ସୋଲାର ସାଇକେଲ ପାଇଁ ଚର୍ଚ୍ଚାରେ ସୌମ୍ୟ

ରାଜକନିକା,୨୬ା୪(ଡି.ଏନ୍‌.ଏ.):ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଯୁବକ ସୌମ୍ୟ ରଞ୍ଜନ ପଲାଇ। ତାଙ୍କ ସୋଲାର ସାଇକେଲକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକେ ଆସୁଛନ୍ତି। ସୌମ୍ୟ ଜଣେ ଆଇଟିଆଇ ପଢ଼ନ୍ତା ଇଲେକ୍ଟ୍ରିସିଆନ। ତାଙ୍କ ବାପା ସୁରତ ପଲାଇ ଜଣେ ଇଲେକ୍ଟ୍ରିକ ମେକାନିକ୍‌। ତାଙ୍କ ପ୍ରେରଣା ସୌମ୍ୟଙ୍କୁ କମ୍‌ ଖର୍ଚ୍ଚରେ ଅଭିନବ ବିଦ୍ୟୁତ୍‌ ଉପକରଣ ତିଆରି କରିବା ପାଇଁ ବାଟ ଦେଖାଇଛି। ସୋଲାର ସାଇକେଲ ତିଆରି କରିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିବାବେଳେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୌମ୍ୟ କହିଛନ୍ତି। ସେଥିରେ ସେ ୧୨୫ ୱାଟ୍‌ ସୋଲାର ମନୋପ୍ୟାନେଲ ଓ ୨୫୦ ଓ୍ବାଟ୍‌ ବିଏଲ୍‌ଡିସି ମୋଟର ଲଗାଇଛନ୍ତି। ସେହିପରି ୨୪ ଭୋଲ୍ଟ ଲିଥିୟମ ଆୟନ ବ୍ୟାଟେରି ଖଞ୍ଜିଛନ୍ତି। ସେଥିରେ ସୌରଶକ୍ତି ସଞ୍ଚୟ କରି ରାତିରେ ମଧ୍ୟ ୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଗଡ଼ାଇ ପାରୁଛନ୍ତି। ଇତିମଧ୍ୟରେ ସେ ପରୀକ୍ଷାମୂଳକ ଭାବେ ରାଜକନିକାରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୬୦ କିଲୋମିଟର ଯାତ୍ରା କରି ସଫଳ ହୋଇଛନ୍ତି। ବାଟ ରହଣି ସହ ଏହି ଦୂରତାକୁ ସେ ୫ ଘଣ୍ଟାରେ ପାର କରିଥିବା ସୌମ୍ୟ କହିଛନ୍ତି। କେବଳ ଏହି ସୋଲାର ସାଇକେଲ ନୁହେଁ, ଏହା ପୂର୍ବରୁ ଟୁଲୁ ପମ୍ପ୍‌, ଟିଭି, ଫ୍ରିଜ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ସହ ପେଟ୍ରୋଲ ପମ୍ପ୍‌ ମୋଟର, ହାଇସ୍ପିଡ୍‌ ଓ୍ବାଟର ବୋଟ୍‌ରେ ସୋଲାର ଶକ୍ତି ଲଗେଇ ସଫଳତା ପାଇଛନ୍ତି। ଏବେ ସୌର ଶକ୍ତି ଚାଳିତ କାର୍‌ ତିଆରି କରିବା ତାଙ୍କର ଲକ୍ଷ୍ୟ ରହିଛି। ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ଓ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୋଲାର ଯାନର ଆବଶ୍ୟକତାକୁ ସୌମ୍ୟ ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଷ୍ଠାର ସହ ସୋଲାର ସାଇକେଲ ତିଆରି କରିଥିବା କହିଛନ୍ତି। ସୌମ୍ୟଙ୍କ ଏଭଳି ସଫଳତା ପାଇଁ ପେଗରପଡ଼ା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ, ସମିତି ସଭ୍ୟ ପ୍ରସନ୍ନ ମଲିକ ପ୍ରଶଂସା କରିବା ସହ ତାଙ୍କ ନୂଆ ପରିକଳ୍ପନା ପାଇଁ ଶୁଭକାମନା ଜଣାଇଛନ୍ତି।