ପ୍ଲାଜମା ଡୋନର୍ସ ହେବେ ସମ୍ମାନିତ: ପରିବାରବର୍ଗଙ୍କୁ ମିଳିବ ସ୍ବାସ୍ଥ୍ୟ ସୁବିଧା

ପଣଜି,୨୯।୮: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ବାହାରି ନ ଥିବା ବେଳେ ପ୍ଲାଜମା ଚିକିତ୍ସା ରୋଗୀଙ୍କ ପାଇଁ ଏକ ବରଦାନ ପାଲଟିଛି। ତେବେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନିଜର ପ୍ଲାଜମା ଦାନ କରିବା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଲାଗି ଗୋଆ ସରକାର ଏକ ନୂତନ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଦ୍ୱାରା ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଯଦି ନିଜର ପ୍ଲାଜମା ଦାନ କରିନ୍ତି ତେବେ ତାଙ୍କ ପରିବାରଙ୍କୁ ବିଶେଷ ସ୍ବାସ୍ଥ୍ୟ ପ୍ରୋତ୍ସାହନ ଦିଆଯିବ। ଏନେଇ ଶନିବାର ଗୋଆର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ଲାଜମା ଡୋନର୍ସଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପ୍ରମାଣ ପତ୍ର ସହ ସମ୍ମାନିତ କରାଯିବ। ଏଥିସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡୋନର୍ସଙ୍କ ପରିବାରବର୍ଗଙ୍କ ପାଇଁ ବିଶେଷ ଅର୍ଥରାଶି ପ୍ରଦାନ କରାଯିବ ବୋଲି ବିଶ୍ୱଜିତ ରାଣେ କହିଛନ୍ତି।

Share