Categories: ଜାତୀୟ

ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବା ଆବଶ୍ୟକ: ସୋନିଆ

ନୂଆଦିଲ୍ଲୀ,୬।୪: ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ମନ୍ଥନ ଚାଲିଛି। ବର୍ତ୍ତମାନ ଦଳ ନିଜର ଅସ୍ତିତ୍ୱ ହରାଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ଉଠିଛି। ଇତିମଧ୍ୟରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ମଙ୍ଗଳବାର କଂଗ୍ରେସ ୱାର୍କିଂ କମିଟିର ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳକୁ ମଜଭୁତ କରିବା ଲାଗି ନେତାଙ୍କୁ ଆହ୍ବାନ କରିଛନ୍ତି। ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଆଗାମୀ ରାସ୍ତା ଆହୁରି କଠିନ ଓ ଆହ୍ବାନପୂର୍ଣ୍ଣ। ଏହା ଆମର ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତାର ପରୀକ୍ଷା। ଆମର ବ୍ୟାପକ ସଂଗଠନର ପ୍ରତ୍ୟେକ ସ୍ତରରେ ଏକତା ଏକାନ୍ତ ଆବଶ୍ୟକ। ଏହାକୁ ସୁନିଶ୍ଚିତ କରିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ। ଦଳ ପୁଣିଥରେ ସୁଦୃଢ଼ ହେବା କେବଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା ଆମର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

Share