Categories: ଖେଳ

ଗାଙ୍ଗୁଲିଙ୍କ ନଜରରେ ଏହି ଦୁଇ ଖେଳାଳି ଭାରତର ଶ୍ରେଷ୍ଠ ଉଇକେଟକିପର: ପ୍ରଶଂସାରେ କହିଲେ ଏଭଳି

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାପରେ ଭାରତୀୟ ଦଳରେ ଉଇକେଟ୍‌କିପର କିଏ ହେବ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏଥିପାଇଁ ପ୍ରଥମ ପସନ୍ଦ ଋଷଭ ପନ୍ତ ଥିବା ବେଳେ ଖରାପ ପ୍ରଦର୍ଶନ ଯୋଗୁ ସେ ବାଦ ପଡ଼ିଛନ୍ତି। ଏବେ ତାଙ୍କ ସ୍ଥାନ ନେଇଛନ୍ତି କେ.ଏଲ୍‌. ରାହୁଲ। ମାତ୍ର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଶର ପ୍ରମୁଖ ଦୁଇ ଉଇକେଟକିପରଙ୍କ ନାମ କହିଛନ୍ତି। ଗାଙ୍ଗୁଲିଙ୍କ ମତରେ, ଋଷଭ ପନ୍ତ ଏବଂ ଋଦ୍ଧିମାନ ସାହା ଦେଶର ଦୁଇ ପ୍ରମୁଖ ଉଇକେଟ୍‌କିପର।

ତେବେ ଋଦ୍ଧିମାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସାମିଲ ହୋଇନଥିବା ବେଳେ ଋଷଭ ଟିମ୍‌ରୁ ବାହାର ହୋଇଛନ୍ତି। ଆଇପିଏଲ୍‌ରେ ପନ୍ତ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲେ। ତଥାପି ସେ ବହୁତ ଭଲ ଖେଳନ୍ତି। ତାଙ୍କ ପାଖରେ ବହୁଳ ପ୍ରତିଭା ରହିଛି। ସେ ପୁଣିଥରେ ନିଜର ସ୍ବିଙ୍ଗ୍‌କୁ ଫେରିବେ। ସେ ଜଣେ ଯୁବ ଖେଳାଳି ହୋଇଥିବାରୁ ତାଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଗାଙ୍ଗୁଲି କହିଛନ୍ତି।

ଭାରତୀୟ ଦଳରେ ଖେଳାଳିଙ୍କୁ ଦେଖିଲେ, ଏକଦିବସୀୟ ଏବଂ ଟି୨୦ ମ୍ୟାଚ୍‌ ପାଇଁ କେ.ଏଲ୍‌ ରାହୁଲ ଏବଂ ସଞ୍ଜୁ ସାମସନଙ୍କୁ ଉଇକେଟକିପର ଭାବେ ଚୟନ କରାଯାଇଛି। ୨୭ ନଭେମ୍ବର ଅର୍ଥାତ ଆଜିଠାରୁ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ ଆରମ୍ଭ ହୋଇଛି। ଏହାପରେ ଟି-୨୦ ଏବଂ ଟେଷ୍ଟ ମ୍ୟାଚ୍‌ ଖେଳାଯିବାର ରହିଛି।

Share