Categories: ଜାତୀୟ

୩ ଦିନରେ ୨ଥର ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଦଳକୁ ପୁଣି ଦୃଢ କରିବାକୁ ଲାଗି ପଡିଛନ୍ତି। ନିକଟରେ ସେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ୩ ଦିନ ମଧ୍ୟରେ ୨ ଥର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ସୋନିଆ। ସୋମବାର ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ, ଅମ୍ବିକା ସୋନି, ପି ଚିଦାମ୍ବରମ, ଜୟରାମ ରମେଶ, କେସି ଭେନୁଗୋପାଲ ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଉପସ୍ଥିତ ଥିଲେ।
୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଛି। ଶନିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ବୈଠକରେ ପ୍ରଶାନ୍ତ କିଶୋର ସମ୍ପୂର୍ଣ୍ଣ ଯୋଜନା ଉପସ୍ଥାପନ କରିଥିଲେ। ୨୭୦ ଲୋକ ସଭା ଆସନ ଉପରେ ଧ୍ୟାନ ଦେବାକୁ ସେ କଂଗ୍ରେସକୁ କହିଛନ୍ତି। ଏହା ବ୍ୟତୀତ ଅନ୍ୟ ଆସନରେ ଏକ ମେଣ୍ଟ ଗଠନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ କଂଗ୍ରେସ କାହା ସହ ମେଣ୍ଟ କରିବା ଉଚିତ ନୁହେଁ। ଏଠାରେ ଦଳ ଏକାକୀ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବା ଉଚିତ୍‌ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। କଂଗ୍ରେସରେ ତାଙ୍କର ଦିନକୁ ଦିନ ବୃଦ୍ଧି ପାଉଥିବା ସକ୍ରିୟତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଖୁବ ଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

Share