Categories: Home Leftଖେଳ

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ତିଳକ ବର୍ମାଙ୍କ ନେତୃତ୍ୱାଧୀନ ସାଉଥ ଜୋନ ଏବେ ସଙ୍କଟରେ ପଡ଼ିଛି। ଦଳ ଯଦି ୭୦୦ ରନ୍‌ ମଧ୍ୟ କରିଦିଏ, ତଥାପି ଫାଇନାଲ ହାରିପାରେ। ଏହା ପଛରେ ରହିଛି ଦୁଲୀପ ଟ୍ରଫିର ଏକ ରୋଚକ ନିୟମ।

ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଜୋନ ୭୦୮ ରନର ବିଶାଳ ସ୍କୋର କରିଛି। ଅଧିନାୟକ ଈଶାନ କିଶନ ୨୭୦ ରନର ଦମଦାର ଇନିଂସ ଖେଳିଥିବା ବେଳେ କୁମାର କୁଶାଗ୍ର ମଧ୍ୟ ଶତକ ହାସଲ କରିଛନ୍ତି।

ଏବେ ସାଉଥ ଜୋନ ସାମ୍ନାରେ ପ୍ରଥମ ଚ୍ୟାଲେଞ୍ଜ ହେଉଛି ଫଲୋଅନ ଏଡ଼ାଇବା। ଏଥିପାଇଁ ଦଳକୁ ଅତିକମରେ ୫୦୮ ରନ କରିବାକୁ ପଡ଼ିବ। କିନ୍ତୁ ଏହି ଟାର୍ଗେଟ ହାସଲ କରିଦେଲେ ମଧ୍ୟ ସାଉଥ ଜୋନ ଉପରୁ ପରାଜୟର ଭୟ ଟଳିବ ନାହିଁ।

ଦୁଲୀପ ଟ୍ରଫି ଫାଇନାଲ ଏବେ ଚତୁର୍ଥ ଦିନରେ ପହଞ୍ଚିଛି ଏବଂ ମ୍ୟାଚ ଡ୍ର’ ଆଡ଼କୁ ବଢ଼ୁଥିବା ଦେଖାଯାଉଛି। ଖେଳର ସମୟ କମିବା ସହ ଫଳାଫଳ ଆସିବାର ସମ୍ଭାବନା ମଧ୍ୟ କମିବ। ଏଭଳି ସ୍ଥିତିରେ ଚାମ୍ପିଅନ ଦଳର ନିଷ୍ପତ୍ତି ପ୍ରଥମ ଇନିଂସରେ ମିଳିଥିବା ଲିଡ ଆଧାରରେ ହୋଇପାରେ।

ଇଷ୍ଟ ଜୋନ ପ୍ରଥମ ଇନିସରେ ୭୦୮ ରନ କରିଥିବାରୁ ତାଙ୍କ ସ୍ଥିତି ବେଶ ମଜବୁତ। ଯଦି ସାଉଥ ଜୋନ ୭୦୦ ରନ କରିଥାଏ, ତଥାପି ଇଷ୍ଟ ଜୋନ ଫାଇନାଲ ଜିତିବ। ଏପରିକି ସାଉଥ ଜୋନ ୭୦୭ ରନ ପର୍ଯ୍ୟନ୍ତ ପହଞ୍ଚିଲେ ମଧ୍ୟ ଇଷ୍ଟ ଜୋନ ଚାମ୍ପିଅନ ହୋଇଯିବ। କାରଣ ଇଷ୍ଟ ଜୋନର ପ୍ରଥମ ଇନିଂସରେ ୧ ରନର ଅଗ୍ରଣୀ ରହିବ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ସାଉଥ ଜୋନ ୨୪୨ ରନରେ ୬ଟି ଉଇକେଟ୍‌ ହରାଇସାରିଥିଲା। ଅଧିନାୟକ ତିଳକ ବର୍ମା ଗୋଟିଏ ପଟେ ଦୃଢ଼ ଭାବେ ଠିଆ ହୋଇ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏବେ ସାଉଥ ଜୋନ ପାଇଁ ପ୍ରଥମ ଇନିଂସରେ ବଡ଼ ସ୍କୋର କରିବା ସହ ମ୍ୟାଚକୁ ନିଜ ପକ୍ଷରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

Dharitri – Odisha’s No.1 Odia Daily

Share