Categories: ଜାତୀୟ

ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଉଡାଣ ଭରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ଯୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଆସୁଛି। ତେବେ ଯୁଦ୍ଧ ଆଶଙ୍କା ମଧ୍ୟରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ବିମାନ ପଠାଯାଇଛି। ମଙ୍ଗଳବାର ସକାଳୁ ଏୟାର ଇଣ୍ଡିଆର ଏହି ସ୍ବତନ୍ତ୍ର ବିମାନ ଉଡାଣ ଭରିଥିବା ଜଣାପଡ଼ିଛି। ୨୦୦ରୁ ଊର୍ଦ୍ଧ୍ୱ ସିଟ୍‌ କ୍ଷମତା ବିଶିଷ୍ଟ ଡ୍ରିମଲାଇନର୍‌ ବି-୭୮୭ ବିମାନକୁ ସ୍ବତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ମଙ୍ଗଳବାର ରାତିରେ ଏହି ବିମାନ ୟୁକ୍ରେନ୍‌ରୁ ଫେରି ଦିଲ୍ଲୀରେ ଅବତରଣ କରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ୟୁକ୍ରେନର ବିଭିନ୍ନ ସ୍ଥାନରେ ୨୦ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ର ଏବଂ ନାଗରିକ ବାସ କରୁଛନ୍ତି।

Share