ପୂର୍ବ ଶତ୍ରୁତାରୁ ସୋଲ କାରିଗରଙ୍କୁ ହତ୍ୟା

ପୁରୀ ଅଫିସ,୨୬।୭: ପୁରୀରେ ଦିନକୁ ଦିନ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରବିବାର ବାସେଳି ସାହି ଥାନା ଅନ୍ତର୍ଗତ ବଡ଼ପୋଖରୀ ଜାଗା ନିକଟରେ ଜଣେ ସୋଲ କାରିଗରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବାସେଳିସାହି ଥାନା ଅଧୀନ ବଡ଼ଓଡ଼ିଆ ମଠ ଅଞ୍ଚଳର ଜିତେନ୍ଦ୍ର ପୁରୋହିତ(୪୦)। ଏ ନେଇ ପୋଲିସ ଏକ କେସ୍‌ (ନଂ. ୧୩୧/୨୧) ରୁଜୁ କରି ତଦନ୍ତ ଜାରି ରଖିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ଜିତେନ୍ଦ୍ର କୌଣସି କାମ ପାଇଁ ରବିବାର ସନ୍ଧ୍ୟାରେ ବଡପୋଖରୀ ଜାଗା ନିକଟକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଜଗି ରହିଥିବା ୪/୫ଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜିତେନ୍ଦ୍ର ଚିତ୍କାର କରିବା ସହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଅଞ୍ଚଳବାସୀଙ୍କଠାରୁ ଏହି ଖବର ପାଇ ଏସ୍‌ପି କନଓ୍ବର ବିଶାଲ ସିଂ, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ ଏବଂ ବାସେଳିସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଜିତେନ୍ଦ୍ରଙ୍କୁ ମେଡିକାଲ ପଠାଇବା ସହ ତଦନ୍ତ କରିଥିଲେ। ତେବେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସୋମବାର ବ୍ୟବଚ୍ଛେଦ ରିପୋର୍ଟ ମିଳିବ। ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସିଟି ଡିଏସ୍‌ପି କହିଛନ୍ତି। ପୂର୍ବରୁ ଜିତେନ୍ଦ୍ରଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ସେତେବେଳେ ଥାନାରେ ଅଭିଯୋଗ କରାଯାଇଥିଲା। ସେହି ଘଟଣାର ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।