ରାଜୀବ ଗାନ୍ଧୀଙ୍କ ସହ ଏମିତି ଆରମ୍ଭ ହୋଇଥିଲା ପ୍ରେମ, ବଡ଼ ଖୁଲାସା କଲେ ସୋନିଆ

ନୂଆଦିଲ୍ଲୀ,୧୧ା୧୧: କଂଗ୍ରେସ ସଂସଦୀୟ ଦଳ (CPP) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଜୀବନର କିଛି ବିଶେଷ ସ୍ମୃତିକୁ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି । ଖାଦ୍ୟ ସହ ଜଡ଼ିତ ଏହି ସ୍ମୃତିରେ ସେ କହିଛନ୍ତି, କିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଏବଂ ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ସୋନିଆଙ୍କ କହିବା ଅନୁସାରେ, ଭଲ ଖାଦ୍ୟର ସନ୍ଧାନ କରୁଥିବା ସମୟରେ ତାଙ୍କର ରାଜୀବ ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ହିଁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମର ଆରମ୍ଭ କରିଥିଲା।

ସୋନିଆ କହିଛନ୍ତି, ବର୍ଷ ବର୍ଷ ଧରି ଭାରତ ସହ ତାଙ୍କର ସମ୍ପର୍କ ମଧ୍ୟ ଖାଦ୍ୟ ଜରିଆରେ ଧୀରେ ଧୀରେ ଗଭୀର ହୋଇଥିଲା। ପ୍ରାରମ୍ଭରେ ଭାରତର ବିଭିନ୍ନ ପ୍ରକାର ଖାଦ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ଏପରିକି ଏଠାକାର ମସଲାକୁ ନେଇ ତାଙ୍କ ମନରେ ଭୟ ମଧ୍ୟ ରହିଥିଲା। କିନ୍ତୁ ଏବେ ଡାଲି-ଭାତ ତାଙ୍କ ପାଇଁ ଘରର ସ୍ୱାଦ ପାଲଟିଯାଇଛି। ଏହା ବିନା ଗୋଟିଏ ଦିନ ମଧ୍ୟ ରହିବା ତାଙ୍କ ପାଇଁ କଷ୍ଟକର ବୋଲି ସେ କହିଛନ୍ତି। ନିଜ ପୁସ୍ତକରେ ସୋନିଆ ଗାନ୍ଧୀ ୧୦ ଜନପଥ ସହ ଜଡ଼ିତ ଏକ ରୋଚକ ଘଟଣାର ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ପରିବାର ସହ ନୂଆ ଘର ୧୦ ଜନପଥକୁ ଯିବାକୁ ଯୋଜନା କରିଥିଲେ। ତେବେ ରାଜୀବଙ୍କ କିଛି ସହଯୋଗୀ ଏହି ଘରେ ନ ରହିବାକୁ ପରାମର୍ଶ ଦେଇଥିଲେ। ସେମାନେ ଏହି ବଙ୍ଗଳାକୁ ଅଶୁଭ ବୋଲି ମାନୁଥିଲେ।

ସୋନିଆଙ୍କ ଅନୁସାରେ, ସେମାନେ ଏହାର କାରଣ ସ୍ପଷ୍ଟ କରିନଥିଲେ। କିନ୍ତୁ ରାଜୀବ ଓ ସୋନିଆ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁନଥିବାରୁ ଏହି କଥାକୁ ହସରେ ଉଡ଼ାଇ ଦେଇଥିଲେ।

 

Dharitri – Odisha’s No.1 Odia Daily

Share