ମାଡ୍ରିଡ୍,୨୧ା୭: ସ୍ପେନ୍ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍ ରାସ୍ତାରେ ଏକତ୍ରିତ ହୋଇଥିଲେ। ଦଳର ୨୬ ଖେଳାଳି ଓ କୋଚିଂ ଷ୍ଟାଫ୍ ରାଜଧାନୀରେ ପହଞ୍ଚିବା ପରେ ଦେଶର ରାଜ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହାପରେ ସେମାନେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କୁ ଭେଟିଥିଲେ। ପରେ ଦଳକୁ ଏକ ଖୋଲା ବସରେ ପ୍ରଶଂସକଙ୍କ ମଧ୍ୟରେ ସେଣ୍ଟ୍ରାଲ ମାଡ୍ରିଡ୍ ନିଆଯାଇଥିଲା।
ଉକ୍ତ ବସ୍ରେ ଫୁଟବଲରଙ୍କ ଫଟୋ ସହିତ ‘ଷ୍ଟାର୍ସ ଶାଇନ ଟୁଗେଦର’ ଉଲ୍ଲେଖ ଥିଲା। ସେହିଭଳି ଖେଳାଳିଙ୍କ ଶାର୍ଟରେ ସୋମସ କାମ୍ପଓ୍ବୋନ୍ସ (ଆମେ ଚାମ୍ପିୟନ) ଉଲ୍ଲେଖ ରହିଥିଲା। ବିଶ୍ୱକପ୍ ଟ୍ରଫି ଧରିଥିବା ଖେଳାଳିମାନେ ପ୍ରଶଂସକଙ୍କ ସହ ଫଟୋ ଉଠାଇବା ସହ ଡ୍ୟାନ୍ସ କରିଥିଲେ। ଏହାପରେ ଦଳକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମନକ୍ଲୋଆ ପାଲେସଠାରୁ ସିବେଲେସ ସ୍କୋୟାର ନିଆଯାଇଥିଲା, ସେଠାରେ ବିଜୟ ଉତ୍ସବ ପାଇଁ ୧,୨୦,୦୦୦ ପ୍ରଶଂସକ ଏକତ୍ରିତ ହୋଇଥିଲେ।
ଏହା ରିୟଲ ମାଡ୍ରିଡ୍ ପାଇଁ ପାରମ୍ପରିକ ଉତ୍ସବ ସ୍ଥଳ। ସେଠାରେ ପ୍ରସ୍ତୁତ ମଞ୍ଚରେ ପ୍ରତି ଖେଳାଳି ସେମାନେ ବାଛିଥିବା ଗୀତରେ ଏଣ୍ଟ୍ରି କରିଥିଲେ। ୨୫ତମ ଜନ୍ମଦିନ ପାଳନ କରୁଥିବା ଆଲେକ୍ସ ବାଏନା ବିଶ୍ୱକପ୍ ଟ୍ରଫି ସହ ମଞ୍ଚରେ ପ୍ରବେଶ କରିଥିଲେ। ଖେଳାଳିଙ୍କ ସହ ଗାୟକ ଆଇଟାନା, ଆନା ମେନା ଓ ଲୋଲା ଇଣ୍ଡିଗୋ ପ୍ରଶଂସକଙ୍କୁ ଏଣ୍ଟରଟେନ କରିଥିଲେ। ଶେଷରେ ସମ୍ପୂର୍ଣ୍ଣ ସ୍ପେନ ଦଳ ଟ୍ରଫି ଉଠାଇ କାର୍ଯ୍ୟକ୍ରମ ଶେଷ କରିଥିଲେ।