ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏମ୍ସ (AIIMS) ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’ ନିର୍ମାଣ କରାଯିବ। ବୁଧବାର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରୋଗୀଙ୍କୁ ‘ଗୋଲ୍ଡେନ ଆୱାର’ ମଧ୍ୟରେ ଚିକିତ୍ସା ଯୋଗାଇଦେବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଖଣ୍ଡଗିରିରୁ ଏମ୍ସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାକୁ ତିନି-ଲେନ୍ରେ ପରିଣତ କରାଯିବ। ଏଥିମଧ୍ୟରୁ ଗୋଟିଏ ଲେନ୍ କେବଳ ଆମ୍ବୁଲାନ୍ସ ଚଳାଚଳ ପାଇଁ ସଂରକ୍ଷିତ ରହିବ।
ଏହି ସ୍ୱତନ୍ତ୍ର କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ। ଏଥିରେ ଯେପରି ଅନ୍ୟ ଗାଡ଼ି ପ୍ରବେଶ ନକରେ, ସେଥିପାଇଁ ସୁରକ୍ଷାକର୍ମୀ ନିୟୋଜିତ ହେବା ସହ ସିସିଟିଭି କ୍ୟାମେରା ଲଗାଯିବ। ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଭାରି ଜରିମାନା ଆଦାୟ କରାଯିବ।
ରାସ୍ତା ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ସ୍ଥଳେ ଡ୍ରେନ୍ ଘୁଞ୍ଚାଯିବ ଏବଂ ଜମି ଅଧିଗ୍ରହଣ କରାଯିବ। ଆଇଗିଣିଆ ଆଳୁ ଗଦି ଜଙ୍କସନରୁ ଏମ୍ସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରି ଭେଣ୍ଡିଂ ଜୋନ୍ ନିର୍ମାଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ କେବଳ ରାସ୍ତା ନୁହେଁ, ବରଂ ଏମ୍ସର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ୱେରେଜ୍ ବ୍ୟବସ୍ଥାର ସଂସ୍କାର, ଉତ୍ତମ ଆଲୋକୀକରଣ ଏବଂ ଅପରାଧ ରୋକିବା ପାଇଁ ସିସିଟିଭି ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ପ୍ରାଥମିକ ସର୍ଭେ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରାଯିବ।
ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲାପାଳ, ଏନ୍ଏଚ୍ଏଆଇ (NHAI) ଆଞ୍ଚଳିକ ଅଧିକାରୀ ଏବଂ ଏମ୍ସ ଅଧୀକ୍ଷକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


