀ ଖବର ପାଇଲେ, ତାଙ୍କ ଝିଅ ଝୁମୁରି କୋଉ ଅଲଗା ଧର୍ମର ପୁଅ ସାଥିରେ ଲଭକରି ଲିଭ୍‌-ଇନ୍‌-ରିଲେସନ୍‌ରେ ରହୁଛି l ଏକମାତ୍ର ଝିଅ ମୋହକୁ ବାପା-ଭୁଲିବା କି ସମ୍ଭବ? ଫେରେଇଆଣିବାକୁ ଯାଇ ତା’ ଫ୍ରେଣ୍ଡ ଓ ନିଜ ଝିଅଠୁ ଢେର୍‌ ଅପମାନ ପାଇ ନିରାଶହୋଇ ମୁଣ୍ଡକୋଡ଼ି, ଆଖିରେ ଆଖିଏ ଲୁହନେଇ ଗାଁକୁ ଫେରିବାର ପନ୍ଦରଦିନ ପରେ ନିଉଜ୍‌ରୁ ଜାଣିଲେ.. ତାଙ୍କ ଝିଅ ଭଲପାଉଥିବା ଟୋକା ହାତରେ ସତରଖଣ୍ଡ ହୋଇସାରିଛି l ଏ ଦୁଃଖଦ କାହାଣୀର ଅନ୍ତ ନ ହେଉଣୁ, ମୁମ୍ବାଇରେ ନାରଙ୍ଗୀ ଭାଉଜର ପୁଅ ନାରଣ ଚାକିରିକରି ରହୁଥିବାବେଳେ ପଡିଗଲା ଗୋଟେ ଝିଅର ପ୍ରେମ ଫାସରେ। କିନ୍ତୁ ପରେ ସେହି ଝିଅ ତା’ ପ୍ରେମର ଅଠାଳିଆ ଜାଲ ଛିଣ୍ଡେଇ ଧୋକାଦେଇ ଟଙ୍କା ପଇସା ନେଇ ଆଉ କାହା ସାଥିରେ ଫେରାର ହୋଇଯିବାରୁ ଯନ୍ତ୍ରଣା ସହି ନ ପାରି ସିଲିଂ ଫ୍ୟାନ୍‌ରେ ରଶି ଲଗେଇ ନାରଣ ଆତ୍ମହତ୍ୟା କରିଦେଇଛି l ଏଇ ଖବର ଖଣ୍ଡମଣ୍ଡଳକୁ ଦୁଃଖରେ ଦୋହଲେଇ ଦେଇଥିଲା। ଉଭୟ ପଡ଼ୋଶୀଙ୍କ ଘରୁ ବୁକୁଫଟା କ୍ରନ୍ଦନ ଭିତରେ ଶୁଭୁଥିଲା.. କାହାପାଇଁ କୋଉ ଲୋଭ ମାୟାରେ.. ଏ ଘର ସମ୍ପତ୍ତି?

ଢେରଦିନ ଗାଁ ପଡ଼ୋଶୀଙ୍କ ତାଂ ବଡା.. ତାଂ ବଡା ବାଜୁଥିବା ଡମ୍ବରୁର ସ୍ବର ନରମୀ ଆସି ନୀରବି ଯାଇଥିଲା.. ଉଭୟ ପରିବାର ଆଶ୍ରୟ ନେଇଥିବା କେଉଁ ଏକ ଜରାଶ୍ରମ ମନ୍ଦିର ଭିତରେ….!! -ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri