ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ Sub-Saharan ଆଫ୍ରିକା ଟିମ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ସାଉଥ୍ ଏସିଆ ଚାମ୍ପିୟନ୍ ହୋଇଛି । ପ୍ରଥମେ ସାଉଥ୍ ଏସିଆର ମହିଳା ଟିମ୍ ୩ ରନ୍‌ର ଅଗ୍ରଣୀ ଦେଇଥିଲା। ଏହାପରେ ପୁରୁଷ ଟିମ୍ Sub-Saharan ଆଫ୍ରିକାକୁ ମାତ୍ର ୮୭ ରନ୍‌ରେ ଅଲ୍‌ଆଉଟ୍ କରିଦେଇଥିଲା। ଜିତିବା ପାଇଁ ମିଳିଥିବା ୮୫ ରନ୍‌ର ଲକ୍ଷ୍ୟକୁ ସାଉଥ୍ ଏସିଆ ମାତ୍ର ୭.୨ ଓଭରରେ ହାସଲ କରିନେଇଥିଲା।

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ କ୍ଲାଇଭ୍ ଲଏଡ୍ ବିଜେତା ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ବିରାଟ କୋହଲିଙ୍କ ଭଣଜା ଆୟୁଷ ଧିଙ୍ଗରା ୧୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏଥିପାଇଁ ତାଙ୍କୁ ‘ପ୍ଲେୟର ଅଫ୍ ଦି ମ୍ୟାଚ୍’ ଭାବେ ଚୟନ କରାଯାଇଥିଲା। ସେହିପରି ସୁହାନୀ ଅପରାଜିତ ୬୦ ରନ୍‌ର ଇନିଂସ ଖେଳି ସାଉଥ୍ ଏସିଆକୁ ଚାମ୍ପିୟନ୍ କରିବାରେ ବଡ଼ ଭୂମିକା ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଉପ-ସାହାରା ଆଫ୍ରିକାର ମହିଳା ଟିମ୍ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। କଞ୍ଚନ ୪୦ ବଲ୍‌ରେ ୫୪ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୫ଟି ଚୌକା ସାମିଲ ଥିଲା। ଶେଷ ଆଡ଼କୁ ପେଟନ୍ ହ୍ୟୁମ୍ ୧୮ ବଲ୍‌ରେ ଅପରାଜିତ ୨୭ ରନ୍ ଏବଂ ପାୟଲ ଜାଖଡ଼ ୧୯ ରନ୍ କରିଥିଲେ।ସାଉଥ୍ ଏସିଆ ପକ୍ଷରୁ ଅଦିତି ଅଙ୍ଗଦ ଲାଣ୍ଡେ ୩ ଓଭରରେ ୨୨ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ସିଆ ଚୁଘ୍ ଗୋଟିଏ ୱିକେଟ୍ ନେଇଥିବା ବେଳେ ସୁହାନୀ ଭରତକୁମାର କହଣ୍ଡଲ ଗୋଟିଏ ମେଡେନ୍ ଓଭର ସହ ଗୋଟିଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ସାଉଥ୍ ଏସିଆର ମହିଳା ଟିମ୍ ୩ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ସୁହାନୀ ୪୪ ବଲ୍‌ରେ ଅପରାଜିତ ୬୦ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ଥିଲା। ସିଆ ଚୁଘ୍ ୩୪ ବଲ୍‌ରେ ୨୯ ରନ୍ କରି ତାଙ୍କୁ ସହଯୋଗ କରିଥିଲେ। ଏହିପରି ସାଉଥ୍ ଏସିଆକୁ ୩ ରନ୍‌ର ଅଗ୍ରଣୀ ମିଳିଥିଲା। ୩ ରନ୍‌ର ଅଗ୍ରଣୀ ପରେ ସାଉଥ୍ ଏସିଆର ପୁରୁଷ ଟିମ୍‌ର ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଉପ-ସାହାରା ଆଫ୍ରିକାକୁ ୧୪.୨ ଓଭରରେ ମାତ୍ର ୮୭ ରନ୍‌ରେ ଅଲ୍‌ଆଉଟ୍ କରିଦେଇଥିଲେ। ଜୋସେଫ୍ ହପ୍‌କିନ୍ସ ୧୮ ବଲ୍‌ରେ ୩୧ ରନ୍‌ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୪ଟି ଚୌକା ଓ ୨ଟି ଛକା ଥିଲା। ହେଲେ ଅନ୍ୟ ବ୍ୟାଟର୍‌ମାନେ ତାଙ୍କୁ ସେତେଟା ସହଯୋଗ କରିପାରି ନଥିଲେ।

ସାଉଥ୍ ଏସିଆ ପକ୍ଷରୁ ଆୟୁଷ ଧିଙ୍ଗରା ୪ ଓଭରରେ ୧୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଆଦିତ୍ୟ ଭଟ୍ଟ ୧୦ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ହର୍ଷିତ ତିୱାରୀ ଓ ତନୁଷ ଆପ୍ଟେ ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

 

Dharitri – Odisha’s No.1 Odia Daily

Share