ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଅନ୍ୟ ଦେଶଗୁଡିକ ପକ୍ଷରୁ କଟକଣା ଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଡାକି ଆଣିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ଯୁଦ୍ଧ ନେଇ ଭାରତ ଏବଂ ଚାଇନାର ନୀତି ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ବଡ ପ୍ରଶ୍ନ ହେଉଛି ଯଦି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଭାରତ ଏବଂ ଚାଇନାର ସ୍ଥିତି କ’ଣ ହେବ? ଏହା ବ୍ୟତୀତ, ଯଦି ଯୁଦ୍ଧ ହୁଏ ତେବେ ଅନ୍ୟ କ’ଣ ପ୍ରଭାବ ପଡ଼ିବ? ତେବେ ଯଦି ତୃତୀୟ

ବିଶ୍ୱଯୁଦ୍ଧ ସ୍ଥିତି ସୃଷ୍ଟି ହୁଏ କେତେକ ଦେଶ ଚାହୁଁ ନ ଥିଲେ ମଧ୍ୟ ଯୁଦ୍ଧର ଅଂଶ ବିଶେଷ ପାଲଟିବାକୁ ନିଶ୍ଚିତ ବାଧ୍ୟ ହେବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଯଦି ଯୁଦ୍ଧ ହୁଏ ତେବେ ୟୁକ୍ରେନ ଏହା ଦ୍ୱାରା ବିଶେଷ ପ୍ରଭାବିତ ହେବ। ରୁଷିଆ ୟୁକ୍ରେନକୁ ଖୁବ ଶୀଘ୍ର ପରାସ୍ତ କରିପାରିବ। ଏବେ ୟୁକ୍ରେନ୍‌ରେ ସୂଚନା ଏବଂ ସାଇବର ଯୁଦ୍ଧ ଜାରି ରହିଛି। ରୁଷିଆର ନିଜସ୍ବ ଏକ ସର୍ଭେରେ ଏହା ଜଣାପଡିଛି ଯେ ୟୁକ୍ରେନ୍‌ର ପ୍ରତ୍ୟେକ ତିନି ଜଣଙ୍କ ମଧ୍ୟରୁ ଜଣେ ୟୁକ୍ରେନ ଯୁଦ୍ଧରେ ଯୋଗଦେବାକୁ ଚାହୁଁଛନ୍ତି, ତେଣୁ ଯୁଦ୍ଧରେ ବିଜୟ ପରେ ମଧ୍ୟ ରୁଷିଆ ପାଇଁ ଚ୍ୟାଲେଞ୍ଜ ଜାରି ରହିବ। ଫଳରେ ୟୁକ୍ରେନ ଅନ୍ୟ ଏକ ଆଫଗାନିସ୍ତାନ ପାଲଟିବାର ଆଶଙ୍କା ରହିଛି।

ଯୁଦ୍ଧ ନେଇ ଇତିଧ୍ୟରେ ରୁଷିଆର ମୋଏକ୍ସ ଷ୍ଟକ ଇଣ୍ଡେକ୍ସ ମଙ୍ଗଳବାର ୧.୫ ପ୍ରତିଶତ ହ୍ରାସ ପାଇଛି। ସୋମବାର ଏହା ୧୦ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୨ରେ ଏପର୍ଯ୍ୟନ୍ତ ଏହା ୨୦ ପ୍ରତିଶତକୁ ଖସି ଆସିଛି। ଏହା ଜାରି ରହିଲେ ଆଗାମୀ ଦିନରେ ରୁଷିଆର ଜିଡିପି ୧ ପ୍ରତିଶତ ହ୍ରାସ ହୋଇପାରେ।

ଏପର୍ଯ୍ୟନ୍ତ ଭାରତ ଏହି ସମଗ୍ର ପ୍ରସଙ୍ଗରେ ନିରପେକ୍ଷ ରହିଛି। ଅର୍ଥାତ୍‌ ଭାରତ ରୁଷିଆ କିମ୍ବା ୟୁକ୍ରେନକୁ ସମର୍ଥନ କରିନାହିଁ। ୟୁକ୍ରେନ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଚାଇନା ମଧ୍ୟ ନୀରବ ରହିଛି। ଭାରତ ପରି ଚାଇନା ଏପର୍ଯ୍ୟନ୍ତ କାହାକୁ ସମର୍ଥନ କରିନାହିଁ। ୟୁଏନଏସସିରେ ଚାଇନାର ପ୍ରତିନିଧି ୟୁକ୍ରେନ ବିବାଦର କୂଟନୈତିକ ସମାଧାନ ପାଇଁ ଅନୁରୋଧ କରିଛନ୍ତି।

Share