ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅର୍ନିଦ୍ଦିଷ୍ଟ କାଳୀନ ଅନଶନ ଏବେ ୧୭ ଦିନରେ ପହଞ୍ଚିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ବିଭିନ୍ନ ଦାବିକୁ ନେଇ ସେ ଏହି ପ୍ରଦର୍ଶନ କରୁଛନ୍ତି। ତେବେ ଦୀର୍ଘ ଦିନର ଅନଶନ ଯୋଗୁ ତାଙ୍କ ଶରୀର ଅତି ଦୁର୍ବଳ ହୋଇପଡ଼ିଥିବା ବେଳେ ତାଙ୍କ ଜୀବନ ରକ୍ଷା ପାଇଁ ଏବେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ କର୍ମକର୍ତ୍ତା। ଆଇନଜୀବୀ ରାକେଶ କୁମାର ସୈନୀଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନହିତ ମାମଲା (PIL) ଦାୟର କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ, ଯଦି ସୋନମ ୱାଙ୍ଗଚୁକଙ୍କ ଏହି ଅନଶନ ଜାରି ରହେ, ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କ ଜୀବନ ଚାଲିଯାଇପାରେ। ତେଣୁ କୋର୍ଟ ତୁରନ୍ତ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇ ୱାଙ୍ଗଚୁକଙ୍କୁ ମେଡିକାଲରେ ଭର୍ତ୍ତି କରାନ୍ତୁ ଏବଂ ଜବରଦସ୍ତ ତରଳ ଖାଦ୍ୟ (Force-feeding) ଦେଇ ତାଙ୍କ ଜୀବନ ରକ୍ଷା କରନ୍ତୁ।
ଆନ୍ଦୋଳନକାରୀଙ୍କ ସୂଚନା ମୁତାବକ, ଅନଶନ ଯୋଗୁ ସୋନମ ୱାଙ୍ଗଚୁକଙ୍କ ଓଜନ ପ୍ରାୟ ୮.୫ କିଲୋଗ୍ରାମ ହ୍ରାସ ପାଇଛି। ତାଙ୍କ ରକ୍ତଚାପ (Blood Pressure) ହ୍ରାସ ପାଇ ୧୦୭/୭୦ mmHg ଏବଂ ରକ୍ତରେ ଶର୍କରା ପରିମାଣ (Blood Sugar) ମାତ୍ର ୬୭ ମିଲିଗ୍ରାମ ପ୍ରତି ଡେସିଲିଟରକୁ ଖସି ଆସିଛି। ଏହି ପରିସ୍ଥିତିରେ ଯଦି ତାଙ୍କର କିଛି ଅଘଟଣ ଘଟେ, ତେବେ ତାହା ସାରା ଦେଶ ଏବଂ ବିଶ୍ୱ ପାଇଁ ଅତି ଲଜ୍ଜାଜନକ ବିଷୟ ହେବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ଏନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର ଗମ୍ଭୀରତା ସହ ବିଚାର କରନ୍ତୁ, କାରଣ ଏବେ ଜଣେ ମହାନ ବ୍ୟକ୍ତିଙ୍କ ଜୀବନ ବାଜିରେ ଲାଗିଛି।