ଚିଠିରେ ବିଦ୍ୟାଭାରତୀଙ୍କୁ ସୌମ୍ୟଙ୍କ ଆକୁଳ ନିବେଦନ: ତୁମ ପାଦ ତଳେ ମୋତେ ଟିକେ ଜାଗା ଦିଅ

କଟକ,୨୩ା୭: ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ତୁମର ଚାକର ହୋଇ ରହିବି ପଛେ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବା ବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ମିଳିଥିବା ବେଳେ ଏବେ ସୌମ୍ୟଙ୍କ ଡାଏରୀରୁ ଆଉ କିଛି ତଥ୍ୟ ମିଳିଛି।

ସୌମ୍ୟଙ୍କ ପରିବାରର ଓକିଲ ଗଣମାଧ୍ୟମ ସମ୍ମୁଖକୁ ଏକ ଡାଏରୀ ଆଣିଛନ୍ତି। କେବଳ ଏତିକି ନୁହେଁ, ଆଉ କିଛି ପୃଷ୍ଠାରେ ଆହୁରି କିଛି ଲେଖାଯାଇଛି, ଯେଉଁଥିରୁ ସୌମ୍ୟଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିଲା ବୋଲି ସ୍ପଷ୍ଟ ଜଣାପଡୁଛି।

ଏହି ଡାଏରୀର ଆଉ ଏକ ପୃଷ୍ଠାରେ ଲେଖା ହୋଇଛି- ‘ମୁଁ ତୁମର ଯୋଗ୍ୟତା ଚାହେଁ ନାହିଁ। ଏନେଇ କେବେ ତୁମକୁ କିଛି କହିବି ନାହିଁ, ମୁଁ କେବଳ ଚାହେଁ ତୁମେ ମୋର ସ୍ତ୍ରୀ ଓ ଜଣେ ଭଲ ବନ୍ଧୁ ହୋଇ ରୁହ’। ସୌମ୍ୟଙ୍କ ଡାଏରୀରେ ଆହୁରି ଅନେକ କିଛି ଲେଖା ହୋଇଛି। ଯାହା ଏବେ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀ ୨୨ ଓ ୨୩ ତାରିଖରେ ସୌମ୍ୟ ତାଙ୍କ ଡାଏରୀରେ ଏସବୁ କଥା ଲେଖିଛନ୍ତି। ଗୋଟିଏ ପଟେ ବିଦ୍ୟାଙ୍କ ଚିଠି ତାଙ୍କ ମନରେ ସୌମ୍ୟଙ୍କ ପ୍ରତି ଥିବା ଘୃଣାଭାବକୁ ସୂଚାଇ ଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିବା ସ୍ପଷ୍ଟ ଜଣାପଡୁଛି।