Categories: ଜାତୀୟ

ବିଦ୍ରୋହ ପାଇଁ ଦୁଃଖ ପ୍ରକାଶ କଲେ ଗେହଲଟ: ସୋନିଆ କହିଲେ, ଏଭଳି ଆଶା ନ ଥିଲା

ଜୟପୁର,୨୬।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବିରୋଧ କରି ତାଙ୍କର ପ୍ରାୟ ୯୦ ଜଣ ସମର୍ଥକ ବିଧାୟକ ରବିବାର ରାତିରେ ବିଦ୍ରୋହ କରିବା ସହ ସମୂହ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ। ଯାହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗେହଲଟ ଏଭଳି କିପରି କରିପାରିଲେ, ତାଙ୍କଠାରୁ ଏଭଳି ଆଶା ନ ଥିଲା। ସୂଚନା ମୁତାବକ, ସୋମବାର ଦିଲ୍ଲୀ ୧୦ଜନପଥ ରୋଡ଼ରେ ଥିବା ସୋନିଆଙ୍କ ବାସଭବନରେ ଏକ ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟ ପ୍ରଭାରୀ ଅଜୟ ମାକେନ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେଇଥିଲେ। ସେମାନେ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନ ସଙ୍କଟ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଏହାପରେ ସୋନିଆ ଅଜୟ ଓ ଖାର୍ଗେଙ୍କୁ ଏନେଇ ଏକ ଲିଖିତ ରିପୋର୍ଟ ମାଗିଥିଲେ। ଅନ୍ୟପଟେ ବିଧାୟକଙ୍କ ବିଦ୍ରୋହକୁ ନେଇ ଗେହଲଟ୍‌ ସୋମବାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ବିଧାୟକମାନଙ୍କ ସମାନ୍ତରାଳ ବୈଠକ ଡାକିବା କାରଣରୁ ବିଦ୍ରୋହର ସୂତ୍ରପାତ ହେଲା। ଏଭଳି ଭୁଲ୍‌ ହେବାର ନ ଥିଲା ବୋଲି ଗେହଲଟ୍‌ କହିଛନ୍ତି। ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରେ ବିଧାୟକଙ୍କ ଦଳର ଏକ ସରକାରୀ ବୈଠକ ସହିତ ସମାନ୍ତରାଳ ଭାବେ ବୈଠକ ଡକାଇବା ପାଇଁ କେତେକ ମନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରାଯିବ।

Share