ଦଳରେ ରହି ସୌମ୍ୟବାବୁ ବ୍ଲାକ୍‌ମେଲିଂ କରୁଛନ୍ତି: ଅତନୁ

ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ସେ କହିଛନ୍ତି, ସୌମ୍ୟବାବୁ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ସେ ଦଳକୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରି ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ, ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। ଦଳରେ ରହି ବ୍ଲାକ୍‌ମେଲିଂ କରିବାକୁ ଉଦ୍ୟମ କରୁଛନ୍ତି। ବ୍ଲାକ୍‌ମେଲିଂକୁ ଆୟୁଧ କରି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ସେ କେତେଥର ଦଳ ବଦଳାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା, ଲୋକଙ୍କ ଅଭିଯୋଗର ସମାଧାନ ହେଲା, ଏଥିରେ ଅସୁବିଧା କ’ଣ ବୋଲି ଅତନୁ କହିଛନ୍ତି। ବ୍ଲାକ୍‌ମେଲିଂ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ୍‌ ନୁହେଁ। ଦଳରେ ରହି ଦଳ ବିରୋଧୀ ମନ୍ତବ୍ୟ ଦେବା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଦଳ ବିରୋଧୀ କାର୍ଯ୍ୟ। କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ଅତନୁ କହିଛନ୍ତି।