ଖୁଡ଼ୀଙ୍କ ହତ୍ୟା ପରେ ପୁତୁରାଙ୍କ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ,୨୦।୪:  ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଏକସୁଧା ଅଞ୍ଚଳରେ ସୋମବାର ଖୁଡ଼ୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ପୁତୁରା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନାରେ ମୃତ ମହିଳା ରାଧା(ଛଦ୍ମନାମ)ଙ୍କ ସ୍ବାମୀ ଗୋବିନ୍ଦ(ଛଦ୍ମନାମ)ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୨୦୪/୨୧) ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ଗୋବିନ୍ଦ ଓ ତାଙ୍କ ବଡ଼ଭାଇଙ୍କ ପରିବାର ଅଲଗା ହୋଇଯାଇଥିଲେ ସୁଦ୍ଧା ଗୋଟିଏ କୋଠାରେ ରୁହନ୍ତି। ଗୋବିନ୍ଦ କଟକରେ ଏକ ଅଟୋମୋବାଇଲ ଦୋକାନ କରିଛନ୍ତି। ସେ ସବୁଦିନ ସକାଳେ କଟକ ଯାଇଥାନ୍ତି। ଘରେ ରାଧା ଓ ତାଙ୍କର ୯ ବର୍ଷର ପୁଅ ରୁହନ୍ତି। ଅନେକ ସମୟରେ ଅଭିଯୁକ୍ତ ପୁତୁରା ନିଶା ସେବନ କରି ରାଧାଙ୍କ ଉପରେ ଖରାପ ନଜର ରଖୁଥିଲେ। ଏପରି କି ଅଶାଳୀନ ବ୍ୟବହାର କରିବା ସହ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଉଭୟ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଅଭିଯୁକ୍ତଙ୍କ ପରିବାରର ନିର୍ଯାତନା ସହି ନ ପାରି ୪/୫ ମାସ ପୂର୍ବେ ଗୋବିନ୍ଦ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଛାଡ଼ି ଦେଇଥିଲା। କିନ୍ତୁ ଏଥିରେ ବିବାଦ ଥମି ନ ଥିଲା। ସୋମବାର ସକାଳେ ରାଧା ବାରିପଟେ ଅଳିଆ ପକାଇବାକୁ ଯାଇଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଅଭିଯୁକ୍ତ ପୁତୁରା ରାଧାଙ୍କ ପଛପଟୁ କାନମୁଣ୍ଡାକୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରାଧାଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ଅଭିଯୁକ୍ତ ପୁତୁରା ଗଁାଠାରୁ କିଛି ଦୂର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ କେତେଜଣ ଗ୍ରାମବାସୀଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କ ପରିବାରର କାର୍ଯ୍ୟକଳାପ ଅସହ୍ୟ ଥିଲା। ଯେଉଁଥିପାଇଁ ଗ୍ରାମବାସୀ ସେମାନଙ୍କୁ ଭଲ ପାଉ ନ ଥିଲେ। ଅନ୍ୟପକ୍ଷରେ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ଆଇଆଇସି ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କ ମୃତଦେହକୁ ଗ୍ରାମର କେହି ଛୁଇଁବାକୁ ରାଜି ହୋଇ ନ ଥିଲେ। ଏପରି କି ଗଁା ମଶାଣିରେ ପୋଡ଼ିବାକୁ ମଧ୍ୟ ଗ୍ରାମବାସୀ ବିରୋଧ କରିଥିଲେ। ଶେଷରେ ପୋଲିସ ଅଭିଯୁକ୍ତଙ୍କ ମୃତଦେହ ଜଗତ୍‌ସିଂହପୁର ଆଣିବାକୁ ବାଧ୍ୟ ହୋଇଥିଲା। ଜଗତ୍‌ସିଂହପୁର ପୌର ପରିଷଦ କର୍ମଚାରୀଙ୍କ ସହାୟତାରେ ମୃତଦେହ ସତ୍କାର କରିଥିଲା। ଏଥିସହ ଅଭିଯୁକ୍ତଙ୍କ ମା’, ବାପାଙ୍କ ଉପରେ ଗ୍ରାମବାସୀଙ୍କ କ୍ରୋଧ ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ ଥାନାକୁ ନେଇଯାଇଥିବା ଆଇଆଇସି ମିଶ୍ର ସୂଚନା ଦେଇଛନ୍ତି।