Categories: ଖେଳ

ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚ୍‌କୁ ‘ସର୍ଦନ ଡର୍ବି’ କାହିଁକି କୁହାଯାଏ

ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ଅନେକ ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅତି ନିକଟତର ହୋଇଥିବାବେଳେ କେତେକଙ୍କ ପାଇଁ ରାସ୍ତା କଷ୍ଟକର ମନେ ହେଉଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ଟାଇଟଲ ପାଇଁ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଉଥିଲା। ଦିଲ୍ଲୀ ଏବଂ ଚେନ୍ନାଇ ସେମାନଙ୍କ ପ୍ରଦର୍ଶନ ସହିତ ଏହି ତଥ୍ୟକୁ ବହୁ ପରିମାଣରେ ପ୍ରମାଣ କରିଛନ୍ତି। କାରଣ ଉଭୟ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି । ଆର୍‌ସିବି ମଧ୍ୟ ଏହି ରେସ୍‌ରେ ଅଛି।
ଆଇପିଏଲ୍‌ରେ ଏମିତି କିଛି ଦଳ ଅଛି, ଯାହା ମଧ୍ୟରେ ଦୃଢ ପ୍ରତିଯୋଗିତା ହୋଇଥାଏ। ପ୍ରଶଂସକ ମଧ୍ୟ ସେହି ମ୍ୟାଚ୍‌ ଦେଖିବାକୁ ବ୍ୟାକୁଳ ଥାନ୍ତି। ପ୍ରଶଂସକଙ୍କ ଦୃଷ୍ଟିରେ, ଆଇପିଏଲର ପ୍ରକୃତ ଯୁଦ୍ଧ ଚେନ୍ନାଇ ସୁପର କିଙ୍ଗସ ଏବଂ ଆରସିବି ମଧ୍ୟରେ ହୋଇଥାଏ। ଯେତେବେଳେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ହୁଏ, ଏହାକୁ ସର୍ଦନ ଡର୍ବି (Southern durby)କୁହାଯାଏ। ତେବେ ଏମିତି କାହିଁକି କୁହାଯାଏ ତାହା ପଛରେ ମଧ୍ୟ କାରଣ ରହିଛି। ନଦୀ ସହ ଜଡିତ ବିବାଦ ହେତୁ ଏହି ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ଏହି ନଦୀର ନାମ କାବେରୀ ଏବଂ ଏହି କାରଣରୁ ସର୍ଦନ ଡର୍ବିକୁ ‘କାଭେରୀ ଡର୍ବି’ ମଧ୍ୟ କୁହାଯାଏ।
ବର୍ଷ ବର୍ଷ ଧରି ତାମିଲନାଡୁ ଏବଂ କର୍ନାଟକରେ କାବେରୀ ନଦୀ ଉପରେ ରାଜନୈତିକ ଏବଂ ଭାବପ୍ରବଣ ଯୁଦ୍ଧ ଚାଲିଆସୁଛି। ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ନଦୀ ବିବାଦ ଆଇପିଏଲ ମାଧ୍ୟମରେ ଏକ ନୂତନ ନାମ ପାଇଛି, ଯାହା ଉଭୟ ରାଜ୍ୟର ଲୋକଙ୍କ ଭାବନାକୁ ଯୋଡିଛି। ଏହି କାରଣରୁ ପଡିଆରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଆଗେଇ ଆସିଛି। ଚେନ୍ନାଇ ସୁପର କିଙ୍ଗସ ଏବଂ ଆରସିବି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର କାରଣ କେବଳ କାଭେରୀ ନଦୀ ବିବାଦ ନୁହେଁ, ବରଂ କ୍ରିକେଟର ଦୁଇଟି ବଡ ନାମ ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି। ଗୋଟିଏ ପଟେ ବିରାଟ କୋହଲି ଏବଂ ଅନ୍ୟ ପଟେ ମହେନ୍ଦ୍ର ସିଂ ଧୋନୀ। ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ମ୍ୟାଚକୁ ହାଇ ଭୋଲଟେଜ କରିଥାଏ।

Share