Categories: ଖେଳ

ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନ ଥିଲି: ଗାଙ୍ଗୁଲି ବିବାଦୀୟ ମାମଲାକୁ ନେଇ କହିଲେ…

ନୂଆଦିଲ୍ଲୀ,୫।୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେତେବେଳେ ଅଧିନାୟକ ପଦ ଛାଡ଼ିଥିଲେ ସେତେବେଳେ ଅନେକ ପ୍ରକାର ଚର୍ଚ୍ଚା ହେଉଥିଲା। କିଛି ସେ ଚାପରେ ଅଧିନାୟକ ପଦ ଛାଡ଼ିଥିବା କହିଥିବା ବେଳେ କିଛି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କ ଉପରେ ଖୁସି ନ ଥିବାରୁ କୋହଲିଙ୍କୁ ହଟାଯାଇଥିବା କହିଥିଲେ। ଦୁହେଁ ଏନେଇ ମୁହଁ ଖୋଲି ନ ଥିଲେ। ଏବେ ଗାଙ୍ଗୁଲି ଏହି ମାମଲାରେ ନିଜ ପକ୍ଷ ରଖିଛନ୍ତି।

ଦାଦାଗିରି ଅନଲିମିଟେଡ୍‌ ସିଜନ୍‌ ୧୦ରେ ସୌରଭ ଗାଙ୍ଗୁଲି କହିଛନ୍ତି, ‘ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନ ଥିଲି। ମୁଁ ଏନେଇ ଅନେକ ଥର କହିସାରିଛି। ସେ ଟି୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିନାୟକ ହେବାକୁ ଚାହୁଁ ନ ଥିଲେ। ଯେତେବେଳେ ସେ ଏଭଳି ନିଷ୍ପତ୍ତି ନେଇଥିଲେ ମୁଁ ତାଙ୍କୁ କହିଥିଲି ଯେ ଯଦି ତୁମେ ଟି୨୦ରେ ଅଧିନାୟକ ହେବାକୁ ଚାହୁଁନାହଁ ତେବେ ତୁମେ ହ୍ବାଇଟ୍‌ ବଲ୍‌ କ୍ରିକେଟର ଅନ୍ୟ ଫର୍ମାଟରେ ମଧ୍ୟ ଅଧିନାୟକ ପଦକୁ ଛାଡ଼ିଦିଅ। ଟେଷ୍ଟରେ ଭିନ୍ନ ଏବଂ ସୀମିତ ଓଭର କ୍ରିକେଟ ପାଇଁ ଭିନ୍ନ ଅଧିନାୟକ କରିଦେବା। ’

ପ୍ରକାଶ ଯେ, ବିରାଟଙ୍କୁ ଯେତେବେଳେ ଦିନିକିଆ ଟିମ୍‌ର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ସେତେବେଳେ ଏକ ପ୍ରେସ୍‌ କନ୍‌ଫରେନ୍ସରେ କୋହଲି କହିଥିଲେ ଯେ ତାଙ୍କୁ ଏନେଇ କୌଣସି ସୂଚନା ମିଳି ନ ଥିଲା। ତାଙ୍କ ସହ କେହି କଥା ହୋଇ ନ ଥିଲେ। ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କୁ ଏହାପଛର କାରଣ ବୋଲି କୁହାଯାଇଥିଲା। ହେଲେ ଗାଙ୍ଗୁଲି ଏହାକୁ ଗ୍ରହଣ କରି ନ ଥିଲେ।

Share