ବିଦେଶରୁ ଫେରିଲେ ବାଚସ୍ପତି

ଭଞ୍ଜନଗର,୫।୯(ଡି.ଏନ.ଏ):ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଦେଶ ଗସ୍ତ ସାରି ଶୁକ୍ରବାର ଓଡ଼ିଶା ଫେରିବା ପରେ ରବିବାର ନିଜ ନିର୍ବାଚନମଣ୍ଡଳୀ ଭଞ୍ଜନଗରକୁ ଆସିଛନ୍ତି। ତାଙ୍କୁ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଭେଟି ସ୍ବାଗତ ଜଣାଇଥିଲେ। ଅପରାହ୍ନରେ ସ୍ଥାନୀୟ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାରେ ଭଞ୍ଜନଗର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ପଞ୍ଚାୟତ ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ସୋମବାର ଭଞ୍ଜନଗର ବିଡ଼ିଓ ଏବଂ ଏହାପରେ ଏନଏସି ଲୋକ ପ୍ରତିନିଧି, ନିର୍ବାହୀ ଅଧିକାରୀଙ୍କ ସହ ମଧ୍ୟ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରିବେ । ଅପରାହ୍ନରେ ଜଗନ୍ନାଥପ୍ରସାଦ ଅଭିମୁଖେ ଯାଇ ଗ୍ରାମ୍ୟ ଉନ୍ନୟନ ଡ଼ାକ ବଙ୍ଗଳାରେ ଜଗନ୍ନାଥପ୍ରସାଦ ତହସିଲଦାର ଏବଂ ବିଡ଼ିଓଙ୍କ ସହ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଭୁବନେଶ୍ୱର ଫେରିଯିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିଲ୍ଲୀରେ ଜୀବନ ବ୍ୟାପି ସାଧନା ସମ୍ମାନ ପୁରସ୍କାର ପାଇବା ପରେ ୬ରେ ଓଡ଼ିଶା ଫେରିବେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରୁ ଲୋକେ ଭୁବନେଶ୍ୱର ଯିବେ । ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ମଧ୍ୟ ଶତାଧିକ ଲୋକ ପ୍ରତିନିଧି ପ୍ରମୁଖ ଭୁବନେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିବା କାର୍ଯ୍ୟକ୍ରମ ରହିଛି ।