ସୋନୁଙ୍କୁ ମିଳୁନି ନେଗେଟିଭ ରୋଲ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ନିଜ ସମ୍ପର୍କରେ ପ୍ରଶଂସକଙ୍କ ସହ ଖୋଲାଖୋଲି କଥା ହୋଇଛନ୍ତି । କରୋନା ମହାମାରୀ ସମୟରେ ଅନେକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ପ୍ରାୟ ୨ ବର୍ଷ ହେବ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ସୋନୁ ଆଜିବି ସେମିତି ସାହାଯ୍ୟ କରିବା ସହ ଅନେକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । କରୋନା ସମୟରେ ଯିଏ ଯେତେବେଳେ ସୋନୁଙ୍କ ସାହାଯ୍ୟ ମାଗିଛି ସେତେବେଳେ ସେ ଯଥାସାଧ୍ୟ ସହଯୋଗର ହାତ ବଢାଇଛନ୍ତି । ହଜାର ହଜାରଙ୍କ ଜୀବନ ବଞ୍ଚାଇଥିବା ସୋନୁ ଏବେ ଅସୁବିଧାରେ ପଡିଯାଇଛନ୍ତି । କାରଣ ହେଉଛି ତାଙ୍କୁ ଆଉ ଅଭିନୟ ସୁଯୋଗ ମିଳିନାହିଁ । ଅର୍ଥାତ୍ ସୋନୁଙ୍କୁ ଏବେ ଆଉ ନେଗେଟିଭ ରୋଲର ଅଫର ମିଳୁନାହିଁ । ତେଣୁ ତାଙ୍କ ହାତରେ କାମ ପ୍ରାୟ ନାହିଁ କହିଲେ ଚଳେ । ଏକଥା ନିଜେ ଅଭିନେତା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।
ସୋନୁ କହିଛନ୍ତି ମୋତେ ଆଉ ନେଗେଟିଭ ରୋଲ ମିଳୁନାହିଁ । ତେବେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିବା ପରେ ଏମିତି ସମୟକୁ ମୋତେ ସାମ୍ନା କରିବାକୁ ପଡୁଛି । ପୂର୍ବରୁ ତାଙ୍କୁ ପ୍ରାୟତଃ ନେଗେଟିଭ ରୋଲରେ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ହାତ ଖାଲି । ସୋନୁ କହୁଛନ୍ତି ଏହା କରୋନା ସମୟରେ ସାହାଯ୍ୟ କରିବାରୁ ଏଭଳି ସ୍ଥିତିକୁ ବୋଧହୁଏ ସାମ୍ନା କରିବାକୁ ପଡୁଛି । ଏପର୍ଯ୍ୟନ୍ତ ସେ ନେଗେଟିଭ ରୋଲରେ ଅଭିନୟ କରି ଆସୁଥିବା ବେଳେ ଏବେ କିନ୍ତୁ ଦର୍ଶକେ ଆଉ ତାଙ୍କୁ ସେହି ଚରିତ୍ରରେ ଗ୍ରହଣ ନ କରିପାରନ୍ତି ବୋଲି ବୋଧହୁଏ ପ୍ରଯୋଜକ, ନିର୍ଦ୍ଦେଶକ ଧରି ନେଇଛନ୍ତି । ଏମିତିକି ପୂର୍ବର କିଛି ଚରିତ୍ରର ସ୍କ୍ରିପ୍ଟ ଏବେ ପରିବର୍ତ୍ତନ କରାଯାଉଥିବା ସୋନୁ କହିଛନ୍ତି । ଯାହା ହେଉଛି ଆଗକୁ ତାହା ମୋ ପାଇଁ ଠିକ୍ ହେବ ବୋଲି ସୋନୁ ଆଶା ରଖିଛନ୍ତି । ରିୟଲ ଲାଇଫର ଏହି ହିରୋ ଏବେ ସମସ୍ୟା ଘେରରେ । ଏବେ ସୋନୁ ଏମଟିଭିର ଶୋ’ ରୋଡିଜକୁ ହୋଷ୍ଟ କରୁଥିବା ଦେଖାଯାଇଛି ।

Share