ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ ବାଳକ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ୍ଷର ଆୟୋଜକ ପାଟପୁର ଦଳ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳକୁ ୧୩ ରନ୍ରେ ପରାସ୍ତ କରି ଚାମ୍ପିୟନ ହୋଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଗତ ୫ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାଟପୁର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲା।
ଜବାବରେ ପୋଡ଼ାମାରି ଦଳ ୧୨ ଓଭରରେ ୮ ଉଇକେଟ ହରାଇ ମାତ୍ର ୭୦ ରନ କରିପାରିଥିଲା। ଫଳରେ ପାଟପୁର ଦଳ ୧୩ ରନ୍ରେ ବିଜୟୀ ହୋଇ ଟୁର୍ନାମେଣ୍ଟର ଟ୍ରଫି ହାସଲ କରିଥିଲା। ମ୍ୟାଚ୍ରେ ଖାରବେଳ ସ୍ବାଇଁ ଓ ସୁଶାନ୍ତ କୁମାର ରାଉତ ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ପୀତବାସ ସୁଆଁସିଆ ସ୍କୋରର ଭାବେ କାର୍ଯ୍ୟ କରିଥିଲେ। ଆକାଶ ସ୍ବାଇଁ ଓ ରବୀନ୍ଦ୍ର ସେଠୀ ସହାୟତା କରିଥିବା ବେଳେ ଜୀବନ ଦାଶ ଧାରାବିବରଣୀ ପ୍ରଦାନ କରିଥିଲେ।
ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପାଟପୁର କଲେଜର ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଉପସଭାପତି ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଷ୍ଟାଫ କାଉନସିଲ ସମ୍ପାଦକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ଏହା ସହ କ୍ରୀଡ଼ା କମିଟି ସଦସ୍ୟା ତଥା ଅଧ୍ୟାପିକା ଡ. ସାଲିନା ବେହେରା, ଅଧ୍ୟାପକ ପ୍ରଦୀପ ବୈଠାରୁ, ଡ. ସୁରେନ୍ଦ୍ର ଶବର, ତ୍ରିଲୋଚନ ଦାସ ଓ ସନ୍ତୋଷ ମହାପାତ୍ର ପ୍ରମୁଖ ଯୋଗଦେଇ ବିଜୟୀ ପାଟପୁର ଦଳକୁ ପୁରସ୍କୃତ କରିଥିଲେ। ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।
ଆସନ୍ତା ୧୩ରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଜୋନ୍ର ବିଜେତା ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଦକ୍ଷିଣ ଓଡ଼ିଶା ଜୋନ-ଏର ଚାମ୍ପିୟନ ପାଟପୁର ଦଳ ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖୋର୍ଦ୍ଧା ଯାତ୍ରା କରିଥିବା ଜଣାପଡ଼ିଛି।