ମାଲକାନଗିରି ସୀମାନ୍ତ ଏହି ଛାତ୍ରୀଙ୍କୁ ଲୁହ ପୋଛିବାକୁ କହିଲେ ସୋନୁ ସୁଦ, ଜାଣନ୍ତୁ କାହିଁକି

ମାଲକାନଗିରି,୨୨ା୮: ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ସବୁକିଛି ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟର୍‌ରେ ଦେଖିବା ପରେ ସହାୟତା ପାଇଁ ସୋନୁ ଆଗେଇ ଆସିଛନ୍ତି। ନୂଆ ବହି ଆସିବ ଏବଂ ଘର ବି ନୂଆ ତିଆରି ହେବ ବୋଲି ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ସମସ୍ତଙ୍କ ମନ ଛୁଇଁଛନ୍ତି ଏହି ଅଭିନେତା ଜଣକ। ଛାତ୍ରୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ବୋଲି ଜଣାପଡିଛି। ବର୍ଷା ବିତ୍ପାତ ଯୋଗୁ ଗତ ୧୫, ୧୬ ତାରିଖରେ ଆସିଥିବା ବନ୍ୟାରେ ବିଜାପୁର ଜିଲାର ଆଦିବାସୀ ଝିଅ ଅଞ୍ଜଳିଙ୍କ ଘର ଭାଙ୍ଗି ମାଟିରେ ମିଶିଛି। ମା’ ବାପାଙ୍କ ମୂଲ ମଜୁରୀ ଟଙ୍କାରେ ବହୁ କଷ୍ଟରେ ଯୋଗାଡ଼ କରିଥିବା ତାଙ୍କ ବହିପତ୍ର ବି ଏଥିରୁ ବାଦ ପଡ଼ିନି। ବାଉଁଶ ଟୋକେଇରେ ସାଇତି ରଖିଥିବା ବହିପତ୍ର ବନ୍ୟାପାଣିରେ ଭିଜି ନଷ୍ଟ ହୋଇଛି। ଘର ଭାଙ୍ଗିବାଠାରୁ ବହି ନଷ୍ଟ ହେବା ଅଞ୍ଜଳିଙ୍କୁ ଅଧିକ ଦୁଃଖ ଦେଇଛି, ଯାହାକୁ ଦେଖି ସେ କଇଁକଇଁ ହୋଇ କାନ୍ଦୁଥିବାର ଭିଡିଓ ମୁକେଶ ଚନ୍ଦ୍ରକର୍‌ ନାମକ ଜଣେ ଯୁବକ ଟୁଇଟରରେ ଶେୟାର କରିଛନ୍ତି। ଜଣେ ଆଦିବାସୀ ଛାତ୍ରୀଙ୍କ ବହି ପ୍ରତି ପ୍ରଥମ ଥର ଏପରି ଭଲପାଇବା ଦେଖିଥିବା ଯୁବକ ଜଣକ ଲେଖିବା ସହ ଅଞ୍ଜଳିଙ୍କ ସମସ୍ୟା ମଧ୍ୟ ଉଲ୍ଲେଖ କରିଛନ୍ତି। ଭିଡିଓ ଦେଖିବା ପରେ ଏହାକୁ ରିଟୁଇଟ୍‌ କରିଛନ୍ତି ସୋନୁ ସୁଦ। ସେଥିରେ ସୋନୁ ଲେଖିଛନ୍ତି, ଲୁହ ପୋଛ ଭଉଣୀ। ବହି ବି ନୂଆ ଆସିବ, ଘର ବି ନୂଆ ହେବ। ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିବା ସୋନୁ ଏବେ ଏହି ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ଉଦାହରଣ ସୃଷ୍ଟି କରିଛନ୍ତି। ଏହା ପରେ ଜିଲା ପ୍ରଶାସନ ତଥା ବିଜାପୁର ଜିଲାପାଳ ସହାୟତା ଯୋଗାଇ ଦେବା ସହ ଥଇଥାନ କରିଛନ୍ତି।