ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି କାରଣ ନ ଥାଇ ନିର୍ଯାତନା ଦେଉଥିବା ପି. ରାମଚନ୍ଦ୍ରପୁରର ଯୁବକମାନେ ଅଭିଯୋଗ ଆଣିଛନ୍ତି। ଗ୍ରାମର ବଳରାମ ପ୍ରଧାନ ନାମକ ଜଣେ ଯୁବକ ନିଜ ଜମିରେ ଘର ତିଆରି କରୁଥିବା ବେଳେ କିଛି କାରଣ ନ ଥାଇ ପୋଲିସ ତାଙ୍କୁ ହଇରାଣ କରୁଛି। ଏପରିକି ଉକ୍ତ ଘରକୁ ଭାଙ୍ଗିଦେବାକୁ ଧମକ ଦେଉଥିବା ବଳରାମ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିରେ ନିଜ ଘର ବାରଣ୍ଡାରର ବସିଥିବା ସମୟରେ ବିନା କାରଣରେ ପୋଲିସ ମାଡ଼ ମାରିଥିବା ସେ କହିଛନ୍ତି । ନିଜ ଜାଗାରେ ଛୋଟ ରେଷ୍ଟୁରାଣ୍ଟଟିଏ କରିବାକୁ ଚାହୁଁଥିବା ବେଳେ ଏହାକୁ ବିରୋଧ କରି ପୋଲିସ ଏଭଳି କାଣ୍ଡ ଭିଆଉଥିବା କହିଛନ୍ତି। ଶନିବାର ଅତିରିକ୍ତ ଏସପିଙ୍କୁ ଭେଟି ସେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି, ତଦନ୍ତ ଭାର ସ୍ଥାନୀୟ ଏଡିପିଓଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି।