ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼ାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମିତି ବୈଠକରେ ଗଞ୍ଜାମ ଏସ୍ପି ହରିଶ ବିଶି ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି, ହୁମା ଫାଣ୍ଡି ଅଧିକାରୀ ବିନୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହୁମା, ହାଟ ପଡିଆ, ପାଳୁରୁ ଜଙ୍କସନ, ସୁବଳୟା, ଓ ରମ୍ଭାର ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଗଲା ସ୍ଥାନୀୟ ଅଞ୍ଚଳରେ କ୍ରିମିନାଲ କମିବ ବୋଲି ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ ମତ ପ୍ରକାଶ କରିଥିଲେ। ପୋଲିସ ଜନତା ମିଳିମିଶି କାମ କଲେ ଅସାମାଜିକ କାର୍ଯ୍ୟ ବହୁ ମାତ୍ରାରେ କମି ପାରିବ ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ୱାଳ ମତ ବ୍ୟକ୍ତ କରିଥିଲେ। ରୋଡ୍ ରୋମିଓଙ୍କ ସ୍ପିଡ୍ ଗାଡ଼ି ଚାଳନା ଯୋଗୁ ଅନେକ ଧନ ଜୀବନ ନଷ୍ଟ ହେବା ସହ ଆହତ ହେଉଛନ୍ତି l ଏଣୁ ପୋଲିସ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେବାକୁ ବିଜେଡି ଯୁବ ନେତା ରଞ୍ଜିତ କୁମାର ପଲାଇ ମତ ରଖିଥିଲେ। ଅସାମାଜିକ ମଦ ମାଫିଆମାନେ ଚିଲିକାରେ ଡଙ୍ଗା ସାହାଯ୍ୟରେ ମଦ କାରବାରରେ ଲିପ୍ତ ରହୁଛନ୍ତି। ସେମାନଙ୍କୁ ସାଭାଢ଼ କରିବାକୁ ଲୋକମାନେ ଏସ୍ପିଙ୍କ ଠାରେ ଦାବି କରିଥିଲେ। ଏହି ପୋଲିସ ସମିତି ବୈଠକରେ ସମିତି ସଭ୍ୟ ଧ୍ରୁବଚରଣ ପଲାଇ, ରଙ୍କନିଧି ପ୍ରଧାନ, ରଘୁନାଥ ସାହୁ, ଯୋଗେଶ ସାହୁଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।