Categories: ଖେଳ

ଗୋଟିଏ ଦିନରେ ୧୭ ଉଇକେଟ ପତନ

ଲଣ୍ଡନ, ୧୧ା୯(ଏପି): ଓଭାଲଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ କ୍ରିକେଟ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ୧୭ଟି ଉଇକେଟର ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୬.୨ ଓଭର ଖେଳି ମାତ୍ର ୧୧୮ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଓଲି ରବିନ୍‌ସନ ୫ ଓ ଷ୍ଟୁଆର୍ଟ ବ୍ରଡ୍‌ ୪ ଉଇକେଟ ନେଇ ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଇଂଲଣ୍ଡ ଖରାପ ଆଲୋକ ଯୋଗୁ ତୃତୀୟ ଦିବସ ଖେଳ ସ୍ଥଗିତ ରଖାଯିବା ବେଳକୁ ୩୩.୪ ଓଭରରେ ୭ ଉଇକେଟ ବିନିମୟରେ ୧୫୪ ରନ କରିଥିଲା। ଆଉଟ ହୋଇଥିବା ବ୍ୟାଟରମାନଙ୍କ ମଧ୍ୟରେ ଓଲିପୋପ୍‌ ସର୍ବାଧିକ ୬୭ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକାର ସଫଳ ବୋଲର ମାର୍କୋ ଜାନ୍‌ସେନ୍‌ ୩୪ ରନ ଦେଇ ୪ ଉଇକେଟ ଅକ୍ତିଆର କରିଛନ୍ତି। ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ସମ୍ଭବପର ନ ଥିଲା। ରାଣୀ ଏଲିଜାବେଥ-୨ଙ୍କ ଦେହାନ୍ତ ଯୋଗୁ ତାଙ୍କୁ ସମ୍ମାନ ଜଣାଇ ଦ୍ୱିତୀୟ ଦିବସ ଖେଳକୁ ବାତିଲ କରାଯାଇଥିଲା। ପୂର୍ବରୁ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ଥିବାରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରରେ ରହିଛି। ଶନିବାର ଉଭୟ ଦଳର ଖେଳାଳି କଳା ଆର୍ମବ୍ୟାଣ୍ଡ ପରିଧାନ କରି ପଡ଼ିଆକୁ ଓହ୍ଲାଇଥିଲେ। ରାଣୀଙ୍କୁ ସମ୍ମାନ ଜଣାଇ ୧ ମିନିଟ ନୀରବ ପ୍ରାର୍ଥନା ପରେ ଖେଳ ଆରମ୍ଭ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୩୬.୨ ଓଭରରେ ୧୧୮/ ଅଲ୍‌ଆଉଟ (ମାର୍କୋ ଜାନ୍‌ସେନ୍‌-୩୦; ଓଲି ରବିନ୍‌ସନ-୫/୪୯, ଷ୍ଟୁଆର୍ଟ ବ୍ରଡ୍‌-୪/୪୧)।
ଇଂଲଣ୍ଡ ପ୍ରଥମ ଇନିଂସ: ୩୩.୪ ଓଭରରେ ୧୫୪/୭ (ଓଲି ପୋପ୍‌-୬୭, ଜୋ ରୁଟ୍‌-୨୩; ମାର୍କୋ ଜାନ୍‌ସେନ-୪/୩୪, କାଗିସୋ ରାବାଡା-୨/୭୮)।

Share