ନିମ୍ବଗଛରୁ ଝରୁଛି କ୍ଷୀର, ପୂଜାର୍ଚ୍ଚନା ଲାଗି ଜମୁଛି ଭିଡ଼

ପାରଳାଖେମୁଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ମାଛମରା ନିକଟସ୍ଥ ମୁଡୁବନ୍ଧ ଗ୍ରାମ ନିକଟ ଏକ ଚାଷଜମିରେ ଥିବା ନିମ୍ବଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରବଳ ଭିଡ଼ ଜମୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ, ମୁଜୁବନ୍ଧର ଏସ୍‌.ରାମକ୍ରିଷ୍ଣା ଓ ଏସ୍‌.ଗଣନାଇକୁଲୁଙ୍କ ଚାଷଜମି ହିଡ଼ରେ ରହିଥିବା ଏକ ନିମ୍ବଗଛରୁ ଗତ ୩ରୁ୪ ଦିନ ହେଲା ଅଳ୍ପ ଅଳ୍ପ ପରିମାଣର କ୍ଷୀର ବାହାରୁଥିବାର ଦେଖା ଦେଇଥିଲା। ହେଲେ ଶନିବାର ବହୁ ପରିମାଣର କ୍ଷୀର ବାହାରୁଥିବାର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ସରପଞ୍ଚ କେ.ତିରୁପତି ରାଓ ପ୍ରମୁଖଙ୍କ ସହ ଅଞ୍ଚଳବାସୀ ଜଣାଇଛନ୍ତି। ନିମ୍ବଗଛରୁ କ୍ଷୀର ବାହାରୁଥିବା ଖବର ପ୍ରସାରିତ ପରେ ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଥିବା ବେଳେ ଆଧ୍ୟାତ୍ମିକ ଚିନ୍ତାଧାରୀମାନେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ଏହି ଗଛର କ୍ଷୀର ବାହାରୁଥିବା ସ୍ଥାନରୁ ସ୍ବଳ୍ପଶବ୍ଦ ମଧ୍ୟ ଶୁଣିବାକୁ ମିଳୁଥିବାର ଜଣାଇଛନ୍ତି। ଏହା ଏକ ଆଲୌକିକ ଘଟଣା ବିବେଚନା କରି ମାଛମରା, ତୋଟାଗୁମୁଡ଼ା, ସାଇଲଡ଼ା, ବୋମିକା, ଉପଲଡ଼ା, କଣ୍ଟାଗଡ଼, ରାଜପୁର, ୭ ମାଇଲ ଏବଂ ଏହାର ଆଖପାଖ ଲୋକେ ମୁଡୁବନ୍ଧ ଗ୍ରାମ ନିକଟରେ ଥିବା ଏହି ନିମ୍ବଗଛକୁ ଦେଖିବା ସହ ପୂଜାର୍ଚ୍ଚନା କରୁଛନ୍ତି।