ନୂଆଦିଲ୍ଲୀ,୧୮।୧୧: ବହି ଲେଖିବା କେବଳ ଜଣେ ଲେଖକ ପାଇଁ ନିଜର କାହାଣୀ ଦୁନିଆରେ ପହଞ୍ଚାଇବାର ଜରିଆ ନୁହେଁ, ବରଂ ରୋଜଗାରର ଏକ ବଡ଼ ମାଧ୍ୟମ ମଧ୍ୟ ପାଲଟିପାରେ। କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏହିପରି ଏକ ପୁସ୍ତକ ଲେଖି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ସୋନିଆ ଗାନ୍ଧୀଙ୍କ ନୂତନ ପୁସ୍ତକ ’Belonging: A Journey of Love’ ରିଲିଜ ହେବାମାତ୍ରେ ବିକ୍ରିର ଅନେକ ରେକର୍ଡ ଭାଙ୍ଗିଛି।
ପୁସ୍ତକର ପ୍ରକାଶକ HarperCollins India ର CEO ଅନନ୍ତ ପଦ୍ମନାଭନଙ୍କ ଅନୁଯାୟୀ, ରିଲିଜ ହେବାର ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ଏହାର ୨ ଲକ୍ଷରୁ ଅଧିକ କପି ବିକ୍ରି ହୋଇସାରିଛି। ଏତେ ବଡ଼ ସଂଖ୍ୟାରେ ବହି ବିକ୍ରି ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଏହାଦ୍ୱାରା ସୋନିଆ ଗାନ୍ଧୀଙ୍କର କେତେ ରୋଜଗାର ହୋଇଥିବ? ଆସନ୍ତୁ ଜାଣିବା।
ସୋନିଆ ଗାନ୍ଧୀଙ୍କ ଏହି ବହିର ନାମ ‘Belonging: A Journey of Love’ ଅଟେ। ଏହାକୁ HarperCollins India ପ୍ରକାଶ କରିଛି। ବହିଟି ହାର୍ଡକଭର୍ ଫର୍ମାଟରେ ରହିଛି ଏବଂ ଏହାର MRP ୧,୨୯୯ ଟଙ୍କା ରଖାଯାଇଛି। ଏହି ବହିରେ ସମୁଦାୟ ୫୪୪ ପୃଷ୍ଠା ରହିଛି।
ତଥାପି, ଅନଲାଇନ ସପିଂ ପ୍ଲାଟଫର୍ମରେ ଏହି ବହିଟି ଛାଡ଼ (ଡିସକାଉଣ୍ଟ) ସହିତ ମଧ୍ୟ ଉପଲବ୍ଧ ଅଛି। କିଛି ୱେବସାଇଟ୍ରେ ଏହାର ମୂଲ୍ୟ ୧,୦୦୦ ଟଙ୍କାଠାରୁ ମଧ୍ୟ କମ ଦର୍ଶାଯାଇଛି।
ବହିର ମୂଲ୍ୟ ଏବଂ ବିକ୍ରିର ହିସାବ ଲଗାଇଲେ ଆକ୍ଷଣୀୟ ଚିତ୍ର ସାମ୍ନାକୁ ଆସେ। ଯଦି ୨ ଲକ୍ଷ କପି ୧,୨୯୯ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ, ତେବେ ସମୁଦାୟ ୨୫.୯୮ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଅର୍ଥାତ କେବଳ ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ବହି ବିକ୍ରିରୁ ପ୍ରାୟ ୨୬ କୋଟି ଟଙ୍କାର କାରବାର ହୋଇଛି।
ତଥାପି, ଏହା MRP ଆଧାରରେ କରାଯାଇଥିବା ଏକ ଆକଳନ। ପ୍ରକୃତ ବିକ୍ରିରେ ଅନଲାଇନ ଡିସକାଉଣ୍ଟ, ଖୁଚୁରା ବିକ୍ରେତାଙ୍କ ଅଂଶ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ଥାଏ।
