ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ କାଙ୍ଗ ଏହି ଐତିହାସିକ ଘରର ମାଲିକ ଅଟନ୍ତି। ସେ ପ୍ରାୟ ଛଅ ବର୍ଷ ପୂର୍ବେ ଏହି ସମ୍ପତ୍ତିକୁ କିଣିଥିଲେ ଏବଂ ଏବେ ଏହାକୁ ଏକ ସଂଗ୍ରହାଳୟ (ମ୍ୟୁଜିୟମ୍) ରୂପ ଦେବାକୁ ଯୋଜନା କରୁଛନ୍ତି।

 କାଙ୍ଗ ଏକ ସାକ୍ଷାତକାରରେ କହିଛନ୍ତି ଯେ ସ୍ଥାନୀୟ ଲୋକ ଏହି ଘରକୁ ‘ଇଣ୍ଡିଆନ୍ ହାଉସ୍’ ନାମରେ ଜାଣନ୍ତି। ଘର ବାହାରେ ଭାରତର ତ୍ରିରଙ୍ଗା ପତାକା ଲାଗିଛି ଏବଂ ଏକ ନେମ୍‌ପ୍ଲେଟ୍ ମଧ୍ୟ ଲାଗିଛି, ଯେଉଁଥିରେ ଏହା ସୋନିଆ ଗାନ୍ଧୀଙ୍କ ଜନ୍ମସ୍ଥାନ ବୋଲି ଉଲ୍ଲେଖ ରହିଛି। ସଂଗ୍ରହାଳୟରେ ରଖିବା ପାଇଁ ଗାନ୍ଧୀ ପରିବାରକୁ ଭେଟି କିଛି ସ୍ମୃତିଚିହ୍ନ ସଂଗ୍ରହ କରିବା ତାଙ୍କର ଲକ୍ଷ୍ୟ ରହିଛି।

ଏହି ଘରଟି ଇଟାଲୀର ଭିସେଞ୍ଜା ପ୍ରାନ୍ତର ଲୁସିଆନା ଅଞ୍ଚଳରେ ଅବସ୍ଥିତ। ଧୂସର ପଥର ଏବଂ କଂକ୍ରିଟରେ ନିର୍ମିତ ଏହି ଛଅ ବଖୁରିଆ ଘରଟି ବ୍ରେସିଆସ୍ଥିତ କାଙ୍ଗଙ୍କ ନିଜ ଘରଠାରୁ ପ୍ରାୟ ଏକ ଘଣ୍ଟାର ଦୂରତାରେ ରହିଛି। କାଙ୍ଗଙ୍କ କହିବା ଅନୁଯାୟୀ, ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ସୋନିଆ ଗାନ୍ଧୀ ଏହି ଘରେ ଜନ୍ମଗ୍ରହଣ କରିଥିଲେ ଏବଂ ନିଜ ପିଲାଦିନର ପ୍ରାରମ୍ଭିକ ବର୍ଷଗୁଡ଼ିକ ଏଇଠି ବିତାଇଥିଲେ।

କାଙ୍ଗଙ୍କ ନିଜ ଜୀବନୀ ମଧ୍ୟ କୌଣସି ସଂଘର୍ଷଠାରୁ କମ୍ ନୁହେଁ। ସେ ପଞ୍ଜାବର ହୋସିଆରପୁରର ବାସିନ୍ଦା। ୧୯୯୨ ମସିହାରେ ସେ ଗାଁ ଛାଡ଼ି ଇଟାଲୀରେ ଆସି ରହିଥିଲେ ଏବଂ ସେବେଠାରୁ ସେଠାରେ ବସବାସ କରୁଛନ୍ତି। ସେ କହିଛନ୍ତି ଯେ ଇଟାଲୀରେ ପ୍ରାରମ୍ଭିକ ଦିନଗୁଡ଼ିକ ସହଜ ନଥିଲା। ସେଠାରେ ସେ ଡାଏରୀ ଫାର୍ମରେ କାମ କରିଥିଲେ, ଚାଷ କାମରେ ହାତ ବଣ୍ଟାଇଥିଲେ ଏବଂ ଏକ କାରଖାନାରେ ମଧ୍ୟ ଚାକିରି କରିଥିଲେ। ଧୀରେ ଧୀରେ କଠିନ ପରିଶ୍ରମ ବଳରେ ସେ ନିଜର ବ୍ୟବସାୟ ଗଢ଼ି ତୋଳିଥିଲେ।

ସୋନିଆ ଗାନ୍ଧୀଙ୍କ ପିଲାଦିନର ଏହି ଘରକୁ କାଙ୍ଗ ୨୦୨୦ ମସିହାରେ ନିଜ ପତ୍ନୀ ଏବଂ ଝିଅଙ୍କ ନାମରେ କିଣିଥିଲେ। ଘରର ରକ୍ଷଣାବେକ୍ଷଣ ପାଇଁ ସେ ଜଣେ କେୟାରଟେକର ରଖିଛନ୍ତି। କୌଣସି ପର୍ଯ୍ୟଟକ ଏହି ଘର ଦେଖିବାକୁ ଚାହିଁଲେ, କେୟାରଟେକର ତାଙ୍କୁ ବୁଲାଇ ଦେଖାନ୍ତି ଏବଂ ସୂଚନା ଦିଅନ୍ତି। ଏହି ସମ୍ପତ୍ତିର ଟିକସ ସହିତ ପ୍ରତିବର୍ଷ ପ୍ରାୟ ୧,୦୦୦ ୟୁରୋ ଖର୍ଚ୍ଚ ହୋଇଥାଏ, ଯାହାକୁ କାଙ୍ଗ ବହନ କରନ୍ତି।

କାଙ୍ଗ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ଗାନ୍ଧୀ ପରିବାରର ବଡ଼ ପ୍ରଶଂସକ। ସେମାନେ ପ୍ରତିବର୍ଷ ଏକ ବଡ଼ ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ କରି ଗାନ୍ଧୀ ଜୟନ୍ତୀ ପାଳନ କରନ୍ତି। ଏବେ ଏହି ଘରକୁ ସଂଗ୍ରହାଳୟ କରି ସୋନିଆ ଗାନ୍ଧୀଙ୍କ ପ୍ରାରମ୍ଭିକ ଜୀବନର ସ୍ମୃତିକୁ ଭବିଷ୍ୟତ ପିଢ଼ି ପାଇଁ ସାଇତି ରଖିବାକୁ ତାଙ୍କର ଇଚ୍ଛା ରହିଛି।

Dharitri – Odisha’s No.1 Odia Daily

Share