ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ, ପୁଣି ଜେଲ୍‌ ଗଲେ

ପାରଳାଖେମୁଣ୍ଡି,୧୮।୧୧(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି । ତାଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ଆବେଦନକୁ ପାରଳାଖେମୁଣ୍ଡି ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ଖାରଜ କରିଦେଇଛନ୍ତି । ଫଳରେ ବିଦ୍ୟାଭାରତୀଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇଦିଆଯାଇଛି ।
ସୂଚନାନୁଯାୟୀ, ଗତକାଲି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ । ବୁଧବାର ରାୟ ପ୍ରକାଶ କରି ଆବେଦନକୁ ଖାରଜ କରିଛନ୍ତି । ପ୍ରକାଶ ଯେ, ବିଦ୍ୟାଭାରତୀ ଗତ ୨ ନଭେମ୍ବରରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ତେବେ ଅଦାଲତ ତାଙ୍କ ଆବେଦନ ଖାରଜ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ଏହାପରେ ସେ ନିୟମିତ ଜାମିନ ପାଇଁ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଆବେଦନ କରିଥିଲେ । ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଚାଲୁଥିବାରୁ ତାଙ୍କ ଜାମିନ ଆବେଦନ ସେହି ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ଶୁଣାଣି ପରେ ଆଜି ଆବେଦନ ଖାରଜ ହୋଇଛି।

Dharitri – Odisha’s No.1 Odia Daily

Share