ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କିନ୍ତୁ ଦେବଦୂତ ସାଜିଛନ୍ତି ବଲିଉଡ୍‌ର ଖଳନାୟକ ଚରିତ୍ରରେ ନଜର ଆସୁଥିବା ଅଭିନେତା ସୋନୁ ସୁଦ। ପ୍ରକୃତ ଜୀବନରେ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପ୍ରଥମେ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସୋନୁ ବଢାଇଥିଲେ ସହାଯୋଗର ହାତ। କେବଳ ସେତିକି ନୁହେଁ ଏହି ସମୟରେ ସେ କେତେଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇଦେଇ ଆସିଛନ୍ତି ଚର୍ଚ୍ଚାକୁ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୋନୁ ନିକଟରେ ଟୁଇଟ୍‌ କରି କହିଛନ୍ତି କି, ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି ଯେଉଁମାନେ ଗରିବଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ସେମାନେ ଦୟାକରି ସାମ୍ନାକୁ ଆସନ୍ତୁ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା କେତେଜଣ ଗରିବ ଲୋକଙ୍କୁ ଖାଇବାକୁ ଦେବାସହ ତାଙ୍କ ଔଷଧ ଖର୍ଚ୍ଚ ଉଠାନ୍ତୁ ବୋଲି ସୋନୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। ଏମିତି କଲେ ଆପଣଙ୍କ ଚିନ୍ତା ଅନେକାଂଶରେ ଦୂର ହୋଇଯିବ ବୋଲି ସୋନୁ ଲେଖିଛନ୍ତି। ସୋନୁଙ୍କର ଏହି ପୋଷ୍ଟକୁ କେତେଜଣ ଲାଇକ୍‌ କରିଥିବା ବେଳେ ଆଉ କେତେଜଣ କମେଣ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ତିନିଦିନ ପୂର୍ବରୁ ଏହି କଳାକାର ପଞ୍ଜାବର ୩ ଅନାଥ ଶିଶୁଙ୍କୁ କୋଳେଇ ନେଇ ଆସିଥିଲେ ଚର୍ଚ୍ଚାକୁ। ତାଙ୍କର ବଦାନ୍ୟତା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛି।

Share