Categories: ଜାତୀୟ

୨୧ ଦିନ ଧରି ଅନଶନରେ ବସିଛନ୍ତି ‘ସୋନମ୍‌ ଓ୍ବାଙ୍ଗଚୁକ୍‌’

ଲେହ,୨୬।୩: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଆମିର ଖାନ୍‌ଙ୍କ ଚରିତ୍ର ‘ଫୁନ୍‌ସୁକ୍‌ ୱାଙ୍ଗଡୁ’ ବହୁତ ଲୋକପ୍ରିୟ ହୋଇଥିଲା। ସେହି ଚରିତ୍ରଟି ଲଦାଖର ସୋନମ୍‌ ୱାଙ୍ଗଚୁକ୍‌ଙ୍କ ଉପରେ ଆଧାରିତ ଥିଲା। ମାର୍ଚ୍ଚ ୬ ରୁ ୱାଙ୍ଗଚୁକ୍‌ ଅନଶନରେ ବସିଛନ୍ତି। ଲଦାଖକୁ ସମ୍ବିଧାନର ଷଷ୍ଠ ସୂଚୀ ଅଧିନକୁ ଆଣିବା ତାଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି।

ସୋନମ ୱାଙ୍ଗଚୁକ୍‌ କହିଛନ୍ତି ଯେ କେନ୍ଦ୍ର ସରକାର ୪ ବର୍ଷ ପୂର୍ବେ ଏନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେଥିରୁ ପଛଘୁଞ୍ଚା ଦେଉଛନ୍ତି। ଶୂନ ଡିଗ୍ରୀ ତାପମାତ୍ରାରେ ସୋନମ ‘କ୍ଲାଇମେଟ୍‌ ଫାଷ୍ଟ’ ଜାରି ରଖିଛନ୍ତି। ସେ କେବଳ ପାଣି ଏବଂ ଲୁଣ ଖାଉଛନ୍ତି।

ନିକଟରେ ସେ କହିଥିଲେ ଯେ ଅନ୍ୟ ଆନ୍ଦୋଳନକାରୀଙ୍କ ସହ ସେ ଶୀଘ୍ର ଏକ ସୀମା ପଦଯାତ୍ରା କରିବାକୁ ଯାଉଛନ୍ତି ଯାହା ବାହ୍ୟ ଜଗତକୁ ବାସ୍ତବତା ସହ ଅବଗତ କରାଇବ। ମାର୍ଚ୍ଚ ୨୪ ରେ, କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (କେଡିଏ) ମଧ୍ୟ ୱାଙ୍ଗଚୁକ୍‌ଙ୍କ ସହ ବିରୋଧ ପ୍ରଦର୍ଶନ ସହ ଅନଶନ ଆରମ୍ଭ କରିଛି।

ୱାଙ୍ଗଚୁକ୍‌ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ଯ୍ୟକାରୀ କରିବା। ଏହି କାରଣରୁ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍‌ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି। ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୨୦୧୯ ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାତ୍ରେ ଉଭୟ ରାଜ୍ୟର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ସମାପ୍ତ ହୋଇଯାଇଥିଲା। କେନ୍ଦ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେଇଛି କିନ୍ତୁ ଲଦାଖକୁ ଏକ ୟୁନିଅନ ଟେରିଟୋରୀ(କେନ୍ଦ୍ରଶାସିତ ଅଞ୍ଚଳ)ରେ ପରିଣତ କରିଛି। ୱାଙ୍ଗଚୁକ କହିଛନ୍ତି ଯେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାର ଶାସନ କେନ୍ଦ୍ର ଦିଲ୍ଲୀରୁ ହେଉଛି। ଏହି କାରଣରୁ ଏଠାକୁ ଆସୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ କେବଳ ପରିବେଶକୁ ଖରାପ କରୁନାହାନ୍ତି, ବରଂ ଏଠାକାର ଲୋକଙ୍କ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ।

Share