ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ଫ୍ରାଞ୍ଚାଇଜ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ଏହି ସୂଚନା ଦେଇଛି। ସେ ପୂର୍ବତନ କୋଚ୍ ହେମାଙ୍ଗ ବଦାନୀଙ୍କ ସ୍ଥାନ ନେବେ, ଯିଏ ଗତ ଦୁଇଟି ସିଜନ୍ରେ ଦଳର କୋଚିଂ ଦାୟିତ୍ୱ ତୁଲାଉଥିଲେ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୧୯ରୁ ଦିଲ୍ଲୀ ଫ୍ରାଞ୍ଚାଇଜ୍ ସହିତ ଜଡ଼ିତ ଅଛନ୍ତି। ପ୍ରଥମେ ସେ ପରାମର୍ଶଦାତା ଭାବେ ଦଳରେ ଯୋଗ ଦେଇଥିଲେ, ପରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଷ ଓ ମହିଳା ଦଳର ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଦାୟିତ୍ୱ ଦିଆଯାଇଥିଲା। ଏହାଛଡ଼ା ଦକ୍ଷିଣ ଆଫ୍ରିକାର SA20 ଲିଗ୍ରେ ଦିଲ୍ଲୀ ଫ୍ରାଞ୍ଚାଇଜର ଦଳ ‘ପ୍ରିଟୋରିଆ କ୍ୟାପିଟାଲ୍ସ’ର ହେଡ୍ କୋଚ୍ ଭାବେ ଗାଙ୍ଗୁଲି କାର୍ଯ୍ୟ କରିଥିଲେ ଏବଂ ତାଙ୍କ ମାର୍ଗଦର୍ଶନରେ ଦଳ ଫାଇନାଲ୍ରେ ପହଞ୍ଚିଥିଲା।
ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ହେବା ପରେ ଗାଙ୍ଗୁଲି ନିଜର ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, “ଦିଲ୍ଲୀ କ୍ୟାପିଟାଲ୍ସ ମୋ ହୃଦୟର ବହୁତ ନିକଟତର ଏବଂ ଏହି ଫ୍ରାଞ୍ଚାଇଜ୍ ସହ ମୋର ଅନେକ ବର୍ଷର ସମ୍ପର୍କ ରହିଛି। ମୁଁ ଦଳର ମାଲିକ, ମ୍ୟାନେଜମେଣ୍ଟ, ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳିଙ୍କ ସହ ନିବିଡ଼ ଭାବେ କାମ କରିଛି। ଆଇପିଏଲ୍ରେ ଏହି ନୂଆ ଭୂମିକା ମୋ ପାଇଁ ବେଶ୍ ଉତ୍ସାହଜନକ। ଦିଲ୍ଲୀ ପାଖରେ କ୍ରିକେଟରଙ୍କ ଏକ ଭଲ ଦଳ ଅଛି, ଯେଉଁମାନେ ନିୟମିତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଆଗାମୀ ସିଜନ୍ରେ ଦିଲ୍ଲୀକୁ ଏକ ଶକ୍ତିଶାଳୀ ଓ ନିର୍ଭୟ (Fearless) ଦଳ ଭାବେ ଗଢ଼ିତୋଳିବା ମୋର ମୁଖ୍ୟ ଲକ୍ଷ୍ୟ ହେବ।”
ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ। ଦଳ ୨୦୨୦ ସିଜନ୍ରେ ଫାଇନାଲ୍ରେ ପହଞ୍ଚିଥିଲେ ବି ଚାମ୍ପିୟନ୍ ହୋଇପାରି ନ ଥିଲା। ସେହିପରି ୨୦୨୧ ସିଜନ୍ ପରଠାରୁ ଟିମ୍ ପ୍ଲେ-ଅଫ୍ରେ ମଧ୍ୟ ପ୍ରବେଶ କରିପାରି ନାହିଁ। ଏବେ ସୌରଭ ଗାଙ୍ଗୁଲିଙ୍କ ଅଭିଜ୍ଞତା ଓ କୋଚିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିବାର ସ୍ୱପ୍ନ ପୂରଣ କରିବାକୁ ଆଶା ରଖିଛି।