Categories: ଜାତୀୟ

ମା’ କରୋନା ଆକ୍ରାନ୍ତ ଜାଣିବା ପରେ ୪ ପୁଅ ନେଲେ ଏମିତି ନିଷ୍ପତ୍ତି

ହାଇଦ୍ରାବାଦ୍‌,୮।୯: କରୋନା ମହାମାରୀ ସମୟରେ ମଣିଷର ଅମାନବୀୟ ଚେହେରା ପୁଣି ଥରେ ଦେଖିବାକୁ ମିଳିଛି। ବୃଦ୍ଧା ମା କରୋନା ସଂକ୍ରମିତ ଜଣାପଡିବା ପରେ ଚାରି ପୁଅ ତାଙ୍କୁ ବିଲରେ ଛାଡି ପଳାଇଯାଇଛନ୍ତି। ଏହି ଘଟଣା ତେଲେଙ୍ଗାନାରୁ ଘଟିଛି। ଏଠାରେ ଜଣେ ୮୨ ବର୍ଷ ବୟସ୍କା ମହିଳା କରୋନା ସଂକ୍ରମିତ ହୋଇଥିଲେ। ମହିଳାଙ୍କ ଚାରିପୁଅ ଏ ବିଷୟରେ ଜାଣିବା ମାତ୍ରେ ସେମାନେ ପ୍ରଥମେ ନିଜ ମା’ଙ୍କୁ ଏକ ବିଲରେ ଥିବା ଏକ ଛପର ଘରେ ରହିବାକୁ ବାଧ୍ୟ କଲେ। ସେମାନେ ମହିଳାଙ୍କୁ ବିଲରେ ଛାଡି ନିଜ ନିଜ ବାଟରେ ପଳାଇଲେ। ମହିଳାଙ୍କ ନାମ ଲାଚମା। ତାଙ୍କର ଚାରି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସେ ବିନା ଓ୍ବାକର୍‌ରେ ଚାଲି ପାରୁ ନାହାନ୍ତି। କିନ୍ତୁ ପୁଅମାନେ ତାଙ୍କୁ ଅସହାୟ ଛାଡି ଦେଇଛନ୍ତି। ମହିଳା ଜଣକ ଭେଲୁରୁ ମଣ୍ଡଳର ପିଚାରା ଗ୍ରାମରେ ଥିବା ବିଲରେ ଦିନ କାଟୁଥିଲେ। ପରେ ତାଙ୍କ ଝିଅ ଭାଇମାନଙ୍କ ଅମାନୁଷିକ କାର୍ଯ୍ୟ ବିଷୟରେ ଜାଣି ଅସୁସ୍ଥ ମା’ର ଯତ୍ନ ନେବାକୁ ନିଜ ଗାଁକୁ ନେଇ ଯାଇଥିଲେ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ୧,୮୦୨ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ସମୁଦାୟ କରୋନା ମାମଲା ୧,୪୨,୭୭୧ ହୋଇଥିବାବେଳେ ଏପର୍ଯ୍ୟନ୍ତ ୮୯୫ଜଣଙ୍କର ମୃତ୍ୟୁ ହୋଇଛି। ଗତ ସୋମବାର ପର୍ଯ୍ୟନ୍ତ ତେଲେଙ୍ଗାନାରେ ୩୧,୬୩୫ଟି ସକ୍ରିୟ ମାମଲା ରହିଛି।

Share