ବହି ଲେଖୁଥିବା ଲେଖକଙ୍କୁ ତାଙ୍କର ବିକ୍ରି ଉପରେ ରୟାଲ୍ଟି ମିଳିଥାଏ। ଭାରତରେ ହାର୍ଡକଭର୍ ବହିଗୁଡ଼ିକ ପାଇଁ ସାଧାରଣତଃ ୧୦ ରୁ ୧୨.୫ ପ୍ରତିଶତ ରୟାଲ୍ଟିର ଆକଳନ କରାଯାଇଥାଏ। କିଛି ବଡ଼ ଲେଖକଙ୍କ ମାମଲାରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରୟାଲ୍ଟି ମଧ୍ୟ ମିଳିଥାଏ।
ତଥାପି, ସୋନିଆ ଗାନ୍ଧୀ ଏବଂ HarperCollins India ମଧ୍ୟରେ ହୋଇଥିବା ଚୁକ୍ତିର ସର୍ତ୍ତାବଳୀ ଏବଂ ରୟାଲ୍ଟି ଏପର୍ଯ୍ୟନ୍ତ ସର୍ୱସାଧାରଣ କରାଯାଇ ନାହିଁ। ତେଣୁ ତାଙ୍କର ଆୟର ସଠିକ ପରିମାଣ କହିବା ଟିକେ କଷ୍ଟକର। ତଥାପି ସାଧାରଣ ରୟାଲ୍ଟି ହାରକୁ ଦୃଷ୍ଟିରେ ରଖି ଆମେ ଆକଳନ କରିପାରିବା ଯେ ଯଦି ୧୦ ପ୍ରତିଶତ ରୟାଲ୍ଟି ମିଳେ ତେବେ ୨ ଲକ୍ଷ ବହିରୁ ୨.୬୦ କୋଟି ଟଙ୍କା ମିଳିବ। ଯଦି ୧୨.୫ ପ୍ରତିଶତ ରୟାଲ୍ଟି ମିଳେ ତେବେ ୩.୨୫ କୋଟି ଟଙ୍କା ମିଳିବ। ସେହିପରି ୧୫ ପ୍ରତିଶତରେ ୩.୯୦ କୋଟି ଟଙ୍କା ମିଳିବ।
ବହି ଦୁନିଆରେ ଆଉ ଏକ ପଦ୍ଧତି ମଧ୍ୟ ରହିଛି, ଯାହାକୁ ଆଡଭାନ୍ସ ରୟାଲ୍ଟି କୁହାଯାଏ। ବଡ଼ ଏବଂ ଚର୍ଚ୍ଚିତ ଲେଖକମାନଙ୍କୁ ପ୍ରକାଶକ ବହି ବଜାରକୁ ଆସିବା ପୂର୍ୱରୁ ହିଁ ଏକ ର୍ନିଦ୍ଦିଷ୍ଟ ପରିମାଣର ଅର୍ଥ ଦେଇଥାନ୍ତି। ଏହାକୁ ଆଡଭାନ୍ସ କୁହାଯାଏ।
ପରେ ବହି ବିକ୍ରିରୁ ମିଳୁଥିବା ରୟାଲ୍ଟିକୁ ଏହି ଆଡଭାନ୍ସ ସହିତ ଆଡଜଷ୍ଟ କରାଯାଇଥାଏ। ପ୍ରକୃତରେ ଯେତେବେଳେ ପର୍ଯ୍ୟନ୍ତ ବିକ୍ରିରୁ ମିଳୁଥିବା ରୟାଲ୍ଟି ଆଡଭାନ୍ସର ପରିମାଣ ସହିତ ସମାନ ନ ହୋଇଛି, ସେତେବେଳେ ପର୍ଯ୍ୟନ୍ତ ଲେଖକଙ୍କୁ ଅତିରିକ୍ତ ରୟାଲ୍ଟିର ପେମେଣ୍ଟ ମିଳେ ନାହିଁ। ସୋନିଆ ଗାନ୍ଧୀଙ୍କୁ ଏହି ବହି ପାଇଁ କେତେ ଆଡଭାନ୍ସ ମିଳିଛି, ସେହି ସୂଚନା ମଧ୍ୟ ସର୍ୱସାଧାରଣ କରାଯାଇ ନାହିଁ।
ଏହି ବହିର ଲୋକପ୍ରିୟତାର ଅନୁମାନ ଏହାଦ୍ୱାରା କରାଯାଇପାରେ ଯେ ରିଲିଜ ଦିନ ମାତ୍ର ୧୦ ମିନିଟ ଭିତରେ ୧୫ ହଜାରରୁ ଅଧିକ କପି ପାଠକମାନଙ୍କ ନିକଟରେ ପହଞ୍ଚାଯାଇଥିଲା। ପ୍ରକାଶକଙ୍କ CEO କହିଛନ୍ତି ଯେ ଏହି ବହି ସବୁଠାରୁ ଦ୍ରୁତ ଗତିରେ ବିକ୍ରି ହେଉଥିବା ବହି, ଡେବ୍ୟୁ ବହି, ନନ-ଫିକ୍ସନ ବହି ଏବଂ ସ୍ମୃତିଚାରଣ ଭଳି ଅନେକ ରେକର୍ଡ ସୃଷ୍ଟି କରିଛି।