ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ଦେବାକୁ ଘୋଷଣା କଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି। ସୋନୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଯିଏ ସାହାଯ୍ୟ ଯେଉଁ ସାହାଯ୍ୟ ମାଗେ ତାଙ୍କ ସକ୍ଷମ ଅନୁଯାୟୀ ସେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି।

ସନ୍ତୋଷ ଚୌହାନ ନାମକ ଜଣେ ୟୁଜର ସୋନୁଙ୍କୁ କହିଛନ୍ତି ‘ଗାଁରେ ୩୫ ଜଣ ଛାତ୍ରୀ ଅଛନ୍ତି। ଯେଉଁମାନଙ୍କୁ ପଢ଼ିବା ପାଇଁ ୮ରୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। କିଛି ଛାତ୍ରୀଙ୍କ ପାଖରେ ସାଇକେଲ ଅଛି। ମାତ୍ର ସମସ୍ତଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ନକ୍ସଲଙ୍କ ଭୟରେ ପରିବାର ଲୋକେ ଝିଅମାନଙ୍କୁ ପଢ଼ାଇବା ପାଇଁ ଚାହୁଁନାହାନ୍ତି। ଯଦି ଆପଣ ଏ ସମସ୍ତ ଛାତ୍ରୀଙ୍କୁ ସାଇକେଲ ଯୋଗାଇ ଦେବେ ତେବେ ଏମାନଙ୍କ ଭବିଷ୍ୟତ ସୁଧୁରିଯିବ।’

ଏହି ଟୁଇଟ୍‌ରେ ପ୍ରତିକ୍ରିୟା ରଖି ସୋନୁ ଲେଖିଛନ୍ତି, ‘ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ମିଳିବ ଓ ସବୁ ଝିଅ ପାଠ ପଢ଼ିବେ। ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ। ପରିବାର ଲୋକଙ୍କୁ ଜଣାଇଦେବେ। ସାଇକେଲ ଖୁବ୍‌ ଶୀଘ୍ର ପହଞ୍ଚିଯିବ। ବାସ୍‌ ଚା’ ପ୍ରସ୍ତୁତ କରି ରଖିଥିବେ।

ଉତ୍ତରପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲାରେ ଅଧିକାଂଶ ଝିଅ ପଞ୍ଚମ ଶ୍ରେଣୀ ପରେ ପାଠ ପଢ଼ା ଛାଡୁଥିବା ଦେଖିବାକୁ ମିଳୁଛି। ଏହି ଝିଅମାନେ ଅପହଞ୍ଚ ଇଲାକାରୁ ଆସୁଥିବାବେଳେ ସେମାନଙ୍କୁ ସ୍କୁଲ ଯିବାକୁ ୫ରୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ସାଇକେଲ ନ ଥିବାରୁ ଅଧିକାଂଶ ଝିଅ ଅଧାରୁ ପାଠପଢ଼ା ବନ୍ଦ କରି ଘରେ ରହୁଛନ୍ତି।

Share