ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର

ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ ଅନ୍ୟତମ ମାତ୍ର ଏକ ସମୟ ଥିଲା ଯେତେବେଳେ ସେ ବିବାହରେ ଗୀତ ଗାଉଥିଲେ। ସୋନୁ ନିଗମଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି କଥା ।

ଚାରି ବର୍ଷ ବୟସରୁ ସୋନୁ ତାଙ୍କ ପିତା ଆଗମ ନିଗମଙ୍କ ସହ ଷ୍ଟେଜ ଶୋ, ପାର୍ଟି ଏବଂ ବିବାହରେ ଗୀତ ଗାଇବା ଆରମ୍ଭ କରିଥିଲେ। ସୋନୁଙ୍କ ପିତା ମଧ୍ୟ ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ। ଭେଟେରାନ ଗାୟକ ମହମ୍ମଦ ରଫିଙ୍କ ଠାରୁ ସୋନୁ ନିଗମ ବହୁତ ପ୍ରଭାବିତ ହୋଇଛନ୍ତି। ପ୍ରଥମ ଦିନରେ ସେ ମଞ୍ଚରେ ରଫିଙ୍କ ଗୀତ ଗାଇଥିଲେ।

୧୮ ବର୍ଷ ବୟସରେ ସୋନୁ ବାପାଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସଙ୍ଗୀତକୁ ନେଇ କ୍ୟାରିୟର କରିବା ଆରମ୍ଭ କରିଥିଲେ। ସୋନୁ ନିଗମ ଗୁରୁ ଗୁଲାମ ମୁସ୍ତାଫା ଖାନଙ୍କ ଠାରୁ ତାଲିମ ନେଇଥିଲେ। ତେବେ ମୁମ୍ବାଇରେ ପହଞ୍ଚିବା ପରେ ସୋନୁ ନିଗମଙ୍କ ଯାତ୍ରା ଏତେ ସହଜ ନଥିଲା। ସେ ଟଙ୍କା ରୋଜଗାର କରିବା ପାଇଁ ଷ୍ଟେଜ ଶୋ’ ଜାରି ରଖିଥିଲେ।

ରିଆଲିଟି ଶୋ ‘ସାରେଗାମା’ରେ ସୋନୁଙ୍କୁ ଏକ ପରିଚୟ ମିଳିଥିଲା। ଏହି ଶୋ’ ୧୯୯୫ରେ ପ୍ରସାରିତ ହୋଇଥିଲା। ଏହି ସମୟରେ ସେ ଟି ସିରିଜର ମାଲିକ ଗୁଲଶନ କୁମାରଙ୍କୁ ଭେଟିଥିଲେ। ଗୁଲଶାନ କୁମାର ସୋନୁଙ୍କୁ ‘ବଓ୍ବୋଫା ସାନମ’ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ତାଙ୍କର ଗୀତ ‘ଅଛା ସିଲା ଦିୟା ତୁନେ ମେରେ ପ୍ୟାର୍‌ କା’ ଏହି ଫିଲ୍ମରେ ସୁପରହିଟ୍‌ ହୋଇଥିଲା। ଏହା ପରେ ସୋନୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବଲିଉଡ୍‌ରେ ‘ମୁକାବଲା’, ‘ସବ୍‌ନମ’, ’ଆଗ’, ’ହଲ୍‌ଚଲ’ ଚଳଚ୍ଚିତ୍ର ସୋନୁ ନିଗମଙ୍କୁ ଏକ ପରିଚୟ ଦେଇଥିଲା। ୧୯୯୭ରେ ଚଳଚ୍ଚିତ୍ର ‘ବର୍ଡର’ ରେ ସନ୍ଦେଶ ଆତିହେ ଗୀତ ଗାଇଥିଲେ। ଏହି ଗୀତ ହିଁ ତାଙ୍କୁ ସମଗ୍ର ଦେଶରେ ଲୋକପ୍ରିୟ କରାଇଥିଲା।

ହିନ୍ଦୀ ବ୍ୟତୀତ ସୋନୁ ନିଗମ ଇଂରାଜୀ, କନ୍ନଡ, ବଙ୍ଗାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ମରାଠି, ଭୋଜପୁରୀ, ନେପାଳି ଭାଷାରେ ଗୀତ ଗାଇଛନ୍ତି। ସୋନୁ ତାଙ୍କ ଗୀତ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

Share