Categories: ଜାତୀୟ

ସବୁ ନେତାଙ୍କ ସହଯୋଗ ଲୋଡ଼ିଲେ ସୋନିଆ

ନୂଆଦିଲ୍ଲୀ,୧୦।୫: ରାଜସ୍ଥାନର ଉଦୟପୁରରେ ମେ’ ୧୩ରୁ ୧୫ କଂଗ୍ରେସର ଚିନ୍ତନ ଶିବିର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି। ସୋମବାର ଦଳୀୟ ମୁଖ୍ୟାଳୟରେ ସିଡବ୍ଲ୍ୟୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ଶୀର୍ଷ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ସୋନିଆ କହିଥିଲେ, ଚିନ୍ତନ ଶିବିର ଏକ ବିଧି ହେବା ଉଚିତ ନୁହେଁ। ଏହା ଦଳର ନୀତି ଆଦର୍ଶ ରକ୍ଷା ଏବଂ ନିର୍ବାଚନ ଓ ପରିଚାଳନାଗତ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ଲାଗି ସାଂଗଠନିକ ପୁନର୍ଗଠନର ଅଗ୍ରଦୂତ ହେବା ଆବଶ୍ୟକ। ଏହା କୌଣସି ଯାଦୁକରୀ କାର୍ଯ୍ୟ ନୁହେଁ। ନିଃସ୍ବାର୍ଥପର କାର୍ଯ୍ୟ, ଶୃଙ୍ଖଳା ଏବଂ ସାମୂହିକ ଉଦ୍ଦେଶ୍ୟରେ କ୍ରମାଗତ ଉଦ୍ୟମ ଦ୍ୱାରା ଆମେ ଦୃଢ଼ତା ପ୍ରଦର୍ଶନ କରିପାରିବା ବୋଲି ସୋନିଆ କହିଥିଲେ। ଦଳ ଏବେ ଏକ ଘଡ଼ସନ୍ଧି ସମୟ ଦେଇ ଗତି କରୁଥିବାବେଳେ ଏହାକୁ ପୁଣିଥରେ ପୂରା ଦମ୍‌ରେ ଆଗେଇ ନେବାକୁ ହେଲେ ସମସ୍ତେ ଆଗେଇ ଆସିବା ସହ ଦଳକୁ ଆମର ଋଣ ପରିଶୋଧ କରିବାକୁ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷା ଦଳର କାର୍ଯ୍ୟକାରୀ କମିଟି ବୈଠକରେ କହିଛନ୍ତି।
ଚିନ୍ତନ ବୈଠକରେ ୪୦୦ କଂଗ୍ରେସ ସଦସ୍ୟ ଯୋଗଦେବେ। ଦଳର ପ୍ରତ୍ୟେକ ନେତାଙ୍କୁ ଗେଶଯିଏ ପଦ ବାର୍ତ୍ତା ଦେବା ଉପରେ ସୋନିଆ ଗୁରୁତ୍ୱ ଦେଇଥିଲେ। ସେହିପରି ସବୁ ଦୃଷ୍ଟିରୁ ସନ୍ତୁଳିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଲାଗି ଦଳ ସମସ୍ତ ଉଦ୍ୟମ ଜାରି ରଖିବ। ଚିନ୍ତନ ଶିବିରରେ ରାଜନୈତିsକ, ଅର୍ଥନୈତିକ, ସାମାଜିକ ନ୍ୟାୟ, କୃଷକ, ଯୁବ ଓ ସାଂଗଠନିକ ପ୍ରସଙ୍ଗକୁ ନେଇ ୬ଟି ବର୍ଗରେ ଆଲୋଚନା ହେବ ବୋଲି କଂଗ୍ରେସ ଅଧ୍ୟକ୍ଷା କହିଥିଲେ।

Share